ମହେଶ୍ୱରଙ୍କ ବାଦ୍ ସବୁ ମନ୍ତ୍ରୀ ରଖିଲେ ବିଜେଡି ଟେକ, ପ୍ରଥମ ଥର ପାଇଁ ପୁରୀ ବିଧାନସଭାରେ ଫୁଟିଲା ‘ପଦ୍ମ’ ।

534

କନକ ବ୍ୟୁରୋ: ୧୯୯୫ ମସିହା ପରଠାରୁ ବିଜେଡିର ଗଡ଼ ରହିଥିବା ପୁରୀ ବିଧାନସଭା ଆସନକୁ ଭେଦିଲା ବିଜେପି । ପ୍ରଥମଥର ପାଇଁ ପୁରୀ ବିଧାନସଭାରେ ପଦ୍ମ ଫୁଟାଇଛି ବିଜେପି । ଆଉ ବିଜେଡି ୪ର୍ଥ ପାଳିରେ ଅଦଳବଦଳ ହୋଇଥିବା ମନ୍ତ୍ରିମଣ୍ଡଳ ପରେ ଯେଉଁମାନେ ଦାୟିତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ମନ୍ତ୍ରୀ ଏଥର ବାଜିମାତ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ପରାଜିତ ହୋଇଛନ୍ତି । ପୁରୀ ବିଧାନସଭା ଆସନରୁ ସେ ଲଗାତର ୫ ଥର ନିର୍ବାଚିତ ହୋଇଥିଲେ। ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ବୋଲାଉଥିବା ମହେଶ୍ୱର ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କ ଠାରୁ ପରାଜୟ ବରଣ କରିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ସେପଟେ କିନ୍ତୁ ୪ର୍ଥ ପାଳିର ମନ୍ତ୍ରିପଦ ସମ୍ଭାଳିଥିବା ନେତା ତଥା ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ଖଣି ଓ ଇସ୍ପାତ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ମାଝି, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ମନ୍ତ୍ରୀ ଉଷା ଦେବୀ ଏବଂ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ନିଜ ନିଜର ଗଡ଼ ବଜାୟ ରଖିଛନ୍ତି ।

ସବୁଠାରୁ ବଡ଼ କଥା ହେଲା କି, ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ରାଜନୀତି ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା କେତେକ ନବାଗତ ମଧ୍ୟ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଦୀର୍ଘ ସୟମ ଧରି ବିଜୁ ଜନତା ଦଳରେ ପରିବାର ଭାବେ ରହିଥିବା କିଛି ନେତା ରାଜନୀତିରୁ ଦୂରେଇ ରହିଥିବା କାରଣରୁ ତାଙ୍କ ପୁଅମାନେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରି ବାଜି ମାରିଛନ୍ତି ।

maheswar mohantyଚୌଦ୍ୱାର-କଟକ ଆସନରୁ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାନସଭା ଆସନରୁ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ, ପାରାଦୀପ ଆସନରୁ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଏବଂ ବାସୁଦେବପୁର ଆସନରୁ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କ ଭଳି ନବାଗତ ବାପାଙ୍କ ସମ୍ମାନ ରକ୍ଷା କରିଛନ୍ତି । ଆଉ ପ୍ରଥମ ଥର ପାଇଁ ବିଧାନସଭାକୁ ଏଣ୍ଟ୍ରି ମାରିବାକୁ ବସିଛନ୍ତି ।