କଥା ଦେଇଥିଲେ, କଥା ରଖିଲେ ! ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଲେ ବିଜେଡି ସୁପ୍ରିମୋ ।

269

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ମୋଟ୍ ୧୮ଟି ଲୋକସଭା ଏବଂ ୧୦୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ବିଜୁ ଜନତା ଦଳ । ତେବେ ନିର୍ବାଚନ ପୂର୍ବରୁ ସଂସଦରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣର ପ୍ରସ୍ତାବ ଦେଇଥିଲା ବିଜେଡି । ଆଉ ଦଳ ଏହାକୁ ପାଖାପାଖି ପୂରଣ କରିଥିବା ଜଣାପଡୁଛି । କାହିଁକି ନା ଘୋଷଣା ହୋଇଥିବା ୧୮ଟି ଲୋକସଭା ଆସନରୁ ୬ଟି ଆସନରେ ମହିଳା ପ୍ରାର୍ଥୀ ଦେଇଛି ବିଜେଡି ।

ଆଜି ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ୍ ୯ଟି ଲୋକସଭା ଏବଂ ୩୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ୩ଟି ଲୋକସଭା ଏବଂ ୩ଟି ବିଧାନସଭାରେ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଲୋକସଭାରେ ଜଗତସିଂହପୁର ଆସନରୁ ରାଜଶ୍ରୀ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ, ଯାଜପୁରରୁ ସର୍ମିଷ୍ଠା ସେଠୀ ଏବଂ ଭଦ୍ରକ ଲୋକସଭା ଆସନରୁ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡି ପ୍ରାର୍ଥୀ କରିଛି ।

ସେହିପରି ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ଘୋଷଣା ହୋଇଥିବା ବିଧାନସଭା ଆସନ ଗୁଡିକ ଉପରେ ଯଦି ନଜର ପକାଇବା, ତେବେ ୩୬ଟି ଆସନରୁ ମୋଟ ୩ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ହିନ୍ଦୋଳ ବିଧାନସଭା ଆସନରୁ ସ୍ମିତାରାଣୀ ନାୟକ ପ୍ରାର୍ଥୀ ହୋଇଥିବା ବେଳେ, କରଞ୍ଜିଆରୁ ବାସନ୍ତୀ ହେମ୍ବମ୍ର ଏବଂ ବିଞ୍ଝାରପୁର ବିଧାନସଭା ଆସନରୁ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।