ଚିଲିକାରୁ ବିମାନ ଉଡିବା ନେଇ ଆଶଙ୍କା ! ସି-ପ୍ଲେନ୍ ଅବତରଣକୁ ବିଜେଡି ନେତାଙ୍କ ବିରୋଧ, କହିଲେ, ୱାଟର ଏରୋଡ୍ରମ ନିର୍ମାଣ ହେଲେ ପ୍ରଭାବିତ ହେବ ଜୈବ ବିବିଧତା ।

50

କନକ ନ୍ୟୁଜ : ଚିଲିକାରେ ସି ପ୍ଲେନ୍ ଅବତରଣକୁ ବିରୋଧ କରିଛନ୍ତି ସ୍ଥାନୀୟ ବିଜେଡି ନେତା । ଚିଲିକାରେ ୱାଟର ଏରୋଡ୍ରମ୍ ନିର୍ମାଣ ହେଲେ ଜୈବ ବିବିଧତା ପ୍ରଭାବିତ ହେବ ବୋଲି କହିଛନ୍ତି, ବିଜେଡି ନେତା ସଂଜୟ ଦାସବର୍ମା । ଆଉ ସଂଜୟ ଦାସବର୍ମାଙ୍କ ବୟାନ ସହ ତାଳ ଦେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ଆମର ଉଡାଜାହାଜ ଉଡିବା ଦରକାର ନାହିଁ । ଏପଟେ ବିଜେଡିର ଏଭଳି ଆଭିମୁଖ୍ୟକୁ କଡ଼ା ଭାଷାରେ ସମାଲେଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଯୁବ ପୀଢ଼ିଙ୍କ ରୋଜଗାରକୁ ପ୍ରଭାବିତ କରିବ ଏଭଳି ନିଷ୍ପତି ।

ଚିଲିକା ଜଳରେ ଓହ୍ଲାଇବ ତ ବିମାନ ? ଜଳକୁ ସଂଯୋଗ କରିବ ତ ଆକାଶ ପଥ ? ବର୍ତ୍ତମାନ ଏଭଳି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ୍, କାରଣ ଚିଲିକାରେ ସି-ପ୍ଲେନ୍ ସଂଯୋଗ ନେଇ ଯେଉଁ ପ୍ରସ୍ତାବ ଆସିଥିଲା, ତାକୁ ବିିରୋଧ କରିଛନ୍ତି ବିଜେଡିର ସ୍ଥାନୀୟ ନେତା । କୁହାଯାଇଛି ଏହି ପ୍ରକଳ୍ପ ଚିଲିକାର ଜୈବବିବିଧତାକୁ ପ୍ରଭାବିତ କରିବ ।

ଚିଲିକାକୁ ଆକାଶ ପଥ ସହ ଯୋଡ଼ିବା, ଏଇଥି ପାଇଁ ଗୁରୁତ୍ୱ ରଖୁଛି କାରଣ, ଏହା ସହ ଯୋଡ଼ି ହୋଇ ରହିଛି, ପର୍ଯ୍ୟଟନର ବିକାଶ ଏବଂ ନିଯୁକ୍ତି ସଂଭାବନା ଭଳି ପ୍ରସଙ୍ଗ । ଅନ୍ୟପଟେ ଶାସକ ଦଳ ଉଠାଇଥିବା ପ୍ରସଙ୍ଗ ଗୁଡିକୁ ମଧ୍ୟ ଅଣଦେଖା କରାଯାଇନପାରେ । କାରଣ ପରିବେଶ ସନ୍ତୁଳନ ସହ ଜଡ଼ିତ ଜୈବବିବିଧତା । ଏହା ବ୍ୟତୀତ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ନିର୍ଭର କରୁଛି ଚିଲିକା ଉପରେ । ଶାସକ ଦଳ ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ଦ୍ୱାରା ୨ଲକ୍ଷ ମତ୍ସ୍ୟଜୀବୀ ପରିବାର, ବିଦେଶାଗତ ପକ୍ଷୀ ଏବଂ ଶହ ଶହ ପ୍ରଜାତିର ପକ୍ଷୀ  ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଏଠି ପ୍ରଶ୍ନ ଉଠୁଛି, ବିଜେଡି ନେତା ଦେଉଥିବା ବୟାନ ବିଶେଷଜ୍ଞଙ୍କ ମତ ଆଧାରରେ ପର୍ଯ୍ୟବେଷିତ ନା’ ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ରହିଛି । ଯଦି ଚିଲିକାରେ ହେଉଥିବା ସି-ପ୍ଲେନ୍ ପ୍ରକଳ୍ପକୁ ବିରୋଧ କରାଯାଏ ତେବେ ହୀରାକୁଦ ଏବଂ ଚାନ୍ଦିପୁର ପ୍ରକଳ୍ପର ଭାଗ୍ୟ କ’ଣ ହେବ । ଏପଟେ ବିଜେଡିର ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, କେବଳ ବିରୋଧ କରିବା ବାହାନାରେ ବିରୋଧ କରାନଯାଉ ।

ବିରୋଧ ଏବଂ ସମର୍ଥନର ଏହି ବୟାନବାଜି ଭିତରେ କିନ୍ତୁ ପୂର୍ବରୁ ଚିଲିକା, ହୀରାକୁଦ ଏବଂ ଚାନ୍ଦିପୁରକୁ ସି-ପ୍ଲେନ୍ ଚଳାଇବା ପାଇଁ ସ୍ୱାଇସ୍ ଜେଟ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁମତି ମଗାଯାଇଥିଲା । ଆଉ ସେତେବେଳେ ଏହି ପ୍ରକଳ୍ପକୁ ନେଇ ଯେଉଁ ଭଳି ତତ୍ପରତା ପ୍ରକାଶ ପାଉଥିଲା, ଏବେ ଠିକ୍ ତା’ର ଓଲଟା ପରିଣାମ ଦେଖିବାକୁ ମିଳୁଛି ।