କେନ୍ଦୁଝରରେ କମୁଛି ବିଜେଡିର ଦବଦବା ! ହାରିଲେ ବିଜେଡି ସମର୍ଥିତ ପ୍ରାର୍ଥୀ, ଜିତିଲା ସନା ସେନା ।

841

କନକ ବ୍ୟୁରୋ : କେନ୍ଦୁଝରରେ କମୁଛି ବିଜେଡିର ଦବଦବା । ସମିତି ସଭ୍ୟ ଉପନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି । ସନା ସେନା ପ୍ରାର୍ଥୀଙ୍କ ଆଗରେ ବଦ୍ରିଙ୍କ ବିଜେଡି ସମର୍ଥିତ ପ୍ରାର୍ଥୀ ହାରିଯାଇଛନ୍ତି । ଯାହାକୁ ବଦ୍ରିଙ୍କ ନିର୍ବାଚନ ମଣ୍ଡଳୀରେ ନେତୃତ୍ୱକୁ ନେଇ ପ୍ରଶ୍ନ ଠିଆ କରିଛି । ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଫଳାଫଳକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବଦ୍ରିଙ୍କ ଗଡରେ ସନାଙ୍କ ରାଜ୍ । ହାରିଲେ ବିଜେଡି ସମର୍ଥିତ ପ୍ରାର୍ଥୀ, ଜିତିଲା ସନା ସେନା । କେନ୍ଦୁଝର ଘଷିପୁରା ନିର୍ବାଚନ ମଣ୍ଡଳୀରେ ବଦଳୁଛି ରାଜନୈତିକ ସମୀକରଣ । ଘଷିପୁରାର ମୁକ୍ତାପୁର ସମିତି ସଭ୍ୟ ଉପ ନିର୍ବାଚନରେ ସନା ମହାକୁଡଙ୍କ ଜନ ସମୃଦ୍ଧ ପାର୍ଟି ସମର୍ଥିତ ନେତ୍ରୀ ସନ୍ଧ୍ୟାରାଣୀ ନାୟକ ବିଜୟୀ ହୋଇଛନ୍ତି । ବିଜେଡି ସମର୍ଥିତ ପ୍ରାର୍ଥୀ ଭାସ୍କର ନାୟକଙ୍କୁ ୪୫୯ଭୋଟ ବ୍ୟବଧାନରେ ହରାଇଛନ୍ତି । ଯାହାଙ୍କ ସପକ୍ଷରେ ପ୍ରଚାର ଚଳାଇଥିଲେ ବଦ୍ରି ।

ପ୍ରଶ୍ନ ଉଠୁଛି ବଦ୍ରିଙ୍କ ଗଡ କୁହାଯାଉଥିବା ଘଷିପୁରାରେ ଏମିତି କଣ ହେଲା ଯେ ସବୁ ଗଣିତ ଓଲଟ ପାଲଟ ହୋଇଗଲା । କାହିଁକି ବିଜେଡି ହାରିଲା ଏବେ ସେନେଇ ଆରମ୍ଭ ହୋଇଯାଇଛି ତର୍ଜମା । ଗତ ପଂଚାୟତ ନିର୍ବାଚନରେ ମୁକ୍ତାପୁରରେ ବିଜେଡି ସମର୍ଥିତ ପ୍ରାର୍ଥୀ ୯୦୦ ଭୋଟରେ ଜିତିଥିଲେ । ହେଲେ ଉପ ନିର୍ବାଚନରେ ବଦ୍ରିଙ୍କ ଗୋଟି ଚାଳନା ଫେଲ ମାରିଲା ।

ଚର୍ଚ୍ଚା ହେଉଛି ଦିନକୁ ଦିନ ବଦ୍ରି ପାତ୍ରଙ୍କ ନିର୍ବାଚନ ମଣ୍ଡଳୀ ଘଷିପୁରାରେ ତାଙ୍କର ଲୋକପ୍ରିୟତା କମି କମି ଯାଉଛି । ରାଜରାସ୍ତାରେ ବଦ୍ରି ପାତ୍ରଙ୍କ ପୁଅ କରିଥିବା ଗୁଣ୍ଡାଗିରିକୁ ଏଥିପାଇଁ ଦାୟୀ କରାଯାଉଛି । ଯାହାକି ବିଜେଡି ପ୍ରାର୍ଥୀ ହାରିବାର ଏକ ପ୍ରମୁଖ କାରଣ ବୋଲି ଆଶଙ୍କା କରାଯାଉଛି । ସେହିପରି ହରିଚନ୍ଦନପୁର ମନହରପୁର ପଂଚାୟତରେ କାଦୁଅଡିହା ୧୧ ନମ୍ବର ୱାର୍ଡ ମେମ୍ବର ନିର୍ବାଚନରେ ମଧ୍ୟ ସନା ସେନା ସମର୍ଥିତ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ ବିଜେଡି ସମର୍ଥିତ ପ୍ରାର୍ଥୀ ରାମଚନ୍ଦ୍ର ମହାନ୍ତିଙ୍କୁ ହରାଇଛନ୍ତି । କେନ୍ଦୁଝରରେ ବିଜେଡିର ଦବଦବା କମିବାରେ ଲାଗିଛି ।