ରୋଷେଇଶାଳରୁ ପ୍ରଚାର ମୈଦାନ: ଆସ୍କା ଲୋକସଭା ପାଇଁ ପ୍ରମିଳା ବିଶୋଇ କ୍ୟାମ୍ପେନିଂ, ଗୀତ ଗାଇ ଭୋଟରଙ୍କୁ ହାତେଇବାକୁ କଲେ ଉଦ୍ୟମ

କହିଲେ, ବିଲରୁ ପଲ୍ଲୀ ଆଉ ପଲ୍ଲୀରୁ ଯିବ ଦିଲ୍ଲୀ

222

କନକ ବ୍ୟୁରୋ: ଆସ୍କାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଥର ମହିଳା ମୈଦାନରେ ଅଛନ୍ତି । ଆସ୍କା ଲୋକସଭାରୁ ପ୍ରମିଳା ବିଶୋଇ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଧାନସଭାରୁ ମଞ୍ଜୁଳା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ସ୍ୱର୍ଗତ ଲଢୁ କିଶୋର ସ୍ୱାଇଁଙ୍କ ପତ୍ନୀ । ଆସ୍କାରେ ପ୍ରଚାର ଜୋରଦାର ହୋଇଛି । ଲୋକଙ୍କ ପାଖରେ ପଂହଚୁଛନ୍ତି ନେତା । ତେବେ ଆସ୍କା ଲୋକସଭା ପ୍ରାର୍ଥୀ ପ୍ରମିଳା ବିଶୋଇ ଭିନ୍ନ ଶୈଳୀ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଗୀତ ଗାଇ ଗାଇ ସେ ପ୍ରଚାର କରିଛନ୍ତି । ଆଉ ଏହି ଗୀତ ମାଧ୍ୟମରେ ଆସ୍କାବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଛନ୍ତି ପ୍ରମିଳା ।

ପ୍ରମିଳା ବିଶୋଇ ନା ସେ ଜଣେ ଟାଣୁଆ ନେତା ,ନା ତାଙ୍କୁ କେହି ଜାଣିଛନ୍ତି । ପ୍ରମିଳା ବିଶୋଇ ହେଉଛନ୍ତି ଜଣେ ଏସଏଚଜି ଗ୍ରୁପର ସଦସ୍ୟା । ଦେଖିବାକୁ ସିଧାସିଧା ଆଉ ଖୁବ୍ ନିରୀହ । ଚାହାଣି ଓ ଚାଲିଚଳନ ସାଧାରଣ ହୋଇଥିଲେ ମଧ୍ୟ ପ୍ରମିଳାଙ୍କ କାମ ଖୁବ୍ ଅସାଧାରଣ । ତେବେ ପ୍ରମିଳାଙ୍କୁ ସାଂସଦ ଟିକଟ ମିଳିବା ପୂର୍ବରୁ ୭୯ ଲକ୍ଷ ମହିଳାଙ୍କ ପ୍ରତିନିଧି ସାଜିସାରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସେ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରାଇ ପାରିଛନ୍ତି ଆଉ ପ୍ରମିଳାଙ୍କ ଏହି ଉଦ୍ୟମ ପାଇଁ ସେ ଅନେକ ଥର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ତେବେ ପ୍ରମିଳାଙ୍କ ସେବାକୁ ସମ୍ମାନ ଜଣାଇ ତଥା ମହିଳା ଶକ୍ତିକୁ ସମ୍ମାନ ଦେଇ ପ୍ରମିଳାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନୟାକ ।

ଅନ୍ୟପଟେ, ଆସ୍କା ଲୋକସଭା ଆସନରୁ ବିଜେପିର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଅନୀତା ପ୍ରିୟଦର୍ଶନୀ । କଂଗ୍ରେସ ସମର୍ଥିତ ବାଂମମେଂଟରୁ ପ୍ରାର୍ଥୀ ହୋଇଛନ୍ତି ରାମକୃଷ୍ଣ ପଣ୍ଡା । ଆସ୍କା ଲୋକସଭା ଅଧିନରେ ଆସୁଛି ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀ । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି ।