ନବ ଦାସଙ୍କୁ ନେଇ ବିଜେଡିର ମିଶନ ‘ପଶ୍ଚିମ ଓଡିଶା’ । ୩୦ ବିଧାନସଭା ଆସନ ଉପରେ ନବୀନଙ୍କ ଆଖି ।

ପଂଚାୟତ ନିର୍ବାଚନରେ ନିଜ ଦମ୍ ବଳରେ ଝାରସୁଗୁଡାକୁ ନିଜ ଦଖଲରେ ରଖିଥିବା ନବ ଦାସ ଲୋକଙ୍କ ମତକୁ ସମ୍ମାନ ଜଣାଇ ବିଜେଡିରେ ସାମିଲ ହେବାକୁ ସ୍ପଷ୍ଟ ସଂକେତ ଦେଇ ସାରିଛନ୍ତି । ପଶ୍ଚିମ ଓଡିଶାର ୩୦ ଆସନରେ ବିଜେଡି ପାଇଁ ଅନୁକୁଳ ବାତାବରଣ ଆଣିପାରିବେ କି ନବ?

366

ରାଜ୍ୟରେ ଲଗାତର ଭାବେ ନିର୍ବାଚନ ହାରିଥିବା କଂଗ୍ରେସ ପାଇଁ ସମ୍ମାନର ଜିଲ୍ଲା ଥିଲା ଝାରସୁଗୁଡା । ଯେଉଁଠି ଦଳର ଚେହେରା ଭାବେ ନବ ଦାସ ବିଜୟ ବାନା ଉଡାଉଥିଲେ । ୨୦୧୭ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଗଠନ କରିବା ଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ ସବୁଠି ଥିଲା ନବ ଦାସଙ୍କ ଦବଦବା । ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସର ପଶ୍ଚିମ ଓଡିଶାର ଚେହେରା ତଥା ଆଗାମୀ ନିର୍ବାଚନ ପାଇଁ ସବୁଠାରୁ ବଡ ଆଶା ଥିଲେ ଏହି ନେତା ।

ନିକଟରେ ପିସିସି ପୁନର୍ଗଠନ ସମୟରେ ତାଙ୍କୁ କାର୍ଯ୍ୟକାରୀ ଉପସଭାପତି କରାଯିବା ସହ ପଶ୍ଚିମ ଓଡିଶାର ଦାୟିତ୍ୱ ଦିଆଯାଇଥିଲା । ଆଶା କରାଯାଉଥିଲା, ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ । ଏପରିକି ଏକାଧିକ ସମାବେଶ ମଧ୍ୟ କରାଯାଇ ପିସିସି ଶକ୍ତି ପ୍ରଦର୍ଶନ କରିଥିଲା । ହେଲେ ନବ ଦାସଙ୍କ ୨୦୧୯ ପରିପ୍ରେକ୍ଷୀରେ ବୟାନ ଏବେ ପିସିସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି ।

ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧୀ ଯେତେବେଳେ ଓଡିଶା ଆସି ରାଜଧାନୀରେ ସମାବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ଦଳର କାର୍ଯ୍ୟକାରୀ ସଭାପତି ଦଳ ଛାଡି, ବିଜୁ ଜନତା ଦଳ ଶିବିରରେ ପ୍ରବେଶ କରିବାକୁ ଅଂଟା ଭିଡିଛନ୍ତି । ଏହାକୁ ସଂଯୋଗ କୁହାଯାଇପାରେ ଅବା ନିର୍ବାଚନ ପୂର୍ବର ସବୁଠାରୁ ବଡ ଗୋଟିଚାଳନା ଯେଉଁଠି କଂଗ୍ରେସକୁ ବଡ ଧରଣର କ୍ଷତି ହେବାକୁ ଯାଉଥିବା ବେଳେ ସବୁଠାରୁ ବେଶୀ ଲାଭବାନ ହେବାକୁ ଯାଉଛି ବିଜେଡି ।

ନବ ଦାସ ବିଜେଡିରେ ସାମିଲ ହେବା ଅର୍ଥ ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସଂଗଠନ ଆହୁରି ମଜଭୁତ ହେବ । ଖାଲି ଝାରସୁଗୁଡା ଭିତରେ ନବ ଦାସ ନିଜ ଦବଦବା ସୀମିତ ରଖିନାହାନ୍ତି ବରଂ ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଓ ବରଗଡ ସମେତ ଅନ୍ୟ କିଛି ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଗୁଡିକରେ ମଧ୍ୟ ତାଙ୍କ ଦଖଲ ରହିଛି । ଯାହାର ସିଧା ଫାଇଦା ବିଜୁ ଜନତା ଦଳକୁ ଯାଇପାରେ ।

ଗତ ପଂଚାୟତ ନିର୍ବାଚନ ସମୟରେ ପଶ୍ଚିମ ଓଡିଶାରେ ବିଜେଡିକୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡିଥିଲା । ଆଗାମୀ ସାଧାରଣ ନିର୍ବାଚନ ସମୟରେ ବିଜେପି ଏହି ସବୁ ଅଂଚଳରେ ନିଜର ସ୍ଥିତି ଜାହିର କରିବାର ସମ୍ଭାବନା ସୃଷ୍ଟି କରିଥିଲା । ହେଲେ ଯେଉଁ ଚାଲ ଏବେ ନବ ଦାସ ଓ ବିଜେଡି ଖେଳିଛନ୍ତି, ସେଠି ଗଣିତ ସଂପୂର୍ଣ୍ଣ ଭାବେ ଓଲଟ ପାଇଲଟ ହୋଇଯିବାର ସମ୍ଭାବନା ରହିଛି ।

ଗତ ୪ଟି ନିର୍ବାଚନରେ ଝାରସୁଗୁଡା ଆସନ ୨ ଥର ବିଜେଡି ହାତରେ ରହିଥିବା ବେଳେ ୨ ଥର କଂଗ୍ରେସ ହାତରେ ରହିଥିଲା । ୨୦୦୪ରେ ବର୍ତ୍ତମାନର ବିଧାୟକ ନବ ଦାସ , ବିଜେଡି ନେତା କିଶୋର ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିବା ବେଳେ ୨୦୦୯ ଓ ୨୦୧୪ରେ କିଶୋର ମହାନ୍ତିଙ୍କୁ ହରାଇ ନବ ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବଡ କଥା ହେଉଛି କିଶୋର ମହାନ୍ତି କେବଳ ବିଜେଡି-ବିଜେପି ମେଂଟ ସମୟରେ ହିଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏବେ ନବ ଦାସ ବିଜେଡିରେ ସାମିଲ ହେବା ପରେ ଝାରସୁଗୁଡା ସମେତ ପଶ୍ଚିମ ଓଡିଶାର ସମୀକରଣ ବଦଳିପାରେ ବୋଲି ଅନୁମାନ କରାଯାଉଛି ।

ପଶ୍ଚିମ ଓଡିଶାର ମୋଟ ୩୦ଟି ବିଧାନସଭା ଆସନରୁ ୨୦୧୪ରେ ବିଜେଡି ହାତକୁ ୧୭ଟି ଆସନ ଆସିଥିବା ବେଳେ ବିଜେପି ୭ଟିରେ, କଂଗ୍ରେସ ୪ ଓ ଅନ୍ୟାନ୍ୟ ପ୍ରାଥୀ ୨ଟି ଆସନରେ ଜିତିଥିଲେ । ସେହିଭଳି ୨୦୦୯ରେ ୩୦ଟି ଆସନରୁ ବିଜେଡି ଦଖଲକୁ ୧୨ଟି ଆସନ ଆସିଥିବା ବେଳେ ବିଜେପି ୭ଟିରେ କଂଗ୍ରେସ ୧୩ଟିରେ ଓ ଅନ୍ୟାନ୍ୟ ପ୍ରାର୍ଥୀ ଗୋଟିଏ ଆସନରେ ବାଜିମାତ କରିଥିଲେ ।

ତେବେ ୨୦୧୭ ପଂଚାୟତ ନିର୍ବାଚନ ପରେ ଅନେକ କିଛି ବଦଳିଥିଲା । ପଶ୍ଚିମ ଓଡିଶାରେ ସାଂଗଠନିକ ସ୍ତରରେ ବିଜେପି ନିଜର ଦମ୍ ଦେଖାଇଥିଲା । ଆଉ ଏହା ପରଠାରୁ ରଣନୀତି ବଦଳାଇ ବିଜେଡି ଆଗକୁ ବଢିବାର ସବୁଠାରୁ ବଡ ପ୍ରଚେଷ୍ଟା କରିଥିଲା । ଅନେକ ବାର ନବ ଦାସଙ୍କ ବିଜେଡିକୁ ପ୍ରଶଂସା ଗଣମାଧ୍ୟମର ଖବର ବନିଥିବା ବେଳେ ନିଜେ ନବ ଦାସ ଏହାକୁ ଖଣ୍ଡନ କରିଥିଲେ । ହେଲେ ଶେଷରେ ସବୁଠାରୁ ବଡ ସଂକେତ ଦେଇ ବିଜେଡିରେ ସାମିଲ ହେଉଥିବା ଚର୍ଚ୍ଚାର ଅବସାନ ଘଟାଇଛନ୍ତି ।

ଉଭୟ ଅର୍ଥବଳ, ଲୋକବଳ ଆଉ ସାଂଗଠନିକ ଦକ୍ଷତା ରହିଛି ନବ ଦାସଙ୍କ ନିକଟରେ । ତାଙ୍କର ଅନୁଗତ କିଛି ବିଧାୟକ ଆଉ ବିଧାୟକ ପ୍ରାର୍ଥୀ ମଧ୍ୟ ଅଛନ୍ତି, ଯେଉଁମାନେ ଖୁବଶୀଘ୍ର ଦଳ ଛାଡି ବିଜେଡି ଶିବିରରେ ସାମିଲ ହେବାକୁ ଯାଉଥିବା ସୂଚନା ମିଳୁଛି । ତେବେ ବଡ କଥା ହେଉଛି, ନବ ଦାସ ବିଜେଡିକୁ ଆସିଲେ, କିଶୋର ମହାନ୍ତିଙ୍କ ରାଜନୈତିକ ଭବିଷ୍ୟତ କଣ ହେବ?

୨୦୧୪ ନିର୍ବାଚନର ଠିକ ପୂର୍ବରୁ ଝାରସୁଗୁଡା ଜିଲ୍ଲାରେ କଂଗ୍ରେସର ଅନ୍ୟତମ ଟାଣୁଆ ନେତା ତଥା ବ୍ରଜରାଜନଗର ବିଧାୟକ ଅନୁପ ସାଏ ଓ ସେତେବେଳର ବିରୋଧୀ ଦଳ ନେତା ଭୂପିନ୍ଦର ସିଂ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଅନୁପ ବିଜେଡି ଟିକେଟରେ ଲଢି ପରାସ୍ତ ହୋଇଥିବା ବେଳେ ଭୂପିନ୍ଦରଙ୍କୁ ମିଳିଥିଲା ରାଜ୍ୟସଭା ଟିକେଟ । ଆଉ ଏବେ ନବ ଦାସ ବିଜେଡିରେ ସାମିଲ ହେବା ନେଇ ସଂକେତ ମିଳିବା ପରେ ୨୦୧୪ର ସେହି ଘଟଣାର ପୁଣି ପୁନରାବୃତ୍ତି ହେବାକୁ ଯାଉଛି ।

ଖାଲି ନବ ଦାସ ନୁହଁନ୍ତି, ପଶ୍ଚିମ ଓଡିଶାର ଆଉ କିଛି ବିଧାୟକ ମଧ୍ୟ ଖୁବଶୀଘ୍ର ବିଜେଡିରେ ସାମିଲ ହେବାକୁ ଯାଉଥିବା କୁହାଯାଉଛି । ଏଥିରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଥିବା ଚର୍ଚ୍ଚା ହେଉଛି । ଯଦି ଏହି ତମାମ ଚର୍ଚ୍ଚା ବାସ୍ତବତାର ରୂପ ନିଏ ତେବେ ପଶ୍ଚିମ ଓଡିଶାର ୩୦ ଆସନରେ ବିଜେଡିର ଦବଦବା ୨୦୧୯ରେ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି ।