ଆଜିଠୁ ବିଜେଡିର ଜନ ସଂପର୍କ ପଦଯାତ୍ରା: ମାସେ ଧରି ଚାଲିବ କାର୍ଯ୍ୟକ୍ରମ, ସେପଟେ କୁଶଭଦ୍ରା ନଦୀରେ ମହାତ୍ମାଗାନ୍ଧୀ ସେତୁର ହେଲା ଉଦଘାଟନ

63

କନକ ବ୍ୟୁରୋ: ଗାନ୍ଧୀ ଜୟନ୍ତୀରେ ଆଜିଠୁ ବିଜେଡିର ଜନ ସଂପର୍କ ପଦଯାତ୍ରା । ଏକ ମାସ ଧରି ଏହି ପଦଯାତ୍ରା ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ୱାର୍ଡ ଅନ୍ତର୍ଗତ ଝରଣା ସାହି ବସ୍ତିରୁ ଏହି ପଦଯାତ୍ର ଶୁଭାରମ୍ଭ କରାଯାଇଛି । ସାରା ରାଜ୍ୟରେ ଏଭଳି ପଦଯାତ୍ରା ଚାଲିବ । ବିଜେଡି କର୍ମକର୍ତାମାନେ ପ୍ରତି ୱାର୍ଡକୁ ଯାଇ ଲୋକଙ୍କ ପାଖରେ ପହଚିଂବେ ।

ପଦଯାତ୍ରା ସମୟରେ ଦଳୀୟ କର୍ମୀମାନେ ରାଜ୍ୟସରକାରଙ୍କ ବିଭନ୍ନ ଜନହିତକର କାର୍ଯ୍ୟକ୍ରମ ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁୂରକ୍ଷା ଯୋଜନା, ମହିଳା, କୃଷକ ଓ ଛାତ୍ରଙ୍କ ପାଇଁ ୧ ପ୍ରତିଶତ ସୁଧରେ ଋଣ ବ୍ୟବସ୍ଥା, ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ,ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଓ ସଂପତି ଅଧିକାର, ମିଶନ ଶକ୍ତି ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ ।

ରାଜ୍ୟ ବ୍ୟାପୀ ପାଳିତ ହେଉଛି ୧୫୦ ତମ ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ଆଜି ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଅନ୍ତା ସ୍ଥିତ ଗାନ୍ଧୀ ସ୍ମୃତୀ ପୀଠରେ ଗାନ୍ଧୀ ଜ୍ୟୋତି ଯାତ୍ରାର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାନ୍ଧୀଜିଙ୍କ ଆଦର୍ଶ ଓ ବିଚାରଧାରା ପ୍ରସାର ପାଇଁ ଆଗାମୀ ୨ ବର୍ଷ ଧରି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବ । ମହାତ୍ମାଗାନ୍ଧୀଙ୍କ ସ୍ମୃତିରେ କୁଶଭଦ୍ରା ନଦୀରେ ମହାତ୍ମାଗାନ୍ଧୀ ସେତୁର ମଧ୍ୟ ନବୀନ ଉଦଘାଟନ କରିଛନ୍ତି । ସେପଟେ ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳୀ ଦେଇଛନ୍ତି ।