ପୁଣି ବିବାଦରେ ସମ୍ବିତ ପାତ୍ର । ପୋଷ୍ଟର ଓ ବ୍ୟାନରରେ ଜଗନ୍ନାଥଙ୍କ ନାଁକୁ ନେଇ ରାଜନୀତିି, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି ।

269

କନକ ବ୍ୟୁରୋ: ପୁଣି ବିବାଦରେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ସମ୍ବିତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ସିଇଓଙ୍କୁ ଫେରାଦ ହେଲା ବିଜେଡି । ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବାରମ୍ବାର ରାଜନୀତି କରୁଛି ବିଜେପି ବୋଲି ଅଭିଯୋଗ କରିଛି ବିଜେଡି । ବିଜେଡି ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ସମ୍ବିତ ପାତ୍ରଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ତଥ୍ୟ ସହ ଜଣାଇଛି ।

ବିଜେଡି କହିବା ମୁତବାକ, ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ପୂର୍ବରୁ ଜଗନ୍ନାଥ ବିଗ୍ରହଙ୍କୁଧରି ନିର୍ବାଚନୀ ପ୍ରଚାର କରିଥିବା ସାମ୍ନାକୁ ଆସିଥିଲା । ଏହାକୁ ନେଇ ମଧ୍ୟ ଅବଗତ କରାଯାଇଥିଲା । ହେଲେ ଏହାସତ୍ୱେ ସମ୍ବିତ ପାତ୍ର ପୁର୍ନବାର ତାଙ୍କ ପୋଷ୍ଟର ବ୍ୟାନରେ ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ବ୍ୟବହାର କରି ଧର୍ମ ରାଜନନୀତି କରୁଥିବା ଦେଖିବାକୁ ମିଳିଛି । ତେଣୁ ଏଭଳି ବାରମ୍ବାର ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ସମ୍ବିତ ପାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କ ନିକଟରେ ଦାବି ଜଣାଇଛି ବିଜେଡି ।

ଏପରିକି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଧର୍ମ ନାଁରେ ରାଜନୀତି କରିବାକୁ ବାରମ୍ବାର ଅପଚେଷ୍ଟା ଚଳାଇଛନ୍ତି । ନିର୍ବାଚନୀ ଆଚରଣ ସହିଂତାର ମର୍ଯ୍ୟାଦାକୁ ଖାତିର ନକରି ରାଜ୍ୟରେ ଏକ ଧର୍ମୀୟ ରାଜନୀତିକୁ ଉସୁକାଉଥିବା ଅଭିଯୋଗ କରିଛି ବିଜେଡି । କାରଣ କୋଟି କୋଟି ଓଡ଼ିଆଙ୍କ ଭାବାବେଗରେ ଜଡ଼ିତ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଥିବାରୁ ଏଭଳି ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ବିଜେଡି କହିଛି ।