ନବୀନ ବନାମ ନମୋ ! ମୋଦିଙ୍କ ବିଜ୍ଞାପନକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି

34

କନକ ବ୍ୟୁରୋ : ଜାନୁଆରୀ ୧ ତାରିଖରେ ରାଜ୍ୟର କେତେକ ପ୍ରମୁଖ ଖବର କାଗଜରେ ପ୍ରକାଶ ପାଇଛି କେନ୍ଦ୍ର ସରକାରଙ୍କ ଏହି ବିଜ୍ଞାପନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥାଇ ଖାଦ୍ୟ ସୁରକ୍ଷା ଆଇନ ସଂପର୍କରେ ଦିଆଯାଇଛି ତଥ୍ୟ । ରାଜ୍ୟ ସରକାରଙ୍କ ୧ ଟଙ୍କିଆ ଚାଉଳରେ କାହାର ଅନୁଦାନ କେତେ ତାକୁ ବିଜ୍ଞାପନରେ ଦର୍ଶାଯାଇଛି । ଆଉ ଏହାକୁ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛି ବିଜେଡି ।

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଟଙ୍କିକିଆ ଚାଉଳ ଯୋଗାଣ ନବୀନ ସରକାରଙ୍କ ସବୁଠାରୁ ବଡ ଯୋଜନା ବୋଲି କୁହାଯାଉଛି । ରାଜ୍ୟର ଗରିବ ଓ ବିପିଏଲ ପରିବାରଙ୍କୁ ସବସିଡି ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଟଙ୍କିକିଆ ଚାଉଳରେ କେନ୍ଦ୍ର ସରକାରଙ୍କ ସିଂହଭାଗ ଥିବା ଉଠାଇଛନ୍ତି ବିଜେପି ଶାସିତ କେନ୍ଦ୍ର ସରକାର । ତେଣୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ।

ବିଜ୍ଞାପନରେ ଦର୍ଶାଯାଇଛି ଟଙ୍କିକିଆ ଚାଉଳ ଯୋଜନାରେ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମରେ କାହାର ଭାଗ କେତେ । ବିଜ୍ଞାପନରେ ଦର୍ଶାଯାଇଛି ୧ କିଲୋ ଚାଉଳ ପାଇଁ ଖାଉଟି ଦେଉଛନ୍ତି ୧ ଟଙ୍କା, ରାଜ୍ୟ ସରକାରଙ୍କ ଭାଗ ୨ ଟଙ୍କା ରହିଥିବାବେଳେ କେନ୍ଦ୍ର ସରକାର ଦେଉଛନ୍ତି ୨୯ଟଙ୍କା ୬୭ ପଇସା । ସେହିପରି ୧ କିଲୋ ଗହମ ପାଇଁ ଖାଉଟି ୧ ଟଙ୍କା ଦେଉଥିବାବେଳେ ରାଜ୍ୟ ୧ ଟଙ୍କା ଓ କେନ୍ଦ୍ର ସରକାର ୨୧ ଟଙ୍କା ୪୫ ପଇସା ଦେଉଛନ୍ତି । ପଂଚାୟତ ଭୋଟ ପୂର୍ବରୁ ଏହି ବିଜ୍ଞାପନକୁ ନେଇ ଛନକା ପଶିଛି । ତେବେ ଏହାର ସତ୍ୟତା ନେଇ ଯେତେବେଳେ ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପଚରାଗଲା ସେ ଏହାକୁ ଆଡେଇ ଯାଇଥିଲେ ।

ପୂର୍ବରୁ ଉଜ୍ୱଳା ଯୋଜନା ଓ ସ୍ୱଚ୍ଛ ଭାରତ ଅଭିଯାନ ଆଦି ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ବନ୍ଦ କରିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ୍ । ଡିସେମ୍ବର ୨୭ ତାରିଖରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣବିଧି ଲାଗୁ ହୋଇସାରିଥିବାରୁ ଏହାର ଉଲ୍ଲଂଘନ ଉପରେ ତୀକ୍ଷଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଦେଖନ୍ତୁ ଏହି ଭିଡିଓ :