ନେତା କରୁଛନ୍ତି ନେତାଙ୍କୁ ସନ୍ଦେହ : ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ସନ୍ଦେହ ଘେରରେ ବିଜେଡ଼ି

23

କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ପ୍ରାର୍ଥୀ ଭେଙ୍କିୟା ନାଇଡୁଙ୍କୁ ମିଳିଛି ୫୧୬ ଭୋଟ୍ । ଆଉ ପରାଜିତ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧିଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ୨୪୪ ସାଂସଦ । ସଂସଦର ଉଭୟ ଗୃହରେ ବିଜେପି ଓ ଏହାର ମେଂଟ ସହଯୋଗୀ ଏବଂ ସମର୍ଥନ ଘୋଷଣା କରିଥିବା ଅନ୍ୟାନ୍ୟ ଦଳର ସଦସ୍ୟଙ୍କୁ ମିଶାଇଲେ ଭେଙ୍କିୟାଙ୍କ ସପକ୍ଷରେ ଯେଉଁ ଅଙ୍କ ଆଶା କରାଯାଉଥିଲା ତାଠାରୁ ଢେର ଅଧିକ ମିଳିଛି ।

ଲୋକସଭାରେ ଏନଡିଏର ସଭ୍ୟ ସଂଖ୍ୟା ୩୩୮ ଓ ରାଜ୍ୟସଭାରେ ୮୦ । ଏହିପରି ମୋଟ ୪୧୮ ଥିବାବେଳେ ଏଆଇଏଡିଏମକେ, ୱାଇଏସଆର କଂଗ୍ରେସ ଓ ଟିଆରଏସର ୬୭ଜଣ ସଦସ୍ୟ ଭେଙ୍କିଆଙ୍କୁ ସମର୍ଥନ କରିବାକୁ ଘୋଷଣା କରିଥିଲେ । ତେଣୁ ବିଜେପି ଆଶା କରୁଥିଲା ଭେଙ୍କିଆଙ୍କୁ ୪୮୫ ସାଂସଦଙ୍କ ସମର୍ଥନ ମିଳିବ । ହେଲେ ମିଳିଲା ୫୧୬ ଅର୍ଥାତ ୩୧ଟି ଅଧିକ ଭୋଟ୍ । ସେପଟେ ବିରୋଧୀ ମେଂଟର ପ୍ରାର୍ଥୀ ଗୋପାଳ ଗାନ୍ଧିଙ୍କ ସପକ୍ଷରେ ଯେଉଁ ଅଙ୍କ ଆଶା କରିଥିଲା କଂଗ୍ରେସ ତାଠାରୁ କମ୍ ଭୋଟ ପଡିଛି ।

କଂଗ୍ରେସ ଓ ଏହାର ମେଂଟ ସହଯୋଗୀ, ଟିଏମସି, ବାମଦଳ ଓ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକର ସମର୍ଥନକୁ ମିଶାଇ ଗାନ୍ଧିଙ୍କ ସପକ୍ଷରେ ୩୦୦ ଭୋଟ ପଡିବା ଆଶା କରାଯାଉଥିଲା । କିନ୍ତୁ ମିଳିଛି ୨୪୪ ଅର୍ଥାତ ୫୬ଟି କମ୍ ଭୋଟ ମିଳିଛି । ଏନଡିଏ ପ୍ରାର୍ଥୀ ଭେଙ୍କିୟା ନାଇଡୁଙ୍କ ସପକ୍ଷରେ ଆଶାଠାରୁ ଅଧିକ ୩୧ଟି ଭୋଟ ପଡିବା ପରେ ଜୋରଧରିଛି କ୍ରଂସ ଭୋଟିଂ ସନ୍ଦେହ । ଗୁପ୍ତ ମତଦାନ ହୋଇଥିବାରୁ ଏବଂ ଦଳୀୟ ହ୍ୱିପ୍ ଜାରି ହେଉନଥିବାରୁ ଦଳ ନିଷ୍ପତ୍ତି ବିରୋଧରେ ଯାଇ କିଛି ସାଂସଦ ଭେଙ୍କିୟାଙ୍କୁ ଭୋଟ ଦେଇଥିବା ଅନୁମାନ କରାଯାଉଛି ।

ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବିଜେଡି ଓ ଜେଡିୟୁ । କାରଣ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନ ଘୋଷଣା କରିଥିବା ଏହି ଦୁଇଦଳ ଉପରାଷ୍ଟ୍ରପତି ନିର୍ବାଚନରେ ନିଜର ଆଭିମୁଖ୍ୟ ବଦଳାଇ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ ଘୋଷଣା କରିଥିଲେ । ସଂସଦର ଉଭୟ ଗୃହରେ ବିଜେଡିର ୨୭ ଓ ଜଣେ ଦଳ ସମର୍ଥୀତ ସ୍ୱାଧୀନ ସଦସ୍ୟ ଏମିତି ୨୮ ସାଂସଦ ଥିବାବେଳେ ଜେଡିୟୁର ୧୨ ସାଂସଦ ଅଛନ୍ତି । ତେଣୁ କ୍ରସ୍ ଭୋଟିଂରେ ଏହି ଦୁଇ ଦଳର ସାଂସଦଙ୍କ କିଛି ଭୂମିକା ରହିଛି କି ସେନେଇ ସନ୍ଦେହ ଘନଉଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ।

ନିର୍ବାଚନୀ ବ୍ୟବସ୍ଥାରେ ଗୁପ୍ତ ବାଲଟ ବ୍ୟବହାର କରାଯାଇଥାଏ । ଫଳରେ କିଏ କାହାକୁ ଭୋଟ ଦେଲା ତାହା ଜାଣିବା ସମ୍ଭବନୁହେଁ । ଆଉ ଏହାର ସୁଯୋଗ ନେଇ କିଛି ସାଂସଦ ଦଳୀୟ ନିଷ୍ପତ୍ତି ବିରୋଧରେ ଯିବାର ସମ୍ଭାବନା ଥାଏ । ଆଉ ଏହି ସନ୍ଦେହ ଏବେ ବିଜେଡି ଉପରେ ଘାରିଛି ।