ପାଖଉଛି ନିର୍ବାଚନ, ବଢୁଛି ଉତ୍କଣ୍ଠା ! ଟିକେଟ୍ ପାଇଁ ନବୀନ ନିବାସରେ ଜମୁଛି ନେତାଙ୍କ ଭିଡ, ଖୁବ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀ ତାଲିକା ।

119

କନକ ବ୍ୟୁରୋ : ଟିକେଟ୍ ପାଇଁ ତିନି ଦିନ ହେଲା ନବୀନ ନିବାସରେ ଜମୁଛି ନେତାଙ୍କ ଭିଡ । ବାୟୋଡାଟା ଦେଖାଇ, ସୁପ୍ରିମୋଙ୍କ ପାଖରେ ନେତା କରୁଛନ୍ତି ଟିକେଟ୍ ଲବି । ବରିଷ୍ଠ ନେତା ବି ପୁଣି ଟିକେଟ୍ ପାଇଁ ଆଶାୟୀ ଥିବା କହୁଛନ୍ତି । ସେପଟେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ନେଇ ସୁପ୍ରିମୋ ଘୋଷଣା କରିବା ପରେ ନବୀନ ନିବାସରେ ବଢି ଚାଲିଛି ମହିଳା ଆଶାୟୀଙ୍କ ଭିଡ । ଆଜି ସକାଳୁ ସକାଳୁ ପୁଣି ବିଜେଡି ସୁପ୍ରିମୋଙ୍କ ନିବାସରେ ନେତାଙ୍କ ଭିଡ ଲାଗିଥିବା ଦେଖାଯାଇଛି ।

ନିର୍ବାଚନ ଯେତିକି ପାଖଉଛି, ଉତ୍କଣ୍ଠା ସେତେ ବଢି ବଢି ଚାଲିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ ତାରିଖରୁ ଆରମ୍ଭ ହୋଇଯିବ ପ୍ରାର୍ଥିପତ୍ର ଦାଖଲ । ଏହା ପୂର୍ବରୁ ଟିକେଟ୍ ପାଇଁ ନବୀନ ନିବାସକୁ ଛୁଟୁଛନ୍ତି ନେତା । ତେବେ ଖୁବ ଶିଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏଥର ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ନେଇ ନବୀନ ଘୋଷଣା କରିବା ପରେ ମହିଳା ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଶହ ଶହ ମହିଳା ପ୍ରାର୍ଥୀ ପହଁଚୁଛନ୍ତି ଟିକେଟ୍ ଆଶା ନେଇ । କିଏ ହେବେ ବିଜେଡିର ୭ଜଣ ମହିଳା ପ୍ରାର୍ଥୀ, ଏନେଇ ବିଜେଡି ଶିବିରରେ ଅଙ୍କ କଷା ଚାଲିଥିବା ବେଳେ , ବଢି ଚାଲିଛି ଆଶାୟୀଙ୍କ ତାଲିକା ।