ଟଙ୍କିକିଆ ଚାଉଳ କାହାର ! ରାଜନୈତିକ ଲଢ଼େଇ ଭିତରେ ଶ୍ରେୟ ନେବାର ପ୍ରତିଯୋଗିତା

80

କନକ ବ୍ୟୁରୋ : ପୁଣି ତେଜିଲା ଚାଉଳ କଳି । ରାଜନୈତିକ ଲଢ଼େଇ ଭିତରେ ଶ୍ରେୟ ନେବାର ପ୍ରତିଯୋଗିତା । କେନ୍ଦ୍ର ଓ ରାଜ୍ୟ ଭିତରେ ଟଙ୍କିକିଆ ଚାଉଳକୁ ନେଇ ଚାଲିଥିବା ଏହି ପ୍ରତିଦ୍ୱନ୍ଦିତା, ଏବେ ଆଉ ଗୋଟିଏ ପାଦ ଆଗକୁ ଯାଇଛି, ଯେତେବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ଓଡ଼ିଶାରେ ଆସି କହିଛନ୍ତି-ଏହା ନବୀନ ଚାଉଳ ନୁହେଁ, ମୋଦି ଚାଉଳ ।

ଗରିବ ଲୋକଙ୍କ ପାଇଁ ଆସୁଥିବା ଚାଉଳକୁ କେମିତି ବ୍ରାଣ୍ଡିଂ କରାଯାଉଛି କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ବାରି ହେଉଛି । ଆଉ ଏହି ପନ୍ଥା ଆପଣାଇବାରେ ବିଜେଡି ବି ପଛରେ ନାହିଁ । କାହିଁକି ନା’ ଓଡ଼ିଶାରେ ଯେତେବେଳେ ଏହି ଯୋଜନାର ଆରମ୍ଭ ହୋଇଥିଲା, ନବୀନ ପଟ୍ଟନାୟକ ଏହି ଚାଉଳ ଦେଉଛନ୍ତି ବୋଲି ଏକ ପ୍ରକାର ପ୍ରଚାର କରାଗଲା ।

ଟଙ୍କିକିଆ ଚାଉଳ ଦେଉଛି କିଏ ? କାହାର ରହୁଛି କେତେ ଭାଗିଦାରୀ ?
ଗରିବ ଲୋକଙ୍କୁ ଏକ ଟଙ୍କାରେ ମାସକ ମୁଣ୍ଡପିଛାରେ ମିଳୁଛି ୫ କେ.ଜି ଚାଉଳ । ଚାଉଳର ପ୍ରକୃତ ଦାମ ହେଉଛି କେ.ଜି ପିଛା ୩୦ ଟଙ୍କା । ଯେଉଁଥିରେ କେନ୍ଦ୍ର ସରକାର ଦେଉଛନ୍ତି ୨୭ ଟଙ୍କା । ରାଜ୍ୟ ସରକାର ଦେଉଛନ୍ତି ୨ଟଙ୍କା । ଆଉ ବଳକା ଟଙ୍କାଟିଏ ଦେଉଛନ୍ତି ଉପଭୋକ୍ତା ।

ଚାଉଳକୁ ନେଇ ରାଜନୀତି ? ଶ୍ରେୟ ନେବାକୁ ପ୍ରତିଯୋଗିତା
ଏ ଯେଉଁ ଟଙ୍କିକିଆ ଚାଉଳକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଶ୍ରେୟ ପାଇଁ ଲଢ଼େଇ ଚାଲିଛି । ତା’ ପଛରେ ବି ରହିଛି ରାଜନୀତି । ୨୦୦୯ରେ ଏହି ଚାଉଳ, ବିଜେଡିକୁ ଶାସନକୁ ଫେରିବା ପାଇଁ ସହାୟକ ହୋଇଥିଲା ବୋଲି ଚର୍ଚ୍ଚା ହୁଏ । ଆଉ ଆଜି ଯେତେ ବେଳେ କେନ୍ଦ୍ରମନ୍ତ୍ରୀ, ଏହାକୁ ମୋଦି ଚାଉଳ ବୋଲି କହିଛନ୍ତି-ଚିହିଁକି ଉଠିଛି ବିଜେଡି ।

୨୦୦୮ରେ ତକ୍ରାଳୀନ କେନ୍ଦ୍ର ସରକାର ଚାଉଳ ଯୋଗାଇବା ଆରମ୍ଭ କରିବା ପରେ ସଂପୃକ୍ତ ରାଜ୍ୟମାନେ ଆଉ କିଛି ସବ୍ସିଡି ନେଇ ଏହାକୁ ଏକ ଟଙ୍କିଆ ଚାଉଳରେ ପରିଣତ କରିଥିଲେ । ଯାହାକୁ ନେଇ ସବୁବେଳେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଛି ।