ନବୀନ ନିବାସରୁ ବାହାରିବା ପରେ ନେତା ଦେଖାଇଲେ ଦମ୍ଭ! କହିଲେ, ଟିକେଟ ପାଇଁ ସୁପ୍ରିମୋ ଦେଇଛନ୍ତି ଗ୍ରୀନ୍ ସିଗନାଲ

701

କନକ ବ୍ୟୁରୋ : କାହାକୁ ମିଳିବ ବିଜେଡି ଟିକେଟ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ତୃତୀୟ ଓ ଚୁତର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳ କାହାକୁ ମୈଦାନକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଏହି ଆସନ ଗୁଡିକ ମଧ୍ୟରୁ ଅଧିକାଂଶ ଆସନ ହାଇପ୍ରୋଫାଇଲ ଆସନ ରହିଛି । ଯେଉଁ ଆସନ ଗୁଡିକ ମଧ୍ୟରୁ ଅନେକ ହେଭିୱେଟ ଓ ଭେଟରାନ ନେତା ଟିକେଟ ପାଇଁ ଆଶା ବାନ୍ଧି ରହିଛନ୍ତି । ଏପରିକି ବିଜେଡି ସୁପ୍ରିମୋଙ୍କ ନିଷ୍ପତି କଣ ହେବ ସେନେଇ ନେତାଙ୍କ ଛାତି ମଧ୍ୟ ଧଡପଡ ହେଲାଣି । ଆଉ ଏଭଳି ସ୍ଥିତିରେ ଟିକେଟ ମିଳିବା ନେଇ ଦମ୍ଭ ଦେଖାଇଛନ୍ତି କିଛି ନେତା ।

ଟିକଟ ଖଣ୍ଡକ ପାଇଁ ନେତା ମାନେ ନବୀନ ନିବାସରେ ଭିଡ ଲଗାଉଥିବା ବେଳେ କିଛି ନେତା ତାଙ୍କୁ ଟିକେଟ ମିଳିବା ନେଇ ସିଗନାଲ ମିଳିଥିବା କହିଛନ୍ତି । ବାଲେଶ୍ୱର ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁଣିଥରେ ଟିକେଟ ପାଇବା ନେଇ ଆଶାବାଦୀ ଥିବା ବେଳେ ତାଙ୍କୁ ବିଜେଡି ସୁପ୍ରିମୋ ଠିକ୍ ସମୟରେ ଠିକ୍ ସିଗନାଲ ଦେଇଥିବା କହିଛନ୍ତି । ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ଦଳ ତାଙ୍କ ନେତୃତ୍ୱରେ ସିମୁଳିଆରେ ଭଲ ପ୍ରଦର୍ଶନ କରିଥିଲା ତେଣୁ ତାଙ୍କୁ ପୁଣିଥରେ ଟିକେଟ ମିଳିବ ବୋଲି ଆଶା ବାନ୍ଧିଛନ୍ତି ଜ୍ୟୋତିପ୍ରକାଶ ।

ସେହିଭଳି କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ମଧ୍ୟ ଆଗାମୀ ନିର୍ବାଚନ ପାଇଁ ଟିକେଟ ଦାବିଦାର ବୋଲି କହିଛନ୍ତି । ଟିକେଟ ମିଳିବା ନେଇ ଦଳ ସୁପ୍ରିମୋଙ୍କ ଉପରେ ଭରସା ଅଛି ବୋଲି କହିଛନ୍ତି ରବି । ସେହିଭଳି ଏବେ କାକଟପୁର ବିଧାୟକ ଥିବା ସୁରେନ୍ଦ୍ର ସେଠୀ ମଧ୍ୟ ଟିକେଟ ପାଇଁ ଆଶାବାଦୀ ଅଛନ୍ତି । ତେବେ ଯଦି ତାଙ୍କୁ ଟିକେଟ ନ ମିଳେ ତେବେ ମଧ୍ୟ ସେ ଅନ୍ୟ କେଉଁ ଦଳକୁ ଯିବେନାହିଁ ବୋଲି ରୋକଠୋକ ଜଣାଇଛନ୍ତି । ନବୀନ ତାଙ୍କୁ ରାଜନୀତିକୁ ଆଣିଛନ୍ତି ଓ ବିଧାୟକ ହେବାର ସୁଯୋଗ ଦେଇଛନ୍ତି ତେଣୁ ସେ ଅନ୍ୟ ଦଳକୁ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ସୁରେନ୍ଦ୍ର ।

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆହୁରି ମାସେରୁ ଅଧିକ ସମୟ ରହିଥିବା ବେଳେ ଏବେଠୁ ଟିକେଟ ପାଇଁ ନବୀନ ନିବାସରେ ଭିଡ ଲଗାଉଛନ୍ତି ନେତା । ତେବେ ଦଳପତି କାହା ଉପରେ ଭରସା କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।