ବଜେଟ ଅଧିବେଶନ ପାଇଁ ଦଳୀୟ ସାଂସଦଙ୍କୁ ସୁପ୍ରିମୋଙ୍କ ମନ୍ତ୍ର । ବିଧାନ ପରିଷଦ ପାଇଁ ଦାବି ଦୋହରାଇବ ବିଜେଡି, ସିଏଏକୁ ସମର୍ଥନ, ଏନଆରସିକୁ ବିରୋଧ ।

164

କନକ ବ୍ୟୁରୋ : ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଛି, ସଂସଦର ବଜେଟ୍ ଅଧିବେଶନ । ଆଉ ଏହି ଅଧିବେଶନରେ ବହୁ ପ୍ରତିକ୍ଷିତ ଓଡିଶା ବିଧାନ ପରିଷଦ ଦାବି ପୂରଣ ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଏନେଇ କେନ୍ଦ୍ରର ସହମତି ସୃଷ୍ଟି କରିବା ପାଇଁ ଆଜି ସଂସଦୀୟ ଦଳ ବୈଠକରେ ଦଳୀୟ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିପରି ସଂସଦୀୟ ଦଳ ବୈଠକରେ ଏନପିଆରକୁ ନେଇ ଦୁଇଟି ଆପତି ଉଠାଇଛି ଦଳ ।

ପ୍ରାୟ ଦେଢ଼ ବର୍ଷ ଧରି କେନ୍ଦ୍ର କୋର୍ଟରେ ଗଡୁଥିବା ଓଡ଼ିଶା ବିଧାନ ପରିଷଦ ଦାବି, ହୁଏତ ସଂସଦର ବଜେଟ୍ ଅଧିବେଶନରେ ଏକ ନିର୍ଣ୍ଣାୟକ ମୋଡ଼ ଆଡକୁ ଗତି କରିପାରେ । ଦୀର୍ଘ ବର୍ଷ ଧରି ଯେଉଁ ବିଧାନ ପରିଷଦର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର, ସେ ସଂପର୍କରେ କେନ୍ଦ୍ରର ସହମତି ସୃଷ୍ଟି କରିବା ପାଇଁ ସଂସଦୀୟ ଦଳ ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ।

ମୋଦି ସରକାରଙ୍କ ବିପଦ ବେଳାର ବନ୍ଧୁ ସାଜି ଅନେକ ପ୍ରସଙ୍ଗରେ ସହଯୋଗ କରିଥିବା ବିଜେଡି, ଏବେ ସ୍ୱାଭାବିକ ଭାବେ ବିଜେପିର ସହଯୋଗ ଆବଶ୍ୟକ କରିବ, ଯେତେବେଳେ ସଂସଦରେ ବିଧାନ ପରିଷଦ ବିଲ୍ ପାସ୍ କରିବା ପାଇଁ ସମର୍ଥନ ଆବଶ୍ୟକ କରୁଛି । ଏପଟେ, ଆସନ୍ତା ଏପ୍ରିଲ ମାସରେ ୪ଟି ରାଜ୍ୟସଭା ଆସନ ଖାଲି ପଡୁଥିବାରୁ ଅଶାୟୀ ନେତାଙ୍କୁ ଆଶ୍ୱାସନାର ମାଧ୍ୟମ ପାଲଟିପାରେ ବିଧାନ ପରିଷଦ ।

ସିଏଏସକୁ ସମର୍ଥନ ଏବଂ ଏନଆରସିକୁ ବିରୋଧ ଭିତରେ ଏନପିଆର୍ ପ୍ରସଙ୍ଗରେ ଏକ ବଡ଼ ଧରଣ ଚର୍ଚ୍ଚା କରିଛି ବିଜେଡି ।ସଂସଦୀୟ ଦଳ ବୈଠକରେ ଏନପିଆରକୁ ନେଇ ଦୁଇଟି ଆପତି ଉଠାଇଛି ଦଳ ।ପ୍ରଥମରେ-୧୩ ନମ୍ବର କଲମର ସବସେକ୍ସନ୍ ଦୁଇରେ ଥିବା ନାଗରିକଙ୍କ ତଥ୍ୟ ସଂଗ୍ରହ କଲା ବେଳେ ସଂପୃକ୍ତ ନାଗରିକ ତାଙ୍କ ବାପା-ମାଙ୍କ ଜନ୍ମ ସ୍ଥାନ ସଂପର୍କରେ ତଥ୍ୟ ରଖିବେ । ଯାହାକୁ ବିଜେଡି ବିରୋଧ କରିଛି । ଦ୍ୱିତୀୟରେ ଜନଗଣନା ସମୟରେ ଏସସି, ଏସସିଙ୍କ ଭଳି ଓବିସିଙ୍କ ଗଣନା ପାଇଁ ସ୍ୱତନ୍ତ୍ର କଲମ୍ ଯୋଡ଼ିବାକୁ ଦାବି କରିଛି ବିଜେଡି ।

ଏସବୁ ଭିତରେ ଓଡ଼ିଶାର ସ୍ୱାସ୍ଥ୍ୟ ସମ୍ମଳିତ ପ୍ରସଙ୍ଗ ଯେମିତି କି ରେଲୱେ, କ୍ଲିନ୍ ଏନର୍ଜି ସେସ୍, ଜିଏସଟି କ୍ଷତିପୂରଣ, ଆନ୍ତଃରାଜ୍ୟ ଜଳ ବିବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦଳୀୟ ସାଂସଦଙ୍କ ସହ ଚର୍ଚ୍ଚା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।