୨୦୧୯ ନିର୍ବାଚନ ପୂର୍ବରୁ ଶକ୍ତି ଗୋଟାଉଛି କଂଗ୍ରେସ : ରାଜ୍ୟସଭା ଉପାଧ୍ୟକ୍ଷ ପଦ ଦେଇ ବିଜେଡିକୁ ମନାଇବା ଫର୍ମୁଲା ଉପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

37

କନକ ବ୍ୟୁରୋ : ପୁଣି ଜାତୀୟ ଗଣମାଧ୍ୟମରେ ବିଜେଡିକୁ ନେଇ ଚର୍ଚ୍ଚା । ଦିଲ୍ଲୀରେ ମମତା ବାନାର୍ଜୀଙ୍କୁ ଅହମ୍ମଦ ପଟେଲ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ୨୦୧୯ ପୂର୍ବରୁ ଶକ୍ତି ସଂଗ୍ରହ କରୁଛି କଂଗ୍ରେସ । ଯେଉଁଥିପାଇଁ ଆଂଚଳିକ ଦଳଗୁଡିକର ସମର୍ଥନ ଜରୁରୀ ହୋଇପଡିଛି । ବିଶେଷ କରି ବିଜେଡି ଓ ଟିଆରଏସ ଉପରେ କଂଗ୍ରେସ ଆଖି ପକାଇଛି । ଆଉ ରାଜ୍ୟସଭାରେ ୯ଜଣ ସାଂସଦ ଥିବା ବିଜେଡିକୁ ରାଜ୍ୟସଭା ଉପାଧ୍ୟକ୍ଷ ଥୋପ ପକାଇ ଅଣଏନଡିଏ ମେଂଟ ଆଡକୁ କଂଗ୍ରେସ ଆକୃଷ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ଏଭଳି ସମ୍ଭାବନାର ଭାଗ୍ୟ ନିର୍ଭର କରୁଛି ନବୀନଙ୍କ ନିଷ୍ପତି ଉପରେ ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ ପିଜେ କୋରିଆନଙ୍କ ସ୍ଥାନରେ ଜଣେ ଅଣ ଏନଡିଏ ନେତାଙ୍କୁ ବସାଇବାକୁ ଚାହୁଁଛି କଂଗ୍ରେସ । ଆଉ ଏହି ମର୍ମରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲ, ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଛନ୍ତି । ରବିବାର ନୀତି ଆୟୋଗ ବୈଠକ ଅବସରରେ ମମତାଙ୍କ ସହ ପ୍ରାୟ ଘଂଟାଏ କାଳ ଏନେଇ ଚର୍ଚ୍ଚା କରିଛନ୍ତି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି କଂଗ୍ରେସ ପ୍ରାର୍ଥୀ ଦେବ ନା ଅନ୍ୟ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବ ତାହା ସ୍ପଷ୍ଟ ହୋଇନାହିଁ । ଆଉ ୨୦୧୯ ପୂର୍ବରୁ ବିଜେପି ବିରୋଧୀ ମେଂଟର ଯେଉଁ ପରିକଳ୍ପନା କରାଯାଉଛି ସେଥିରେ ବିଜେଡି ଓ ଟିଏମସିର ଯୋଗଦାନ ଜରୁରୀ ହୋଇପଡିଛି । ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରଖିଆସୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମନାଇବା ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ଥୋପ ପକାଇ ପାରନ୍ତି ଅଣଏନଡିଏ ମେଂଟ ।

ରାଜ୍ୟସଭାରେ ବିଜେପି ନେତୃତ୍ୱାଧିନ ଏନଡିଏରେ ଅଛନ୍ତି ୮୮ ଜଣ ସଦସ୍ୟ । ସେହିପରି କଂଗ୍ରେସ ନେତୃତ୍ୱରେ ୟୁପିଏରେ ଅଛନ୍ତି ୫୮ ଜଣ ସଦସ୍ୟ । ତୃଣମୂଳ କଂଗ୍ରେସ, ଏଆଇଏଡିଏମକେ, ସମାଜବାଦୀ ପାର୍ଟିର ୧୩ ଜଣ ଲେଖାଏଁ ସାଂସଦ ଅଛନ୍ତି । ଏହା ତଳକୁ ରହିଛି ବିଜେଡିର ୯ ଜଣ ସାଂସଦ । ସଂସଦର ଉଚ୍ଚ ସଦନର ସଦସ୍ୟମାନେ ହିଁ କେବଳ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଭାଗ ନେଉଥିବାରୁ ବିଜେଡି ଏକ ନିର୍ଣ୍ଣାୟକ ଭୂମିକା ତୁଲାଇବାକୁ ଯାଉଛି । ହେଲେ ବିଜେପି ସମେତ କଂଗ୍ରେସଠାରୁ ଦୂରେଇ ରହୁଥିବା ନବୀନ ଏହି ପ୍ରସଙ୍ଗରେ କି ପଦକ୍ଷେପ ନେବେ ତାହା ଯଥେଷ୍ଟ ଗୁରୁତ୍ୱ ରଖୁଛି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ରୋକିବା ପାଇଁ ଶକ୍ତି ଗୋଟାଉଥିବା କଂଗ୍ରେସ ଆଂଚଳିକ ଦଳଗିଡିକର ସମର୍ଥନ ଆବଶ୍ୟକ କରୁଛି । ଆଉ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ଏହାର ମୂଳଦୁଆ ପକାଇବାକୁ ପ୍ରସ୍ତୁତି କରୁଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଦୀର୍ଘ ୧୮ବର୍ଷ ହେଲା ଦୁଇଟି ଜାତୀୟ ଦଳକୁ ନିର୍ବାଚନୀ ମୈଦାନରେ ଧୂଳି ଚଟାଇଥିବା ବିଜେଡି ଓ ଏହାର ନେତା ନବୀନ ପଟ୍ଟନାୟକଙ୍କୁ ମୋଦି ବିରୋଧୀ ମେଂଟରେ ସାମିଲ କରିବା ପାଇଁ କଂଗ୍ରେସ ଜୋର ଲଗାଇ ଦେଇଛି ।