ମହିଳା ବିଲ୍ ପାଇଁ ସମର୍ଥନ ହାତେଇବାକୁ ନବୀନଙ୍କ ବଡ ଉଦ୍ୟମ । ୨୨ ରାଜନୈତିକ ଦଳକୁ ଭେଟିବେ ବିଜେଡି ପ୍ରତିନିଧି

176

କନକ ବ୍ୟୁରୋ : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ଅଣ୍ଟା ଭିଡିଛି ବିଜେଡି । ମହିଳା ବିଲ୍ ପାସ ପାଇଁ ସମର୍ଥନ ଉଦ୍ୟମ ଆରମ୍ଭ କରିଛି ବିଜେଡି । ଏନେଇ ଏକ କମିଟି ଗଠନ କରିଛି ବିଜେଡି । ଏହି କମିଟିରେ ବିଜେଡିର ବିଧାୟକ,ସାଂସଦ ଓ ମନ୍ତ୍ରୀ ରହିଛନ୍ତି । ଯେଉଁମାନେ ଦେଶର ୨୨ଟି ରାଜନୈତିକ ଦଳକୁ ଭେଟି ମହିଳା ବିଲ୍ ପାସ୍ କରିବା ପାଇଁ ସମର୍ଥନ ଲୋଡିବେ । ୧୫ଟି ଆଞ୍ଚଳିକ ଦଳ ଓ ୭ଟି ଜାତୀୟ ଦଳର ସମର୍ଥନ ପାଇଁ ଏଭଳି ଉଦ୍ୟମ ଆରମ୍ଭ କରିଛି ବିଜେଡି ।


ମହିଳା ବିଲ୍ ପାସ ପାଇଁ ସମର୍ଥନ କରିବାକୁ ଦେଶର ୭ଟି ଜାତୀୟ ରାଜନୈତିକ ଦଳକୁ ବିଜେଡିର କେଉଁ ନେତା ଭେଟିବେ ସେନେଇ ଏକ ତାଲିକା ମଧ୍ୟ ପ୍ରକାଶ କରିଛି ଦଳ । କେନ୍ଦ୍ରରେ ସରକାରରେ ଥିବା ବିଜେପିର ସମର୍ଥନ ପାଇଁ ଚାରି ଜଣିଆ ପ୍ରତିନିଧି ମଣ୍ଡଳୀ ଗଠନ କରିଛି ବିଜେଡି । ଏହି ପ୍ରତିନିଧି ମଣ୍ଡଳୀରେ ୩ ଜଣ ସାଂସଦ ଥିବା ବେଳେ ଜଣେ ବିଧାୟକ ରହିଛନ୍ତି । ବିଜେପି ନେତୃବୃନ୍ଦଙ୍କୁ ଭେଟିବାକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ସରୋଜିନୀ ହେମ୍ରମ୍ବ ଓ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ କରାଯାଇଛି । ସେହିଭଳି କଂଗ୍ରେସ ନେତୃତ୍ୱଙ୍କୁ ଭେଟିବାକୁ ମଧ୍ୟ ୩ ଜଣ ସାଂସଦ ଓ ଜଣେ ବିଧାୟକଙ୍କକୁ ନେଇ ପ୍ରତିନିଧି ମଣ୍ଡଳୀ ଗଠନ କରାଯାଇଛି । ଯେଉଁଥିରେ ସାଂସଦ ତଥାଗତ ଶତପଥୀ, ସାଂସଦ ପିନାକୀ ମିଶ୍ର , ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ରହିଛନ୍ତି । ତୃଣମୂଳ କଂଗ୍ରେସ ଦଳକୁ ବିଜେଡିର ୩ ଜଣିଆ ପ୍ରତିନିଧି ମଣ୍ଡଳୀ ଭେଟିବେ । ଯେଉଁମାନଙ୍କ ମଧ୍ୟରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ଅନନ୍ତ ଦାସ ଓ ଅରବିନ୍ଦ ଢାଲି ରହିଛନ୍ତି ।

ଅନ୍ୟପଟେ ୧୫ଟି ଆଞ୍ଚଳିକ ଦଳ ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରତିନିଧି ମଣ୍ଡଳୀ ଗଠନ କରିଛି ବିଜେଡି । ତେଲୁଗୁ ଦେଶମ ପାର୍ଟିର ନେତୃବୃନ୍ଦଙ୍କୁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସାଂସଦ ଏନ୍, ଭାସ୍କର ରାଓ ଭେଟିବ ସମର୍ଥନ ପାଇଁ ଆଲୋଚନା କରିବାକୁ ଥିବା ବେଳେ ଶିବସେନାର ସମର୍ଥନ ପାଇଁ ଅରୂପ ପଟ୍ଟନାୟକ ଓ ବଳଭଦ୍ର ମାଝୀ ଉଦ୍ଧବ ଠାକରେଙ୍କୁ ଭେଟିବେ । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗତକାଲି ଚିଠି ଲେଖିଥିଲେ ନବୀନ । ଚିଠିରେ ନବୀନ ଦର୍ଶାଇଥିଲେ ଯେ, ଓଡ଼ିଶା ବିଧାନସଭାରେ ଏ ନେଇ ସର୍ବସମ୍ମତିରେ ସଂକଳ୍ପ ପାରିତ ହୋଇଛି । ସଶକ୍ତ ମହିଳା, ସଶକ୍ତ ଦେଶ କହିବା ସହ ସବୋର୍ଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥାରେ ମହିଳାଙ୍କ ଭୂମିକା ରହିଲେ ଦେଶର ପ୍ରଗତି ତ୍ୱରାନ୍ୱିତ ହୋଇପାରିବ ବୋଲି କହିଛନ୍ତି ନବୀନ । ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ ମହିଳାଙ୍କ ହାତରେ କ୍ଷମତା ଦେବା ପାଇଁ ୧୯୯୦ ଦଶକରେ ପଂଚାୟତ ଓ ପୌର ପାଳିକାରେ ଏକ-ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ବିଜୁ ପଟ୍ଟନାୟକ । ୨୦୧୧ରେ ଓଡ଼ିଶା ସରକାର ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।