କନକ ବ୍ୟୁରୋ : ବିଜେଡି ବିଧାୟକଙ୍କ ଭୋଟ ରାଜନୀତି । କଂଟାବାଞ୍ଝି ବିଧାୟକ ଆୟୁବ ଖାନ୍ ନିଜ ନିର୍ବାଚନମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ଲୋକଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଯେଉଁ ଭୋଟର ତାଙ୍କୁ ବିଧାୟକ ଗାଦିରେ ବସାଇଛନ୍ତି ସେମାନଙ୍କୁ ଜନସଭାରେ ଗାଳି ଦେବାକୁ ମଧ୍ୟ ପଛାଇ ନାହାନ୍ତି ଆୟୁବ ଖାନ୍ । ଭୋଟର ନିଜର ହକ୍ ମାଗିବାରୁ ପ୍ରତିବଦଳରେ ବିଧାୟକଙ୍କ ଠାରୁ ମିଳିଛି ଗାଳି । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।


କଣ୍ଟାବାଞ୍ଝିର ଏକ ଜନସଭାରେ ଜଣେ ବୁଢୀ ମା’ ନିଜର ଅସୁବିଧା ସର୍ମ୍ପକରେ ବିଧାୟକଙ୍କୁ ଜଣାଇ ହଟହଟା ହୋଇଛନ୍ତି । ବିଧାୟକ ଆୟୁବ ଖାନ୍ ସମାଧାନ କରିବା ପରିବର୍ତ୍ତେ ବୃଦ୍ଧାଙ୍କ ସମେତ ଅନ୍ୟ ଲୋକମାନଙ୍କୁ ଗାଳି ଦେଇଛନ୍ତି । ପଦ୍ମ ଫୁଲକୁ ଭୋଟ ଦେଉଛ ସେଥିପାଇଁ ସୁବିଧା ପାଉନାହଁ ବୋଲି କହିଛନ୍ତି ଆୟୁବ । ଏହାଛଡା ବୃଦ୍ଧା ଜଣକ କାର୍ଡରେ ତାଙ୍କ ନାଁ ନଥିବା କହିବାରୁ ତାଙ୍କ ଉପରେ ବର୍ଷିଛନ୍ତି ବିଧାୟକ । ଏହାସହ କହିଛନ୍ତି, ନବୀନ ପଟ୍ଟନାୟକ ଟଙ୍କାକରେ ଚାଉଳ ଦେଉଥିଲେ । ଏହାକୁ ଖାଇଲେ, ମଳତ୍ୟାଗ କଲେ । ଭୋଟ ଦେବା ବେଳକୁ ପଦ୍ମ ଫୁଲକ ଭୋଟ ଦେଇ ଜିଲ୍ଲା ପରିଷଦକୁ ଜିତାଇ ଦେଲ । ସେଥିପାଇଁ ହିଁ ତୁମ ମାନଙ୍କୁ ସୁବିଧା ମିଳୁନାହିଁ ବୋଲି କହିଥିଲେ ଆୟୁବ ।

ଜନସଭାରେ ବିଧାୟକ କାହିଁକି ଭୋଟ ରାଜନୀତି କରୁଛନ୍ତି ଏକଥା ଜଣେ ପଚାରିବାରୁ ଆୟୁବଙ୍କ ରାଗି ପଞ୍ଚମ ହୋଇଯାଇଥିଲେ । ଏପରିକି ତାଙ୍କୁ ଭୋଟ ଦରକାର ନାହିଁ ବୋଲି ସିଧାସଳଖ କହିବାକୁ ମଧ୍ୟ ପଛାଇନଥିଲେ । ତେବେ ଜଣେ ଜନପ୍ରତିନିଧି ହିସାବରେ ବିଧାୟକଙ୍କ ଏଭଳି ବ୍ୟବହାରକୁ ସ୍ଥାନୀୟ ବାସିନ୍ଦା ନା ପସନ୍ଦ କରିଛନ୍ତି ।