ଜୟପୁରରେ ମୋଦି କଲେ ସମାଲୋଚନା, ଭୁବନେଶ୍ୱରରେ ଜବାବ ରଖିଲା ବିଜେଡି ।

314

କନକ ବ୍ୟୁରୋ: ଜୟପୁରରେ ଶାସକ ବିଜେଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନାର ଜବାବ ରଖିଲା ବିଜେଡି । ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ଏବଂ ଦେବାଶିଷ ସାମନ୍ତରାୟ ମୋଦିଙ୍କ ସମାଲୋଚନାର ଦୃଢ଼ ଜବାବ ରଖିଛନ୍ତି । ସସ୍ମିତ କହିଛନ୍ତି କି, ଓଡିିଶାବାସୀ ଅପେକ୍ଷା କରିଥିଲେ ଓଡିଶାର ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କିଛି କହିବେ କିନ୍ତୁ ରାଜ୍ୟବାସୀ କିଛି ଶୁଣିବାକୁ ପାଇଲେ ନାହିଁ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ହେଉ ବା ସ୍ପେଶାଲ କାଟାଗୋରୀ ପ୍ରସଙ୍ଗ କିଛି ବି ଉଠାଇଲେ ନାହିଁ ।

ଏପରିକି କୃଷକଙ୍କ ଉନ୍ନତି କ୍ଷେତ୍ର ନେଇ ରାଜ୍ୟ ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ସେ ଜାଣିବା ଦରକାର ଯେ, ପିଏମଙ୍କ କିଷାନ ଯୋଜନାଠୁ କାଳିଆ ଯୋଜନା ଲକ୍ଷେ ଗୁଣ ଭଲ । କିନ୍ତୁ ଚାପରେ ‘କାଳିଆ’କୁ ବନ୍ଦ କରିଦିଆଯାଇଛି । ନରେନ୍ଦ୍ର ମୋଦି ପୂର୍ବରୁ ଯେତେବେଳେ ପ୍ରଧାନନ୍ତ୍ରୀ ନଥିଲେ ଓଡ଼ିଶା ଆସିଥିଲେ । ସେତେବେଳେ ମଧ୍ୟ କିଛି ପ୍ରଭାବ ପଡିନଥିଲା ଓ ଏବେ ବି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ସସ୍ମିତ ।

ସେପଟେ ବିଜେଡିର ଅନ୍ୟ ମୁଖପାତ୍ର ଦେବାଶିଷ ସାମନ୍ତରାୟ ମଧ୍ୟ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନାଠୁ ଆହୁରି ଭଲ ସ୍ୱାସ୍ଥ୍ୟ ନୀତି ନବୀନ ବାବୁ ଆପଣାଇଛନ୍ତି । ଓଡିଶାରେ ବିକାଶ ନେଇ କେନ୍ଦ୍ର ଅନେକ ଥର ବାହା ବାହା ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ପାଳନ ହୋଇନାହିଁ । ଏପରିକି ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାକୁ ଅବହେଳା କରାଯାଇଛି । ତେଣୁ ଆଜି ଜୟପୁରରେ ଯେଉଁ ସବୁ ଅଭିଯୋଗ ରାଜ୍ୟ ସରକାରଙ୍କ ବିରୋଧରେ ମୋଦି ଆଣିଛନ୍ତି ତାହା ଭିତିହୀନ । କାଳିଆ ଯୋଜନା ହିତାଧୀକାରୀ ବଂଟନ ବେଳେ ସାଇଂଟିଫିକାଲି ବଂଟନ ହୋଇଛି । ଦେଶରେ ‘କାଳିଆ’ ପ୍ରଶଂସା ସାଉଣ୍ଟିଥିବାବେଳେ ଏହାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ହୋଇଯାଇଛନ୍ତି ବୋଲି କହିଛନ୍ତି ଦେବାଶିଷ ।