ବିଜେଡ଼ିର ମିଶନ ପଶ୍ଚିମ ! ଆଜି ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ, ବହୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

93

କନକ ବ୍ୟୁରୋ : ଆଜି ଝାରସୁଗୁଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ଝାରସୁଗୁଡା ଜିଲ୍ଲା ପାଇଁ ୬୧୮ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବେ ।  ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଓ ଲଖନପୁର ବ୍ଲକର ୬ଟି ଉଠାଜଳସେଚନ ପ୍ରକଳ୍ପ ସହ ଝାରସୁଗୁଡା ଓ କିରିମରା ବ୍ଲକ ପାଇଁ ୨ଟି ଗ୍ରିଡକୋ ସବ ଷ୍ଟେସନକୁ ଉଦଘାଟନ କରିବେ । ସେହିପରି ଝାରସୁଗୁଡା କ୍ୟାନସର କେୟାର ହସ୍ପିଟାଲ, ୪ଟି ମେଗା ଜଳ ଯୋଗାଣ ପ୍ରକଳ୍ପ, ଚଉକିପଡା ରେଳ ଓଭରବ୍ରିଜ ଓ ଅମାତି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ।

ଅମଲିପାଲିଠାରେ ଆୟୋଜିତ ସାଧାରଣ ସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କଂଗ୍ରେସ ଛାଡିଥିବା ନବ ଦାସ ବିଜେଡିରେ ସାମିଲ ହେବାର ସମ୍ଭାବନାରହିଛି । ଝାରସୁଗୁଡା କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ରାଜେନ୍ଦ୍ର କଲେଜ ପଡିଆରେ ହେଉଥିବା ବିଜୁ ଯୁବ ବାହିନୀ ଆଂଚଳିକ ସମାବେଶରେ ସାମିଲ ହେବେ । ସେଠାରେ ମଧ୍ୟ ୧୬୮ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ୯୪ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ ।