କୃଷକ ପାଇଁ କସରତ । ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଲେ ବିଜେଡି ପ୍ରତିନିଧି ଦଳ ।

228

କନକ ବ୍ୟୁରେ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ମନମୁଖି ମନୋଭାବ ବିରୋଧରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେଲା ବିଜେଡି । ରାଷ୍ଟପତିଙ୍କୁ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏମଏସପି ବୃଦ୍ଧି ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଫୋନ କରିଥିଲେ ମଧ୍ୟ ଏ ବାବଦରେ କର୍ଣ୍ଣପାତ କରୁନାହିଁ କେନ୍ଦ୍ର । ସେଥିପାଇଁ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଇଛୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଦୀର୍ଘ ବର୍ଷ ହେବ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କସରତ ଚାଲିଥିଲା । ତାହା ଏବେ ରାଷ୍ଟ୍ରପତିଙ୍କ ଦରବାରକୁ ଯାଇଛି । ଦଳ ବଳ ସହିତ ମିଶି ରାଷ୍ଟ୍ରପତିଙ୍କୁ ନବୀନ ଦାବିପତ୍ର ଦେଇଛନ୍ତି । ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ଦରବାରରେ ବିଜେଡ଼ି ବିଶାଳ ସମାବେଶ କରିଥିଲା । ସମାବେଶରେ ବିଜେଡି ସୁପ୍ରିମୋ ତାଙ୍କର ସମସ୍ତ ବିଧାୟକ ଓ ସାଂସଦ ସାମିଲ ହୋଇଛନ୍ତି ।

୨୦୧୪ ନିର୍ବାଚନୀ ଇସ୍ତାହାର କଥା ଭୁଲି ଯାଇଛି କେନ୍ଦ୍ର । ଚାଷୀଙ୍କ ପାଇଁ ରାଜ୍ୟ ସରକାର କାମ କରିଚାଲିଛନ୍ତି । ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରହିବ । ନିର୍ବାଚନ ଜିତିବା ପରେ ବିଜେଡି ପ୍ରତିଶ୍ରୁତି ପୂରଣ କରିଛିି । କିନ୍ତୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କଲାନି । ନିର୍ବାଚନୀ ଇସ୍ତାହାର ଦେଇଥିବା ପ୍ରତିଶ୍ରୁତି ପାଳନ କଲେନି କି ସ୍ୱାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିନଥିବା ସମାବେଶରେ ନବୀନ କହିଛନ୍ତି ।