ବିଜେଡି ୱାର୍ ରୁମରେ ନୂଆ ଅସ୍ତ୍ର । ଫେସବୁକ ମାଧ୍ୟମରେ ନେତାଙ୍କ ଉପରେ ନଜର ।

104

ବିଜେଡି ନେତାଙ୍କ ଉପରେ ଏବେ ରହିଛି ଫେସବୁକର ନଜର । ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ପଦଯାତ୍ରା ଉପରେ ଫେସବୁକ ମାଧ୍ୟମରେ ନଜର ରଖାଯାଉଛି । କେଉଁ ବିଧାୟକ କଣ କରୁଛନ୍ତି, ପଦଯାତ୍ରାରେ କେତେ ଲୋକ ହେଉଛନ୍ତି, ଲୋକଙ୍କ ସହ କିଏ ଭଲ ସଂପର୍କରେ ରହିଛି, ଏସବୁ ଉପରେ ରାଜଧାନୀରେ ଥିବା ବିଜେଡିର ୱାର ରୁମରୁ ନଜର ରଖାଯାଉଛି ।

padayatraଶୁଣିବାକୁ ମିଳୁଛି, ନିକଟରେ ବିଜେଡିରେ ସାମିଲ ହୋଇଥିବା ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ବ୍ରେନ୍ ଏହା ପଛରେ କାମ କରିଛି । ତାଙ୍କରି ନିର୍ଦ୍ଦେଶରେ ଜିଲ୍ଲା ସ୍ତରରେ ଖୋଲାଯାଇଛି ବିଜେଡିର ଫେସବୁକ ପେଜ୍ । ନିର୍ଦ୍ଦେଶ ରହିଛି, ଦଳର ସମସ୍ତ ପଦଯାତ୍ରା କାର୍ଯ୍ୟକ୍ରମକୁ ଏହି ଫେସବୁକ ପେଜ୍ ମାଧ୍ୟମରେ ଲାଇଭ୍ କରାଇବା ପାଇଁ । ଆଉ ରାଜଧାନୀରେ ବସି ବିଜେଡିର ଥିଙ୍କ ଟ୍ୟାଙ୍କ ଏହାକୁ ଅନୁଶୀଳନ କରୁଛନ୍ତି ।

ଏହା ପଛରେ ଦୁଇଟି ଉଦ୍ଦେଶ୍ୟ ରହିଥିବା ଚର୍ଚ୍ଚା ହେଉଛି । ପ୍ରଥମତଃ ପଦଯାତ୍ରାକୁ ନେଇ ଆଉ ଭୂଲ ରିପୋର୍ଟ ଆସିପାରିବ ନାହିଁ, ସ୍ଥାନୀୟ କନ୍ଦଳ ଉପରେ ନଜର ରଖାଯାଇ ପାରିବ ଏବଂ ଦ୍ୱିତୀୟତଃ ବିଧାୟକଙ୍କ ଲୋକପ୍ରିୟତା ଆଉ ପଦଯାତ୍ରାରେ କେତେ ଲୋକ ସାମିଲ ହେଉଛନ୍ତି ସେବାବଦରେ ଜାଣିବାକୁ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇନପାରେ ।

ବିଜେଡିର ଏହି ସୋସିଆଲ ମିଡିଆ ଅଧିକାରୀ ଦାୟିତ୍ୱ ନେବା ପରେ ଦଳକୁ ସୋସିଆଲ ମିଡିଆରେ ଅଧିକ କ୍ରିୟାଶୀଳ କରାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । କିଭଳି ଜିଲ୍ଲା ସ୍ତରରେ ହେଉଥିବା କାର୍ଯ୍ୟକ୍ରମକୁ ଭୁବନେଶ୍ୱରରେ ବସି ଅନୁଧ୍ୟାନ କରାଯାଇ ପାରିବ, ସେନେଇ ମଧ୍ୟ ବାଟ ବାହାର କରାଯାଇଛି ।

୨୦୧୯ରେ ବିଜେଡିରେ କିଏ ଟିକେଟ ପାଇବ, ତାକୁ ନେଇ ସବୁଠାରୁ ବଡ ଚର୍ଚ୍ଚା ଚାଲିଥିବା ବେଳେ ଲୋକପ୍ରିୟତା ସବୁଠାରୁ ବଡ ମାପକାଠି ହେବାକୁ ଯାଉଛି । ତେଣୁ ପଦଯାତ୍ରା ସମୟରେ ସଠିକ ଚିତ୍ର ହାସଲ କରିବାକୁ ହେଉଥିବା ଏହି ଉଦ୍ୟମ ଦର୍ଶାଉଛି, ୨୦୧୯ ନିର୍ବାଚନକୁ ବିଜେଡି ହାଇଟେକ ଉପାୟରେ ମଧ୍ୟ ଲଢିବାକୁ ଯୋଜନା କରୁଛି ।