ସୋସିଆଲ ମିଡ଼ିଆ ଜରିଆରେ ସଂପର୍କ ରଖିବ ବିଜେଡି : ଲୋକଙ୍କ ପାଖରେ ପହଁଚିବା ପାଇଁ ହାଇଟେକ୍ କ୍ୟାମ୍ପେନ୍ କରିବ ନବୀନଙ୍କ ଟିମ୍

30

କନକ ବ୍ୟୁରୋ :  ସୋସିଆଲ ମିଡ଼ିଆ ଜରିଆରେ ସଂପର୍କ ରଖିବ ବିଜେଡି । ଲୋକଙ୍କ ପାଖରେ ପହଁଚିବା ପାଇଁ ହାଇଟେକ୍ କ୍ୟାମ୍ପେନ୍ କରିବ ନବୀନଙ୍କ ଟିମ୍ । ଦଳର ବିଭିନ୍ନ କାର୍ଯ୍ୟକ୍ରମ ନେତା ଓ କର୍ମୀଙ୍କୁ ଅବଗତ କରିବା ପାଇଁ ଏବଂ ସରକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଜଣାଇବା ପାଇଁ ଏଣିକି ଲୋକପ୍ରିୟ ସୋସିଆଲ୍ ସାଇଟ୍ ହ୍ୱାଟ୍ସଆପ୍ ବ୍ୟବହାର କରିବ ଦଳ । ହଜାର ହଜାର ଗ୍ରୁପ୍ କରି କ୍ୟାମ୍ପେନକୁ ଜୋରଦାର କରାଯିବ ।

ମିଳିଥିବା ସୂଚନା ଅନୁସାରେ-ବିଭିନ୍ନ ପର୍ଯ୍ୟାୟରେ କାମ କରିବ ବିଜେଡିର ଏହି ହ୍ୱାଟ୍ସଆପ୍ ଗ୍ରୁପ୍ । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରିଚାଳିତ ହେବାକୁ ଥିବା ଗ୍ରୁପରେ ରହିବେ-ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ଜିଲ୍ଲା ସଭାପତି । ସେହିପରି ବିଧାୟକଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଗ୍ରୁପରେ ରହିବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପଂଚାୟତ କର୍ମୀ, ବ୍ଲକସ୍ତରୀୟ କର୍ମୀ । ସେହିପରି ଯୁବ, ଛାତ୍ର ଏବଂ ମହିଳା ଭଳି ଛାମୁଆ ଦଳୀୟ ସଂଗଠନ ନେତୃତ୍ୱ ନେଉଥିବା ନେତାଙ୍କୁ ନେଇ ମଧ୍ୟ ହେବ ହ୍ୱାର୍ଟ୍ସ ଆପ୍ ଗ୍ରୁପ୍ । ବିଭିନ୍ନ ଜିଲ୍ଲାସ୍ତରୀୟ ନେତାଙ୍କ ଦ୍ୱାରା ତୃଣମୂଳସ୍ତରର କର୍ମୀ ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡ଼ି ହେବେ ।

ଉପର ସ୍ତରରରୁ ତୃଣମୂଳସ୍ତର ଯାଏଁ ଖୋଲାଯିବ ହଜାର ହଜାର ହ୍ୱାଟ୍ସ ଆପ୍ ଗ୍ରୁପ୍ । ଯେଉଁଥିରେ ଦଳୀୟ ନେତା ଓ କର୍ମୀଙ୍କୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବାର୍ତା ଦିଆଯିବ । ସେହିପରି ସରକାରଙ୍କ ଲୋକାଭିମୂଖୀ ଯୋଜନା ଗୁଡ଼ିକ ସଂପର୍କରେ ଲୋକଙ୍କୁ ଅବଗତ କରାଯିବ । ଯେଉଁଥି ପାଇଁ ନିର୍ବାଚନମଣ୍ଡଳୀ ସ୍ତରରେ ମଧ୍ୟ ହ୍ୱାଟ୍ସଆପ୍ ଗ୍ରୁପ୍ ସବୁ ଖୋଲାଯିବ । ଉପରସ୍ତରୀୟ ନେତାଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ ଏନେଇ ମାସିକିଆ ରିପୋର୍ଟ ମଧ୍ୟ ତଲବ୍ ହେବ ।

ପୁରୁଣାକାଳିଆ ଢ଼ାଂଚା ବଦଳରେ ଏଣିକି ଅତ୍ୟାଧୁନିକ ବା ହାଇଟେକ୍ ପଦ୍ଧତିରେ ଆପଣାଇବ ବିଜୁ ଜନତା ଦଳ । ବିଜେପିର ସୋସିଆଲ ମିଡ଼ିଆ କ୍ୟାମ୍ପେନକୁ ଟକ୍କର ଦେଇ ଏକ ନୂଆ ଶୈଳୀରେ ଲୋକଙ୍କ ପାଖରେ ପହଂଚିବ ନବୀନଙ୍କ ଟିମ୍ ।