କନକ ବ୍ୟୁରୋ : ଚଳନ୍ତା ବସରେ ଗୁଳିମାଡ । ଆଉ ଦୁର୍ବୃତ୍ତଙ୍କ ଏହି ଗୁଳିମାଡରେ ପ୍ରାଣ ହରାଇଛନ୍ତି ବସ୍ ମାଲିକ । ଆସ୍କା କରଂଜେଇ ଛକରେ ବସ୍ ଭିତରେ ଏହି ଗୁଳିମାଡ ହୋଇଛି । ବ୍ରହ୍ମପୁରରୁ ଆସ୍କା ଯିବାବେଳେ ବସ୍ ଭିତରେ ମାଲିକଙ୍କୁ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ବସ୍ ମାଲିକ ପ୍ରତାପ ଚନ୍ଦ୍ର ପଲାଇଙ୍କ ମୁଣ୍ଡ, କାନ୍ଧରେ ଏକାଧିକ ଗୁଳି ବାଜିଥିଲା । ଗୁରୁତର ବସ୍ ମାଲିକଙ୍କୁ ସଙ୍ଗେ ସଙ୍ଗେ ଆସ୍କା ହସପିଟାଲ ଅଣାଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ହସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିକାଣ୍ଡ ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରୁଛି ପୋଲିସ । ବସ୍ ମାଲିକ ପ୍ରତାପ ପଲାଇଙ୍କ ପତ୍ନୀ, ଆସ୍କାର ଜଣେ ବିଜେଡି କାଉନସିଲର । ତେଣୁ ଗୁଳିକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ରହିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି ।