ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି । କହିଲା ନିର୍ବାଚନ କମିଶନଙ୍କ ଆଦେଶକୁ କରାଯାଇଛି ବେଖାତିର, ପ୍ରଚାର ବନ୍ଦ ବେଳେ ହୋଇଛି ପ୍ରେସମିଟ୍ । 

143

କନକ ବ୍ୟୁରୋ :  ନିର୍ବାଚନ ଆଦର୍ଶ ଆଚରଣ ବିଧିର ବାରମ୍ବାର ଉଲ୍ଲଂଘନ କରି ଚାଲିଥିବା ବିଜେପି ଶେଷରେ ନିର୍ବାଚନ କମିସନଙ୍କ ଆଦେଶକୁ ବି ଦଳିଚକଟି ଦେଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ହେବାକୁ ଥିବା ବେଳେ ବିଜେପି ବିରୋଧରେ ବିଜୁ ଜନତା ଦଳ ବୁଧବାର ସଙ୍ଗୀନ ଅଭିଯୋଗ ଆଣିଛି । ନିର୍ବାଚନ କମିସନଙ୍କ ବାରଣ ସତ୍ତ୍ୱେ ଆଜି ବିଜେପି ଏକ ପ୍ରେସ ମିଟ କରି ନିର୍ବାଚନ ନୀତିନିୟମକୁ ଜଳାଞ୍ଜଳି ଦେଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଜଣାଇଛି ।

ମତଦାନର ୪୮ ଘଣ୍ଟା ପୂର୍ବରୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଉପରେ ପ୍ରଚାର କଟକଣା ରହିଛି । ଚଳିତବର୍ଷ ନିର୍ବାଚନ କମିସନ ଏଥିରେ ଆଉ ଏକ କଟକଣା ଲଗାଇଛନ୍ତି । ଏହି ସମୟରେ ଷ୍ଟାର ପ୍ରଚାରକ ଏବଂ ଅନ୍ୟ ନେତାମାନେ କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ନିର୍ବାଚନ ସଂପର୍କରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇପାରିବେ ନାହିଁ ବୋଲି କଡା କଟକଣା ଜାରି ହୋଇଛି । ଗତ ମାର୍ଚ୍ଚ ୧୫ରେ ନିର୍ବାଚନ କମିସନଙ୍କ ପକ୍ଷରୁ ଏନଟି ଭୂତିଆ ଚିଠି ନମ୍ବର ୩/ଇଆର/୨୦୧୮/ଏସଡିଆର/ଭଲ୍ୟୁମ-୧ରେ ସବୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଏହାର ଆଦେଶନାମା ପଠାଇଛନ୍ତି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ୍ ମହାନ୍ତି, ସୁଲତା ଦେଓ ଏବଂ ସୁଲୋଚନା ଦାସ ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ।