କେନ୍ଦ୍ରାପଡାରେ ପ୍ରଚାର ଆରମ୍ଭ କଲେ ଅନୁଭବ । କହିଲେ, ଲୋକଙ୍କୁ ଠକିବିନି କି ମିଛ କହିବିନି ।

275

କନକ ବ୍ୟୁରୋ : କେନ୍ଦ୍ରାପଡାରେ ଅନୁଭବ । ବିଜେଡି ଟିକେଟ ଘୋଷଣା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରାପଡାକୁ ଯାଇଛନ୍ତି ଅନୁଭବ ମହାନ୍ତି । କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜିଉଙ୍କ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଛନ୍ତି ଅନୁଭବ । ଅନୁଭବଙ୍କ ଟିକିଏ ଝଲକ ପାଇଁ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ କ୍ରେଜ ଦେଖିବାକୁ ମିଳିଥିଲା । ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିବା ପରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ ଅନୁଭବ ।

ଏକ ବିରାଟ ଶୋଭାଯାତ୍ରାରେ ଅନୁଭବଙ୍କୁ ଆଣିଥିଲେ ଦଳୀୟ କର୍ମୀ । ଆଉ ଏହାପରେ କେନ୍ଦ୍ରାପଡାବାସୀଙ୍କୁ ପ୍ରଂଶସା କରିବାକୁ ଯାଇ ଅନୁଭବ କହିଥିଲେ, କେନ୍ଦ୍ରାପଡା ଇଜ୍ଜତ ଓ ସ୍ୱାଭିମାନକୁ କିଭଳି ଆଗକୁ ନେବି ତାହା ମୋର ପ୍ରଥମ ଦାୟିତ୍ୱ । ଏହାଛଡା କେନ୍ଦ୍ରାପଡା ହେଉଛି ସ୍ୱାଭିମାନ ଓଡିଆଙ୍କ ମାଟି । ଏହା ବିଜୁ ବାବୁଙ୍କ ମାଟି । ତେଣୁ କେନ୍ଦ୍ରାପଡାବାସୀଙ୍କୁ କେବେ ମିଛ କହିବିନି କି ବେଇମାନି କରିବି ନାହିଁ ବୋଲି କହିଛନ୍ତି ଅନୁଭବ । ଏଭଳି କହି ନିଜର ପ୍ରତିଦ୍ୱନ୍ଦ୍ୱୀ ବୈଜୟନ୍ତ ପଣ୍ଡାଙ୍କୁ ତେରଛା ବାଣ ମାରିଛନ୍ତି ଅନୁଭବ ।

ଏଠାରେ ବିଜେଡି ପୂର୍ବରୁ ଜିତି ଆସୁଥିଲା ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । କେନ୍ଦ୍ରାପଡାବାସୀଙ୍କ ଆର୍ଶୀବାଦ ପୂର୍ବରୁ ବିଜେଡି ସହ ରହିଥିଲା ତେଣୁ ଆଗକୁ ମଧ୍ୟ ଲୋକମାନେ ବିଜେଡି ଏଠାରେ ବିଜୟୀ କରାଇବେ ବୋଲି କହିଛନ୍ତି ଅନୁଭବ ।