ଆଗୁଆ ନିର୍ବାଚନ ପାଇଁ ଏକପାଦ ଆଗେଇଲା ବିଜେଡି । ଲୋକସଭା ସହ ବିଧାନସଭା ନିବାର୍ଚନ କରିବାକୁ ନିର୍ବାର୍ଚନ କମିସନଙ୍କୁ ଦାବି ଜଣାଇଲା ଦଳ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

31

କନକ ବ୍ୟୁରୋ : ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସଂକେତ ଦେଇ ପୁଣି ଥରେ ସମସ୍ତଙ୍କୁ ଚକିତ କରିଦେଇଛି ବିଜେଡି । ଯଦି ଲୋକସଭା ନିର୍ବାଚନ ଆଗୁଆ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନିଅନ୍ତି, ତେବେ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ଆଗୁଆ କରାଯାଉ । ନିର୍ବାଚନ କମିସନଙ୍କୁ ଭେଟି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେଡି । ଦଳ ପକ୍ଷରୁ ଏ ନେଇ ଲିଖିତ ଭାବେ ଜଣାଇ ଦେଇଛନ୍ତି ସାଂସଦ ପିନାକୀ ମିଶ୍ର । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଚାଲିଥିବା ନିର୍ବାଚନୀ ମାମଲାର ଶୀଘ୍ର ସମାଧାନ କରିବାକୁ ମଧ୍ୟ ଅନୁରୋଧ କରିଛି ବିଜେଡି ।

ଲୋକସଭା-ବିଧାନସଭା ନିର୍ବାଚନ ଏକକାଳୀନ କରିବା ନେଇ ସାରା ଦେଶରେ ଘମାଘୋଟ ବିତର୍କ ଚାଲିଥିବା ବେଳେ ଗୋଟିଏ ପାଦ ଆଗକୁ ବଢିଛି ବିଜେଡି । ନିର୍ବାଚନ କମିସନଙ୍କୁ ଭେଟି ଏକାଠି ନିର୍ବାଚନ ପାଇଁ ଲିଖିତ ଅନୁରୋଧ ଜଣାଇଛନ୍ତି ବିଜେଡି ପ୍ରତିନିଧି ଦଳ । ତେଲେଙ୍ଗାନାର ଟିଆରଏସ୍ ସରକାର ଆଗୁଆ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରୁଥିବା ନେଇ ଖବର ଚର୍ଚ୍ଚାରେ ଥିବା ବେଳେ ପୁଣି ଥରେ ସମସ୍ତଙ୍କୁ ଚକିତ କରିଦେଇଛି ବିଜେଡି । ନିର୍ବାଚନ କମିଶନଙ୍କୁ ଭେଟି ଏ ନେଇ ଲିଖିତ ଭାବେ ଜଣାଇ ଦେଇଛି ବିଜେଡି ପ୍ରତିନିଧି ଦଳ । ଯଦି ଲୋକସଭା ନିର୍ବାଚନ ଆଗୁଆ କରାଯାଏ, ତେବେ ଓଡ଼ିଶା ବିଧାନସଭା ନିର୍ବାଚନ ଏହା ସହିତ କରିବାକୁ ଅନୁରୋଧ କରିଛି ଦଳ ।

Pinaki Misra on Simultaneous Electionବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର, ନିର୍ବାଚନ କମିସନଙ୍କୁ ଦେଇଛନ୍ତି ଏକ ଅନୁରୋଧ ପତ୍ର । ସେଥିରେ ଲେଖାଯାଇଛି, “୨୦୦୪ ମସିହାରୁ ଲୋକସଭା ସହ ହେଉଛି ଓଡ଼ିଶା ବିଧାନସଭା ନିର୍ବାଚନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ୩୩ ବର୍ଷ ପରେ ଏହା ସମ୍ଭବ ହୋଇଥିଲା । ଅଲଗା ନିର୍ବାଚନ ହେଲେ ୧୦୦୦ କୋଟି ଟଙ୍କାର ନିର୍ବାଚନ ଖର୍ଚ୍ଚ ପଡିଯିବ ରାଜ୍ୟବାସୀଙ୍କ ଉପରେ । ଏହା ଛଡ଼ା ଦୁଇ ଦୁଇ ଥର ଆଚରଣ ବିଧି ଲାଗୁ ହେଲେ ରାଜ୍ୟର ବିକାଶ ଧାରା ବାଧାପ୍ରାପ୍ତ ହେବ ।” ଏହାକୁ ଦୃଷ୍ଟିରେ ରଖିବାକୁ ଅନୁରୋଧ କରିଛି ବିଜେଡି । ବିଜେଡି ନିର୍ବାଚନ କମିସନକୁ କହିଛି “ଯଦି ଲୋକସଭା ନିର୍ବାଚନକୁ କେନ୍ଦ୍ର ସରକାର ଆଗୁଆ କରିବାକୁ ଚାହାଁନ୍ତି, ତେବେ ଏହା ସହ ଓଡ଼ିଶା ବିଧାନସଭା ନିର୍ବାଚନ କରାଯାଉ । ଯାହା ଫଳରେ ହଜାରେ କୋଟିର ଅତିରିକ୍ତ ଖର୍ଚ୍ଚ ଚାପରୁ ବର୍ତ୍ତିଯିବ ଓଡ଼ିଶା ।”

ନିର୍ବାଚନ ଖର୍ଚ୍ଚ ଓ ଆଚରଣ ବିଧି କଟକଣା ଅବଧି ହ୍ରାସ କରିବା ଯୁକ୍ତି ରଖି ଏକକାଳୀନ ନିର୍ବାଚନ ପାଇଁ ମୋଦି ସରକାର ଯୁକ୍ତି ବାଢୁଛନ୍ତି । ଏ ନେଇ ଲ’ କମିସନ ମଧ୍ୟ ସମ୍ମତି ଜଣାଇଛନ୍ତି । ଏହି ସ୍ଥିତିରେ ବିଜେଡିର ଏପରି ଆଭିମୁଖ୍ୟ ବେଶ ଗୁରୁତ୍ୱ ରଖୁଛି । ତେବେ ବିଜେଡିର ପଦକ୍ଷେପକୁ ଭୟର ପ୍ରତିଫଳନ ବୋଲି ଆକ୍ଷେପ କରିଛନ୍ତି ରାଜ୍ୟ ବିଜେପି ନେତା । ଆସନ୍ତା ବର୍ଷ ଜାନୁୟାରୀ ମଧ୍ୟରେ ୪ଟି ରାଜ୍ୟର ନିର୍ବାଚନ ଥିବା ବେଳେ ଓଡ଼ିଶା ସମତେ ୫ଟି ରାଜ୍ୟର ନିର୍ବାଚନ ମେ’ ମାସ ମଧ୍ୟରେ ଶେଷ ହେବ । ବିଜେଡି ଯେଭଳି ଭାବେ ନିର୍ବାଚନ କମିସନଙ୍କୁ ଭେଟି ନିଜ ଆଭିମୁଖ୍ୟ ଜଣାଇଛି, ତାହା ଆଗୁଆ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଥିବା ସୂଚାଇଦେଇଛି ।