ଇସ୍ତାହାର କସରତ ଆରମ୍ଭ କଲା ବିଜେଡି ! ଆଜି ବିଜୁ ପଟ୍ଟନାୟକ ଜୟନ୍ତୀରେ ଆରମ୍ଭ ହେବ ‘ଘରେ ଘରେ ଶଂଖ’ କାର୍ଯ୍ୟକ୍ରମ

100

କନକ ବ୍ୟୁରୋ : ଆଜି ଠାରୁ ରାଜ୍ୟରେ ନୂଆ ଅଭିଯାନ ଆରମ୍ଭ କରିବ ବିଜେଡି । ଏହି ଅଭିଯାନର ନାଁ ରହିଛି ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଅଭିଯାନରେ ପ୍ରତ୍ୟେକ ଓଡିଆଙ୍କୁ ସାମିଲ କରାଯିବ ବୋଲି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ବିଜୁ ମହିଳା ଜନତା ଦଳର କର୍ମୀ ଓ ଦଳର କାର୍ଯ୍ୟକର୍ତା ରାଜ୍ୟର ୮୬ଲକ୍ଷ ପରିବାରଙ୍କ ପାଖକୁ ଯାଇ ଲୋକେ ସରକାରଙ୍କଠାରୁ କଣ ଆଶା ରଖିଛନ୍ତି ତାର ତାଲିକା ପ୍ରସ୍ତୁତ କରିବେ । ଲୋକଙ୍କଠାରୁ ସଂଗ୍ରହ ହୋଇଥିବା ମତାମତ ଆଧାରରେ ବିଜେଡି ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ । ଆଜିଠାରୁ ଆସନ୍ତା ୨୦ଯାଏ ବିଜେଡି ମହିଳା କର୍ମୀ ପ୍ରତି ଘର ବୁଲିବେ ।

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜନ୍ମଜୟନ୍ତୀ । ଏହି ଅବସରରେ ଆୟୋଜିତ ହୋଇଛି ମିନି ମାରାଥନ । ଏହି ମିନି ମାରାଥନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରୁ ବାହାରିଥିଲା । ଏଥିରେ ବିଶିଷ୍ଟ ବ୍ୟକ୍ତି ଓ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ମାରାଥନ ଶିଶୁଭବନ ଛକ, ରାଜମହଲ ଓ ପାୱାର ହାଉସ ଛକ ଦେଇ କଳିଙ୍ଗ ଷ୍ଟାଡିୟମ ଯାଏଁ ଯାଇଥିଲା ଏଥିରେ ପ୍ରାୟ ହଜାରେ ଲୋକ ସାମିଲ ହୋଇଥିଲେ ।