ଆଜି ବିଜେଡିର ପ୍ରତିଷ୍ଠା ଦିବସ: ନିର୍ବାଚନୀ ବିଗୁଲ୍ ଫୁଙ୍କି ପାରନ୍ତି ନବୀନ, କଂଗ୍ରେସ ପାଳିବ କଳାଦିବସ, ବିଜେପିର ‘ଜବାବ୍ ମାଗୁଛି ଓଡ଼ିଶା ଅଭିଯାନ

145

କନକ ବ୍ୟୁରୋ: ଗୋଟିଏ କି ଦୁଇଟି ନୁହେଁ, ଗତ ପାଞ୍ଚ ବର୍ଷରେ ସରକାର ଗ୍ରହଣ କରିଥିବା ଅନେକ ପଦକ୍ଷେପ ମଧ୍ୟରୁ ପାଖାପାଖି ୩୦ଟି ଭଲ କାମର ତାଲିକା କରାଯାଇଛି। ଏସବୁ ଲୋକଙ୍କ ନିକଟରେ ପହଞ୍ଚାଇବେ ନେତା, ଛାମୁଆ କର୍ମୀ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଡଜନେ ସରିକି ଅବହେଳା ସଂପର୍କରେ ବି ସମାନ୍ତରାଳ ଭାବେ ଅବଗତ କରାଇବେ। ୨୧ତମ ଜନ୍ମ ଦିନରେ ଏମିତି ଏକ ଯୋଜନାକୁ ବାସ୍ତବ ରୂପ ଦେବା ଲାଗି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତାମାନେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ଆଜି ବିଜେଡି ରାଜ୍ୟ କାର‌୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନ୍ମଦିନ ପାଳନ କରାଯିବ। ଏଠାରୁ ମୁଖ୍ୟମନ୍ତ୍ରୀ ଆସନ୍ତା ନିର୍ବାଚନ ପାଇଁ କର୍ମୀଙ୍କୁ ପ୍ରସ୍ତୁତ ରହିବା ଲାଗି ମନ୍ତ୍ର ଫୁଙ୍କିବେ ଏବଂ ନିର୍ବାଚନୀ ବିଗୁଲ୍ ବଜାଇ ପାରନ୍ତି। ଜିଲ୍ଲା, ବ୍ଲକ ଆଦିସ୍ତରରେ ବି ସେମିତି ଅନୁରୂପ ଢଙ୍ଗରେ ଜନ୍ମଦିନ ପାଳିବେ। ଚତୁର୍ଥ ପାଳି ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଦିନ ଅପରାହ୍ନରେ ମନ୍ତ୍ରୀ ପରିଷଦ ବୈଠକ ଡାକି ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବା ଲାଗି ଠୋସ୍ ନିଷ୍ପତ୍ତି ନେଇଥିଲେ। ସାଢେ ଚାରିବର୍ଷରେ ୧୮ଲକ୍ଷ ପକ୍କା ଘର ନିର୍ମାଣ, ବସ୍ତି ବାସିନ୍ଦାଙ୍କୁ ଜମି ସ୍ବତ୍ତ୍ବାଧିକାର, କୃଷକଙ୍କ ରୋଜଗାର ବୃଦ୍ଧି, ୧୦ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ, ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆଦି ଏହାର ଅନ୍ତର୍ଭୁକ୍ତ।

କେବଳ ସେତିକି ନୁହେଁ, ୨୨ ହଜାର ୫୦୦ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ, ୬୦୦ ସେତୁ ନିର୍ମାଣ, ୪ଟି ନୂଆ ମେଡିକାଲ କଲେଜ, ମମତା ଯୋଜନାରେ ୩୦ଲକ୍ଷ ମହିଳାଙ୍କୁ ସାମିଲ, ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଓଡ଼ିଆ ଭାଷା ଆଦି ରହିଛି। ଏସବୁ ସଂପର୍କରେ ଲୋକମାନଙ୍କୁ ଅବଗତ କରିବା ପାଇଁ କୁହାଯାଇଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ମଧ୍ୟ କହିବା ଲାଗି ଦଳର ମୁଖିଆ ନିର୍ଦେଶ ଦେଇଛନ୍ତି।

 

ଅନ୍ୟପକ୍ଷରେ ପ୍ରତିଷ୍ଠା ଦିବସରେ ବିଜେଡିକୁ ଯେଭଳି ଏକପାଖିଆ ଲାଭନଯାଏ, ସେଥିପାଇଁ କଂଗ୍ରେସ ଓ ବିଜେପି ମଧ୍ୟ ରାଜନୈତିକ କାର‌୍ୟ୍ୟକ୍ରମ ହାତକୁ ନେଇଛନ୍ତି। କଂଗ୍ରେସ କଳାଦିବସ ପାଳନ କରିବାକୁ ପୂର୍ବରୁ ସୂଚନା ଦେଇଛି। ପିଠା ଓ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେହିପରି ବିଜେପି ଯୁବ ମୋର୍ଚ୍ଚା ଆଜିଠାରୁ ରାଜ୍ୟ ବିରୋଧରେ ଆରମ୍ଭ ‘ଜବାବ୍ ମାଗୁଛି ଓଡ଼ିଶା ଅଭିଯାନ’ ବୋଲି ଏକ କାର‌୍ୟ୍ୟକ୍ରମ ଆରମ୍ଭ କରିବ।