ବିଦେଶୀ ମିଡିଆରେ ବିଜେଡିର ଚର୍ଚ୍ଚା ! ଲଣ୍ଡନରେ ପ୍ରକାଶିତ ଅନ୍ତର୍ଜାତୀୟ ପତ୍ରିକା ‘ଦ ଇକୋନୋମିଷ୍ଟ’ ପ୍ରକାଶ କଲା ରିପୋର୍ଟ

29

କନକ ବ୍ୟୁରୋ : ଅନ୍ତର୍ଜାତୀୟ ମର୍ଯ୍ୟାଦା ସଂପନ୍ନ ପତ୍ରିକା ଦି ଇକୋନୋମିଷ୍ଟରେ ବିଜୁ ଜନତା ଦଳ ସଂପର୍କରେ ପ୍ରକାଶ ପାଇଛି ରିପୋର୍ଟ । ଯେଉଁଥିରେ ବିଜେଡିକୁ ଭାଙ୍ଗିବା ପାଇଁ ବିଜେପି ପ୍ରୟାସ ଚଳାଇଥିବା ଉଲ୍ଲେଖ କରାଯାଇଛି । ‘ଅନ୍ୟାନ୍ୟ ରାଜ୍ୟ ଉପରେ ଆଖି ପକାଇଛି ବିଜେପି । ବିହାରରେ ନୀତିଶ କୁମାରଙ୍କ ସହଯୋଗୀଙ୍କୁ ଆଇନର ଜାଲରେ ଛନ୍ଦି ଦେବାପରେ ପଟ୍ଟ ପରିବର୍ତ୍ତନ ପାଇଁ ତାଙ୍କୁ ବାହାନା ମିଳିଗଲା । ଠିକ ସେହିପରି ଓଡିଶାରେ ୧୭ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ବିରୋଧରେ ତଦନ୍ତ, ସେହିଭଳି ଏକ ଅବସର ସୃଷ୍ଟି କରିପାରେ । ନବୀନଙ୍କ ଦଳର କିଛି ସଦସ୍ୟ ବିଜେପିଠାରୁ ଭଲ ଅଫର ଅପେକ୍ଷାରେ ଅଛନ୍ତି । ତାମିଲନାଡୁରେ ମଧ୍ୟ ସରକାରରରେ ଥିବା ଗୋଷ୍ଠୀକୁ ହାତ କରି ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି ।’

କିଛିଦିନ ତଳେ ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆ ଟୁଡେ ଗ୍ରୁପର କନସଲଟିଂ ଏଡିଟର ରାଜଦୀପ ସରଦେଶାଇ ମଧ୍ୟ ଏହି ମର୍ମରେ ଟ୍ୱିଟ କରିଥିଲେ – ‘ଏଆଇଏଡିଏମକେ ପରେ ବିଜେଡିର ପାଳି । ଭାଗ ଭାଗ ହେବ ବିଜୁ ଜନତା ଦଳ । ଓଡିଶାରେ ଶାସନ କରୁଥିବା ବିଜେଡିରେ ବଡ ଧରଣର ଫାଟର ଆଶଙ୍କା କରିଥିଲେ ଜାତୀୟ ଗଣମାଧ୍ୟମର ସାମ୍ବାଦିକ ରାଜଦୀପ ସରଦେଶାଇ । ଟ୍ୱିଟ୍ କରି ରାଜଦୀପ ଲେଖିଥିଲେ, ତାମିଲନାଡୁରେ ଆନ୍ନା ଡିଏମକେ ଭାଗ ହେବା ଭଳି ବିଜେଡି ବି ଭାଗଭାଗ ହେବ ।’

ଭୁବନେଶ୍ୱରରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ପୂର୍ବରୁଟ୍ୱିଟ୍ କରିଥିଲେ ବିଜେଡି ସାଂସଦ ତଥାଗତ ଶତପଥୀ । ‘ଭୁବନେଶ୍ୱରରେ ବିଜେପିର ଦୁଇ ଦିନିଆଜାତୀୟ କାର୍ଯ୍ୟକାରିଣୀ ପୂର୍ବରୁ ବିଜେଡିର ନାଁ ଆଉ ଚିହ୍ନକୁ ନେଇଯିବାକୁ ଚାଲିଛି ମସୁଧା । ଆଉ ଏଥିରେ ଜଣେ ସାଂସଦ ବି ତାଙ୍କ ପାଇଁ କାମ କରୁଛନ୍ତି । ଯଦି ଦଳରେ ବିଭାଜନ ଘଟେ ତେବେ ଆଗୁଆ ନିର୍ବାଚନ କରିବାକୁ ବିଜେପି ଚିନ୍ତା କରିବ ।’

ପୂର୍ବ ଭାରତରେ ପଶ୍ଚିମବଙ୍ଗ ଓ ଓଡିଶାରେ ବିଜେପିର ପ୍ରଭାବ ବଢାଇବା ପାଇଁ କେନ୍ଦ୍ରୀୟ ନେତାମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଶେଷ କରି ଓଡିଶାରେ ପଂଚାୟତ ନିର୍ବାଚନରେ ଟିକିଏ ଭଲ ପ୍ରଦର୍ଶନ ପରେ ଓଡିଶା ପାଇଁ ଅଧିକ ଉତ୍ସାହିତ ହୋଇପଡିଛି ବିଜେପି । ଆଉ ଏହି ସମୟରେ ଦି ଇକୋନୋମିଷ୍ଟ ଭଳି ଏକ ଅନ୍ତର୍ଜାତୀୟ ପତ୍ରିକାରେ ଏହି ଚର୍ଚ୍ଚା ରାଜ୍ୟର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି ।