ଘର କଳିରେ ମୁଣ୍ଡ ପୁରାଇଲେ ମୁରବୀ ! ନେତାଙ୍କୁ ଚରମବାଣୀ ଶୁଣାଇଲେ ନବୀନ

27

କନକ ବ୍ୟୁରୋ : ଗୋଟିଏ ପଟେ ମନ୍ତ୍ରୀ, ଆଉ ଗୋଟିଏ ପଟେ ସାଂସଦ । ଗୋଟିଏ ଦଳ ଭିତରେ କ୍ଷମତା ଓ ପତିଆରାର ଯୁଦ୍ଧ । ଯାହାକୁ ନେଇ ମାହାଙ୍ଗାରେ ଚାଲିଲା ମନ୍ତ୍ରୀ ସମର୍ଥକ ବନାମ ସାଂସଦ ଲଢ଼େଇ । ବିଜେଡିର ଏହି ଘରୋଇ କଳି ଉପରେ ଏବେ ମୁଣ୍ଡ ପୁରାଇଛନ୍ତି ମୁରବୀ ତଥା ଦଳୀୟ ସୁପ୍ରିମୋ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରେ ହୋଇଥିବା ଅଣ୍ଡା ଓ ଚପଲ ମାଡ଼ ଘଟଣାରେ ଲଗାମ୍ କଶିବାକୁ ଯାଇ ନବୀନ ଶୁଣାଇଛନ୍ତି-ଅନୁଶାସନର କଥା । କହିଛନ୍ତି, ଅନୁଶାସନର ଲକ୍ଷ୍ମଣରେଖା ଡେଇଁଲେ ହେବ କାର୍ଯ୍ୟାନୁଷ୍ଠାନ ।

ସେପଟେ ଘଟଣାର ତଦନ୍ତ ଦାୟିତ୍ୱ ପାଇଥିବା ପର୍ଯ୍ୟପେକ୍ଷକ ଉଷାଦେବୀ କହିଛନ୍ତି-ଆବଶ୍ୟକ ପଡ଼ିଲେ ସାଂସଦଙ୍କ ସହ ଆଲୋଚନା କରିବେ ।

ବିଜେଡିରେ ହିଂସାର ସ୍ଥାନ ନଥିବା କଥା କହୁଛନ୍ତି ନବୀନ । ହେଲେ କ୍ଷମତା ଯୁଦ୍ଧରେ ଖୋଲାଖୋଲି ହିଂସାର ବାଟକୁ ବାଛି ନେଉଛନ୍ତି ବିଜେଡି ନେତା ଓ କର୍ମୀ । ମାହାଙ୍ଗାର ଏହି ଘଟଣା ଯେଉଁଠି ବିରୋଧୀ ନଥିଲେ, ଥିଲେ କେବଳ ବିଜେଡି । ପୁଲିସ୍ ଉପସ୍ଥିତିରେ ସାଂସଦଙ୍କ ଉପରେ ଅଣ୍ଡା ଆଉ ଜୋତାମାଡ଼ ହେଲା । ଆଉ ଏହି ପୁରା ଘଟଣା ଉପରେ ଓଲଟା ପ୍ରଶ୍ନ ରହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ପଚାରିଛନ୍ତି, ବିବାଦ ଭିତରେ କାହିଁକି ମାଡିଥିଲେ ମାହାଙ୍ଗା ମାଟି?

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରେ ଅଣ୍ଡା ମାଡ଼ ଘଟଣାକୁ ଜାତୀୟ ସ୍ତରରୁ ରାଜ୍ୟ ସ୍ତରର ବିଜେପି ନେତା ଯାଏଁ ସମାଲୋଚନା କରିଛନ୍ତି । କଂଗ୍ରେସ ବି ଘଟଣାକୁ ନିନ୍ଦା କରିବା ସହ ବିଜେଡି କନ୍ଦଳର କଥା ଉଠାଇଛି । ଏପଟେ କିନ୍ତୁ ଦାମ କହିଛନ୍ତି- ଏମିତି ପ୍ରଶଂସା କିମ୍ବା ସମର୍ଥନ କରୁଛନ୍ତି କାଳେ ବୈଜୟନ୍ତ ବିଜେପିକୁ ଚାଲିଯିବେ ।

ନବୀନ ଚରମବାଣୀ ଶୁଣାଇଲେ, ପର୍ଯ୍ୟବେକ୍ଷକ ତଦନ୍ତ କରିବେ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ହେଲେ ପ୍ରଶ୍ନ ଉଠୁଛି, ଦଳ ଭିତରେ କୁହୁଳିଥବା ଅସନ୍ତୋଷ ଆଉ ନେତାଙ୍କ ଭିୟତରେ ଥିବା ମନୋମାଳିନ୍ୟକୁ ଏହା ଦୂର କରିପାରିବ କି?