ବିଜେଡିର ୩୭ ଜଣିଆ ଇସ୍ତାହାର କମିଟି । ବେଦପ୍ରକାଶଙ୍କୁ କମିଟିର ଅଧ୍ୟକ୍ଷ ଦାୟିତ୍ୱ, ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ।

175

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ଦଳରେ ଚାଲିଛି ମାନସ ମନ୍ଥନ । ଆଉ ଲୋକଙ୍କ ହୃଦୟ ଜିଣି ବିଜୟ ହାସଲ କରବାକୁ ବିଜେଡିର ରଣନୀତି । ତେଣୁ ୩୭ ଜଣିଆ ଇସ୍ତାହାର କମିଟି ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଇସ୍ତାହାର କମିଟିର ଅଧ୍ୟକ୍ଷ ହେଲେ ବେଦପ୍ରକାଶ ଅଗ୍ରୱାଲ । ସେହିପରି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, କସ୍ତୁରୀ ମହାପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ ଇସ୍ତାହାର କମିଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିଭଳି ଏହି ଇସ୍ତାହାର କମିଟିରେ ଭର୍ତ୍ତୁହରି ମହତାବ, ଅନଙ୍ଗଉଦୟ ସିଂହଦେଓ, ଅତନୁ ସବ୍ୟସାଚୀ, ଅଚ୍ୟୁତ ସାମନ୍ତ, ପଦ୍ମନାଭ ବେହେରା, ସଂଜୟ ଦାସବର୍ମା, ସୁଦାମ ମାରାଣ୍ଡି, ରମେଶ ମାଝୀ, ସୁବାସ ସିଂହଙ୍କ ଭଳି ୩୭ ଜଣ ସଦସ୍ୟ ସାମିଲ ରହିଛନ୍ତି । ତେବେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ତାରିଖ ଘୋଷଣା ପରେ ଏବେ ସୁପ୍ରମୋଙ୍କ ନଜର ରାଜ୍ୟର ସମସ୍ତ ଲୋକସଭା ଏବଂ ବିଧାନସଭା କ୍ଷେତ୍ର ଉପରେ ରହିଛି । କାରଣ ତୃଣମୂଳସ୍ତରରେ କିଭଳି ଦଳୀୟ କର୍ମୀ ଏବଂ ଜନତାଙ୍କ ସହ ସମ୍ମନ୍ୱୟ ରକ୍ଷା କରି ନିର୍ବାଚନୀ ବୈତରଣୀ ପାର ହେବେ ସେନେଇ ଇସ୍ତାହାର କମିଟି ଘୋଷଣା କରାଯାଇଛି ।

ଏପରିକି ବିଜେଡି କ୍ଷମତାକୁ ଆସିଲେ ଆଉ କେଉଁ କେଉଁ ଦିଗକୁ ଗୁରୁତ୍ୱ ଦେଇ ଅଧିକ ବିକାଶ କରିବ ସେନେଇ ଚିଠା ପ୍ରସ୍ତୁତ କରିବ ଏହି ଇସ୍ତାହାର କମିଟି । ଏହାସହ ବିଜେଡି ଶାସନ କାଳରେ ଦଳର ଉପଲବ୍ଧିକୁ ଜନତାଙ୍କ ପାଖରେ ପହଁଚାଇ ବିଜୟ ତିଳକ ପିନ୍ଧିବାକୁ ଇସ୍ତାହାର କମିଟି ଉପରେ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।