ବିଜେଡି ଟିକେଟ ପାଇଁ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ! ବାଲିକୁଦା ବିଧାୟକଙ୍କୁ ଲୁଟେରା, ଭଷ୍ଟ୍ରାଚାରୀର ଟ୍ୟାଗ୍ ଦେଲେ ଦଳୀୟ ନେତା, ପ୍ରଶାନ୍ତ କହିଲେ, ବୟସାଧିକ କାରଣରୁ ଏଭଳି କହୁଛନ୍ତି ଉମେଶ

312

କନକ ବ୍ୟୁରୋ : ନିର୍ବାଚନ ଘୋଷଣା ତାରିଖ ପାଖେଇ ଆସିବା ସହ ଟିକେଟ ଆଶାୟୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି । ପରସ୍ପରର ଦୋଷ ବାହାର କରିବା ସହ କଭଳି ଦଳୀୟ ଟିକେଟ ହାସଲ କରିହେବ ସେନେଇ ଆଶାୟୀ ପ୍ରାର୍ଥୀ କରୁଛନ୍ତି ରଣନୀତି । ଖାସକରି ବିଜେଡି ଟିକେଟ ହାତେଇବା ପାଇଁ ଅନେକ ଆଶାୟୀ ଥିବା ବେଳେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ଟିକେଟ ପାଇଁ ମୁହାଁମୁହିଁ ଦୁଇ ବିଜେଡି ନେତା । ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବିଜେଡି ନେତା ଉମେଶ ସ୍ୱାଇଁଙ୍କ ମଧ୍ୟରେ ଟିକେଟ ପାଇଁ ଶୀତଳଯୁଦ୍ଧ ଆରମ୍ଭ ହୋଇଛି । ଦୁଇ ନେତା ନିର୍ବାଚନ ପୂର୍ବରୁ ପରସ୍ପରକୁ ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବାକୁ ପଛାଇ ନାହାନ୍ତି ।

କଂଗ୍ରେସ ଶିବିର ଛାଡି ବିଜେଡିରେ ଏଣ୍ଟ୍ରି ମାରିଥିବା ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ ଦଳୀୟ ଟିକେଟ ପାଇଁ ଆଶାବାଦୀ ଥିବା ବେଳେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ପ୍ରଶାନ୍ତଙ୍କୁ ଲୁଟେରା, ଦୁର୍ନୀତିଗ୍ରସ୍ତ ଓ ଭଷ୍ଟ୍ରାଚାରୀ କହିବାକୁ ପଛାଇ ନାହାନ୍ତି ଉମେଶ । ଏପରିକି ସେ ଏଥର ନିଶ୍ଚିତ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ନବୀନ ବାବୁଙ୍କ ଉପରେ ବିଶ୍ୱାସ ଅଛି ଓ ବିଜେଡି ମୋତେ ଟିକେଟ ଦେବାକୁ ବାଧ୍ୟ । ଯଦି ଏଭଳି ନ ହୁଏ ତେବେ ମଧ୍ୟ ଲଢିବି ବୋଲି କହିଛନ୍ତି ଉମେଶ । ଲୋକ ମୋତେ ସେଠାରେ ଭୋଟ ଦେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଉମେଶ ।

ପ୍ରଶାନ୍ତ ଏଠାରେ ଟିକେଟ ପାଇଲେ ହାରିବେ ବୋଲି ଦଳକୁ ସର୍ତକ କରାଇଛନ୍ତି ଉମେଶ । ତେବେ ବୟସାଧିକ କାରଣରୁ ତାଙ୍କୁ ଟିକେଟ ମିଳିବ କି ନାହିଁ ପ୍ରଶ୍ନରେ ଉମେଶ କହିଛନ୍ତି, ମୋତେ ମାତ୍ର ୭୨ ବର୍ଷ ବୟସ । ଏହି ବୟସରେ ରାଜନୀତି ଆରମ୍ଭ କରିବା କଥା । ତେବେ ପ୍ରଶାନ୍ତଙ୍କୁ ଲୁଟେରା, ଭଷ୍ଟ୍ରାଚାରୀର ଆଖ୍ୟା ଦେବା ପରେ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ଉମେଶ ।

ଉମେଶଙ୍କ ଆକ୍ରମଣର ପ୍ରତିଜବାବ ଦେବାକୁ ଯାଇ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ୩୦ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ସ୍ୱଚ୍ଛତା ଓ ଶୃଙ୍ଖଳା ହେଉଛି ମୋର ସମ୍ପତି । ଏଥିପାଇଁ ଲୋକମାନେ ମୋତେ ଆର୍ଶୀବାଦ କରିବା ସହ କ୍ଷମତାରେ ବାରମ୍ବାର ବସାଉଛନ୍ତି । ଏହାଛଡା ଉମେଶ ବାବୁ ନିକଟରେ ବିଜେଡିରେ ଯୋଗ ଦେଇଛନ୍ତି । ବୟାସାଧିକ କାରଣରୁ ଉମେଶ ବାବୁ ଏଭଳି କହୁଛନ୍ତି । ଏହା ତାଙ୍କର ବୟସ ଦୋଷ । ଏଭଳି କହି ଉମେଶଙ୍କୁ କଟାକ୍ଷ କରିଛନ୍ତି ପ୍ରଶାନ୍ତ । ତେବେ ଏଭଳି ତୁ ତୁ ମେଁ ମେଁ ଭିତରେ ଏରସମା-ବାଲିକୁଦା ଆସନରେ ଏଥର କିଏ ବିଜେଡି ଟିକେଟ ପାଇବ ତାହା ଉପରେ ସମସ୍ତଙ୍କର ନଜର ରହିବ ।