ବିଜେଡିକୁ ଦେବେଶ ଆଚାର୍ଯ୍ୟ ଅଡୁଆ : କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ବିଧାୟକଙ୍କ ସହ ୧୪ ଜଣଙ୍କ ନାଁରେ କେସ ଡାଏରୀ

35

ବରଗଡ : ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ୧୪ ଜଣଙ୍କ ନାଁରେ କେସ ଡାଏରୀ ଦାଖଲ କରିଛି ପୁଲିସ । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ୧୪ ଜଣଙ୍କ ନାଁରେ ପୁଲିସ କୋର୍ଟରେ କେସ ଡାଏରୀ ଦାଖଲ କରିଥିବା ସୂଚନା ମିଳିଛି । ଦେବେଶଙ୍କ ଭାଇ ସମ୍ବିତ ଆଚାର୍ଯ୍ୟ, ନଗରପାଳ ପ୍ରଶାନ୍ତ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୌଭଗ୍ୟ ନାୟକଙ୍କ ସହ ଆଉ କେତେଜଣ ବିଜେଡି ନେତା ଓ କର୍ମୀଙ୍କ ନାଁ ଏଥିରେ ଉଲ୍ଲେଖ ଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଏହି ଘଟଣାରେ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୁଲିସ । ଘଟଣାରେ ବିଜେଡିର କୌଣସି ସଂପୃକ୍ତି ନଥିବା କହିଆସୁଛି ଦଳ ।

ଚାଷୀ ଓ ବୁଣାକାରଙ୍କ ଅସନ୍ତୋଷର ପ୍ରତିଫଳନ କହି କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାକୁ ଫାଙ୍କି ଆସୁଛନ୍ତି ବିଜେଡି ନେତା, କିନ୍ତୁ ଏବେ ପୁଲିସ କେସ ଡାଏରୀରେ ବିଧାୟକଙ୍କ ସମେତ ୧୪ ଜଣଙ୍କ ନାଁ ଉଲ୍ଲେଖ ରହିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଢେଲା ପଥର ମାଡ ଓ କଳା ପତାକା ପ୍ରଦର୍ଶନ କରି ତାଙ୍କୁ ଆକ୍ରମଣ କରିଥିଲେ ବୋଲି ଉଲ୍ଲେଖ ରହିଥିବା କୁହାଯାଉଛି । ତେଣୁ ଏହା ବିଜେଡିର ଅଡୁଆ ବଢାଇ ଦେଇଛି । ସେପଟେ ଗତକାଲି ରାଜଭବନ ସମ୍ମୁଖାରେ ଧାରଣା ଦେବ ବିଜେପି । ବିଜେପି ବିକାଶ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ପରେ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ସମର୍ଥକଙ୍କ ସହ ବିଜୟ ଉତ୍ସବ ମନାଉଥିବାର ଦୃଶ୍ୟ ପ୍ରଥମେ କନକ ନ୍ୟୁଜ୍ ରେ ପ୍ରସାରଣ ହୋଇଥିଲା ।