ଉଜ୍ଜ୍ୱଳା ଯୋଜନା ଏକ ମହାଦୁର୍ନୀତି, ଓଡ଼ିଶାର ମହିଳାଙ୍କ ପ୍ରତି ବିଶ୍ୱାସଘାତକତା ! ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କଲା ବିଜୁ ମହିଳା ଜନତା ଦଳ

49

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାକୁ ପୁଣି ଥରେ ଟାର୍ଗେଟ କରିଛି ବିଜେଡ଼ି । ଉଜ୍ଜଳା ଯୋଜନା ଏକ ମହାଦୁର୍ନୀତି ବୋଲି କହିଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାରଙ୍କ ବହୁ ପ୍ରସାରିତ ଏହି ଯୋଜନା ଓଡ଼ିଆ ମହିଳାଙ୍କ ପ୍ରତି ବିଶ୍ୱାସଘାତକ । ପେଟ୍ରୋଲ, ଡିଜେଲ ପରି ରନ୍ଧନ ଗ୍ୟାସ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଫଳରେ ଲୋକେ ଗ୍ୟାସ କିଣିବା ପାଇଁ ସକ୍ଷମ ହେଉନାହାନ୍ତି । ଏହି ଯୋଜନା ଗରିବ ମହିଳାଙ୍କ ଆଖି ପୋଛିବା ପାଇଁ ହୋଇଛି ବୋଲି ମୋଦି ଓ ମୋଦିଙ୍କ ମନ୍ତ୍ରୀମାନେ ବେଶ ପ୍ରଚାର ପ୍ରସାର କଲେ । ହେଲେ ଏହି ଯୋଜାନାର ବାସ୍ତବ ଚିତ୍ର କିନ୍ତୁ ପୁରାପୁରି ଭିନ୍ନ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଏବେ ଗରିବ ମହିଳାଙ୍କ ପାଇଁ ଜ୍ଜାଳାରେ ପରିଣତ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଫଳ ହୋଇଛି । କେନ୍ଦ୍ର ଏହି ଯୋଜନା ପାଇଁ ବାରମ୍ବାର ବାହାବା ନେବାପାଇଁ ଚେଷ୍ଟା କରୁଛି ହେଲେ ତାହା ଏବେ ବୁମେରାଂ ହୋଇଯାଇଛି ।

ସେପଟେ ଉଜ୍ଜଳା ଯୋଜନାର ସବସିଡ଼ି ଅର୍ଥ ଠିକ୍ ରୂପେ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ । ଏହି ଯୋଜନା ସଫଳ ହୋଇଛି ବୋଲି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ଏବେର ସ୍ଥିତିରୁ ଜଣାପଡ଼ୁଛି ଏହା ସମ୍ପୂର୍ଣ୍ଣ ମିଥ୍ୟା । ଏପରି ଯୋଜନା ପାଇଁ ସରକାର ଯେଉଁ ପ୍ରକାର ପଦକ୍ଷେପ ନେବା ଉଚିତ୍ ତାହା ସରକାର ନେଇନାହାନ୍ତି । କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ରନ୍ଧନ ଗ୍ୟାସ ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଯାହା ଓଡ଼ିଶାର ଗରିବ ମହିଳାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ମେ ୨୦୧୪ ରୁ ୨୦୧୭ ମଧ୍ୟରେ ଗୋଟିଏ ସିଲିଣ୍ଡର ପିଛା ଥିବା ଦର ୧୬ ପ୍ରତିଶତ ବୃଦ୍ଧିପାଇଛି । ବିଜୁ ମହିଳା ଜନତା ଦଳ ଅଭିଯୋଗ କରିଛି ୨୦୧୪ରୁ ଏପର୍ଯ୍ୟନ୍ତ ରନ୍ଧନ ଗ୍ୟାସ ମୂଲ୍ୟ ୨୨ ଥର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ବାରମ୍ବାର ରନ୍ଧନ ଗ୍ୟାସର ମୂଲ୍ୟ ବଢ଼ୁଥିବା ହେତୁ ରୋଷେଇ ଘର ବଜେଟ୍ ବଢ଼ୁଛି । ଗରିବ ମିହଳାଙ୍କ ପାଇଁ ହୋଇଥିବା ଯୋଜନା ଏବେ କିଛି କାମରେ ଆସୁନି । ବାରମ୍ବାର ଦର ବଢ଼ିଲେ ଆଗକୁ ଆହୁରି ଅସୁବିଧାର ସମ୍ମୁଖୀନ ହେବେ ଓଡ଼ିଶାର ମହିଳା । ଏହାବ୍ୟତୀ ଉଜ୍ଜଳା ଯୋଜନାରେ ଭୂତ ହିତାତାଧିକାରୀଙ୍କୁ ପଞ୍ଜିକୃତ କରାଇ କେନ୍ଦ୍ର ସରକାର ହରିଲୁଟ୍ ଚଳାଇଛନ୍ତି । ଆଉ ଦୁର୍ନୀତି ଧରାପଡ଼ିବା ପରେ ଅନିୟମିତତା ହୋଇଛି ବୋଲି ଆଇଓସିଏଲ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ।

ତେବେ ଏହାର ଅଧିକ ପ୍ରଭାବ ପଡ଼ୁଛି ଗରିବ ମହିଳାଙ୍କ ଉପରେ । ଗରିବ ମହିଳାଙ୍କ ଅଧିକାର କ୍ଷୁର୍ଣ୍ଣ ହେବା ସହ କେନ୍ଦ୍ର ସରକାର ନିଜ ପକେଟ୍ ଗରମ କରୁଛି ବୋଲି କହିଛି ବିଜୁ ମହିଳା ଜନତା ଦଳ । ଆଉ କେନ୍ଦ୍ରମନ୍ତ୍ରୀ ସବୁ ଜାଣିସୁଦ୍ଧା ନଜାଣିବା ପରି ବ୍ୟବହାର କରୁଛନ୍ତି । ଏହି ମହାଦୁର୍ନୀତିକୁ ସମର୍ଥନରୁ କରି ତୈଳ ମନ୍ତ୍ରାଳୟର ଅପରାଗତା ଓ ସ୍ଥାଣୁତା ସ୍ପଷ୍ଟ ବାରି ହୋଇପଡ଼ୁଛି । ତେବେ ଏପରି ବିଶ୍ୱାସଘାତକତାକୁ ଓଡ଼ିଶାର ମହିଳାମାନେ ବିଲକୁଲ ବରଦାସ୍ତ କରିବେ ନାହିଁ । ଆଗାମୀ ନିର୍ବାଚନରେ ତାହାର ଉଚିତ୍ ଜବାବ ଦେବେ ବୋଲି କହିଛି ବିଜୁ ମହିଳା ଜନତା ଦଳ ।