୧୯ରେ ବଦଳିବେ କି ବିଜେଡିର ଦିଲ୍ଲୀ ସିପାହୀ? ୧୨ ସାଂସଦଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା, ନୂଆ ନା ପୁରୁଣା କାହାକୁ ସୁଯୋଗ ଦେବେ ବିଜେଡି ସୁପ୍ରିମୋ 

1,256

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ଏବେ ଗୋଟିଏ ଚର୍ଚ୍ଚା-କାହାକୁ ମିଳିବ ଏମପି ଟିକେଟ୍ । ଚର୍ଚ୍ଚା ହେଉଛି ୨୦୧୯ ନିର୍ବାଚନରେ ବିଜେଡି ଅଧାରୁ ଅଧିକ ସଂସଦୀୟ କ୍ଷେତ୍ରରେ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ଯାଉଛି । ଅର୍ଥାତ୍ ବର୍ତମାନ ବିଜେଡି ଟିକେଟରୁ ସାଂସଦ ବନିଥିବା ନେତାଙ୍କୁ ହୁଏତ ସାଂଗଠନିକ ଦାୟିତ୍ୱ କିମ୍ବା ବିଧାୟକ ଟିକେଟରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ । କୁହଯାଉଛି ବର୍ତମାନର ୧୨ ଜଣ ସାଂସଦଙ୍କ ବଦଳରେ ବିକଳ୍ପ ପ୍ରାର୍ଥୀ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିପାରନ୍ତି ।

naveen-patnaikତୃଣମୂଳସ୍ତରରେ ବିଜେଡିର ସାଂଗଠନିକ ଦ୍ୱାୟିତ୍ୱରେ ଥିବା ନେତା, ଜିଲ୍ଲା ସ୍ତରୀୟ ପର୍ଯ୍ୟବେକ୍ଷକ ଏବଂ ବିଜେଡିର ୫-୫ଟି ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଆଧାରରେ ଏଥର ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ବଛା ଯିବା ନେଇ ଦଳ ବିଚାର କରୁଛି । ଖାସକରି ବିଜୟୀ ସମ୍ଭାବନା ଓ ଲୋକପ୍ରିୟତା ଥିବା ନେତାଙ୍କୁ ଦଳ ଗୁରୁତ୍ୱ ଦେଉଛି ।

ଚର୍ଚ୍ଚା ହେଉଛି-

-ବିଜେଡି, ୧୨ଟି ସଂସଦୀୟ କ୍ଷେତ୍ରରେ ବିକଳ୍ପ ପ୍ରାର୍ଥୀଙ୍କୁ ଟିକେଟ୍ ଦେବାର ସମ୍ଭାବନା ରହଛି

– ପଶ୍ଚିମ ଓଡ଼ିଶାର ୩ଟି, ଦକ୍ଷିଣ ଓଡ଼ିଶାର ୪ଟି, ଉପକୂଳ ଓଡ଼ିଶାର ୩ଟି ଏବଂ ଉତର ଓଡ଼ିଶାର ୨ଟି ଲୋକସଭା ଆସନରେ ବିଜେଡି ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇପାରେ ।

ସିଧାଭାଷାରେ କହିଲେ ବର୍ତମାନ ବିଜେଡିରୁ ସାଂସଦ ଥିବା ନେତାଙ୍କ ବଦଳରେ ଅନ୍ୟ ନେତାଙ୍କୁ ସୁଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ନୂଆ ଚେହେରାଙ୍କୁ ନେଇ ୨୦୧୯ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରେ ବିଜେଡି । ତେବେ କାହିଁକି ପୁରୁଣା ବଦଳରେ ନୂଆ ଚେହେରାଙ୍କୁ ଟିକେଟ ଦେବାକୁ ଯୋଜନା ପ୍ରସ୍ତୁତ କରୁଛି ବିଜେଡି ।

– ତୃଣମୂଳସ୍ତରରେ ନେତାଙ୍କ ସାଙ୍ଗଠନିକ ଦାୟିତ୍ୱକୁ ଗୁରୁତ୍ୱ ଦେଉଛି ବିଜେଡି

– କିଛି ସାଂସଦଙ୍କୁ ବିଧାନସଭା ମୈଦାନକୁ ଓହ୍ଲାଇବାକୁ ଚାହୁଁଛି ଦଳ

– ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଉଥିବାରୁ ଅଧିକ ମହିଳା ସୁଯୋଗ ପାଇପାରନ୍ତି

– ବିଜେଡିରେ ସାମିଲ ହୋଇଥିବା ତୁଙ୍ଗ ନେତାଙ୍କ କଥା ବିଚାର କରିପାରେ ବିଜେଡି

ଏହି ସବୁ ଚର୍ଚ୍ଚା ଭିତରେ ଚୁଡାନ୍ତ ନିଷ୍ପତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରେ ରହିଛି । କାରଣ ବିଜେଡି ସୁପ୍ରିମୋ ଏଯାଏଁ କୌଣସି ନେତାଙ୍କୁ ଟିକେଟ  ମିଳିବା ନେଇ ସ୍ପଷ୍ଟ ସଂକେତ ଦେଇନାହାନ୍ତି । ତେଣୁ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କର ଟେନସନ ସେତିକି ବଢିବାରେ ଲାଗିଛି ।