ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି । ୩ ନୂଆ ନାଁରେ ମୋହର ମାରିଲେ ବିଜେଡି ସୁପ୍ରିମୋ, ରାଜ୍ୟସଭା ରେସରୁ ବାଦ୍ ପଡିଲେ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।

2,830

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଫାଙ୍କା ପଡିଥିବା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭା ପ୍ରାର୍ଥୀ ଭାବେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ।

ବିଜେଡିର ଆଇଟି ସେଲର ଅଧ୍ୟକ୍ଷ ଥିବା ଅମର ପଟ୍ଟନାୟକଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଦଳର ମୁଖପାତ୍ର ଥିବା ସସ୍ମିତ ପାତ୍ରଙ୍କୁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ଦଳ । ସେହିଭଳି ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ଦଳ । କେବଳ ବିଜେଡି ନୁହେଁ ବିଜେପି ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଅଶ୍ୱିନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ଏହାପୂର୍ବରୁ ଫାଙ୍କା ପଡିଥିବା ୩ ଆସନରେ ବିଜେଡିରୁ କାହାକୁ ପ୍ରାର୍ଥୀ କରାଯିବ ତାହାକୁ ନେଇ ସସପେନ୍ସ ଜାରି ରହିଥିଲା । ଏପରିକି ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉ ପଟ୍ଟନାୟକ ଏହି ରେସରେ ଆଗରେ ଥିବା ଚର୍ଚ୍ଚା ହେଉଥିଲା । ନିର୍ବାଚନରେ ଟିକେଟରୁ ବଞ୍ଚିତ ହେବା ପରେ ଏହି ଦୁଇ ଭେଟରାନ ନେତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ବିଜେଡି ସୁପ୍ରିମୋ କହିଥିଲେ । କିନ୍ତୁ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଏହି ନେତାଙ୍କ ନାଁ ନାହିଁ ।ତେଣୁ ଏମାନଙ୍କର ପରବର୍ତ୍ତୀ ଆଭିମୁଖ୍ୟ କଣ ରହିବ ତାହା ଉପରେ ନଜର ରହିଛି ।