କେନ୍ଦ୍ରାପଡ଼ାରେ ଗର୍ଜିଲେ ଅନୁଭବ ! ବୈଜୟନ୍ତଙ୍କୁ ବେଇମାନ୍ କହି କଲେ କଡ଼ା ସମାଲୋଚନା ।

1,643

କନକ ବ୍ୟୁରୋ: ଅନୁଭବଙ୍କ ଟାର୍ଗେଟରେ ବୈଜୟନ୍ତ । କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ନାମାଙ୍କନ ଭରିବା ପରେ କେନ୍ଦ୍ରପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି । ଅନୁଭବ କହିଛନ୍ତି କି, “ମୋ ପୂର୍ବରୁ ଯେଉଁ ସାଂସଦ ବିଜେଡି ଟିକେଟ୍ ପାଇ କେନ୍ଦ୍ରପଡ଼ାର ବିକାଶ କରିପାରିଲେ ନାହିଁ ତାଙ୍କୁ ଲୋକମାନେ ପ୍ରତ୍ୟାଖାନ କରିବେ । ଏପରିକି ସେ ଜଣେ ଶିଳ୍ପତି ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ାରେ ଯେଉଁମାତ୍ରାରେ ଶିଳ୍ପର ବିକାଶ ହୋଇପାରିଥାନ୍ତା ତାହା ମଧ୍ୟ କରିଲେ ନାହିଁ । ସେ କେବଳ ଗୋଟେ ରାଷ୍ଟ୍ରୀୟ ଦଳର ଏଜେଣ୍ଟ ଓ ରାଜ୍ୟ ସରକାର ବିରୋଧୀ ଭାବେ ଏଠାରେ କାର୍ଯ୍ୟ କରୁଥିଲେ । ଯେଉଁଥି ପାଇଁ କେନ୍ଦ୍ରାପଡ଼ାର ବିକାଶ ଓ ଯୁବକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ବାଧା ଉପୁଜିଛି ।”

ଏପରିକି ପୂର୍ବତନ ସାଂସଦ କିଛି ହାତ ଗଣତି ପାଣିଟାଙ୍କି କରି ବାହା ବାହା ନେଉଥିଲେ ମଧ୍ୟ କେନ୍ଦ୍ରାପଡ଼ାରେ ପିଇବା ପାଣି ସମସ୍ୟା ରହିଛି । କିନ୍ତୁ ମୁଁ କେନ୍ଦ୍ରାପଡ଼ାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେବି ନାହିଁ କି ଅଧିକ ସ୍ୱପ୍ନ ଦେଖାଇବି ନାହିଁ । ମୋ ଦ୍ୱାରା ଯାହା ସମ୍ଭବ ମୁଁ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ନିଶ୍ଚୟ କରିବି । ପ୍ରତି ପଞ୍ଚାୟତ ଓ ଘରେ ଘରେ ପାଣି ପହଁଚିବ ବୋଲି କହିଛନ୍ତି ଅନୁଭବ ।

ବୈଜୟନ୍ତଙ୍କ ସହ ଟକ୍କର ହେବ ବୋଲି ପ୍ରଶ୍ନର ଉତ୍ତର ରଖି ଅନୁଭବ କହିଛନ୍ତି କି, ତାଙ୍କ ଭଳି ଜଣେ ବେଇମାନ ଲୋକଙ୍କ ସହ ମୋର କୌଣସି ମୁକାବିଲା ହେବ ନାହିଁ । କାରଣ କେନ୍ଦ୍ରପଡ଼ା ତୁଳସୀ କ୍ଷେତ୍ର ଯାହା ବିଜୁବାବୁଙ୍କ କର୍ମଭୂମୀ ଆଉ ଏଠାକାର ଲୋକ ସ୍ୱାଭିମାନୀ ଓଡ଼ିଆ ତେଣୁ ଜଣେ ବେଇମାନ୍ ଲୋକକୁ ମାଟି ମାଡ଼ିବାକୁ ଦେବେନାହିଁ କେନ୍ଦ୍ରାପଡ଼ାବାସୀ ବୋଲି କହି ବୈଜୟନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି ଅନୁଭବ । ଏହାସହ ନବୀନ ବାବୁଙ୍କ ବିକାଶଧାରା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଁଚାଇବା ମୋର ମୂଖ୍ୟ ମୁଦ୍ଦା ରହିବ ବୋଲି କହିଛନ୍ତି ଅନୁଭବ ।