ରାହୁଲଙ୍କ ଆକ୍ଷେପର ଜବାବ ରଖିଲା ବିଜେଡି । କୌଣସି ଦଳ ସହ ନୁହେଁ ବରଂ ଓଡ଼ିଶାବାସୀଙ୍କ ସହ ଆମର ମେଣ୍ଟ ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ଯେ, କଂଗ୍ରେସର ସ୍ୱର୍ଣ୍ଣିମ ଶାସନକୁ ରାଜ୍ୟବାସୀ ଏଯାବତ୍ ଭୂଲି ନାହାନ୍ତି ।

199

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମାଲୋଚନାର ଜବାବ୍ ରଖିଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ଯେ, କଂଗ୍ରେସର ସ୍ୱର୍ଣ୍ଣିମ ଶାସନକୁ ରାଜ୍ୟବାସୀ ଏଯାବତ୍ ଭୂଲି ନାହାନ୍ତି । କଂଗ୍ରେସ ସରକାର ଥିଲାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୩% ଥିଲା ଯାହା ବିଜେଡି ସରକାରଙ୍କ ନେତୃତ୍ୱରେ ୧୦%କୁ ଛୁଇଁଛି । ଏପରିକି କଂଗ୍ରେସ ଶାସନରେ ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା ଓଡ଼ିଶା । ଏବେ ଓଡ଼ିଶାରେ ଯଥେଷ୍ଟ ପରିମାଣର ଚାଉଳ ମହଜୁଦ୍ ରହୁଛି ।

ସେହିପରି ବିଜେପି କେନ୍ଦ୍ର ସରକାରଙ୍କ ଠାରୁ ଦୂରତା ରକ୍ଷା କରୁଛି ବିଜେଡି । ବିଜେଡିର ମେଣ୍ଟ କେବଳ ଓଡ଼ିଶାର ଲୋକଙ୍କ ସହିତ ରହିଛି । ଆଉ ଲୋକଙ୍କ ବିକାଶ ପାଇଁ ବିଜେଡି କାର୍ଯ୍ୟକରୁଛି । ସେଥିପାଇଁ ଦୀର୍ଘ ୧୮ ବର୍ଷ ଧରି ନବୀନ ସରକାରଙ୍କୁ ନିର୍ବାଚିତ କରି ଆସୁଛନ୍ତି ରାଜ୍ୟବାସୀ ବୋଲି ରାହୁଲଙ୍କ ଅଭିଯୋଗନେଇ ସସ୍ମିତ୍ କାଉଣ୍ଟର କରିଛନ୍ତି ।

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ମୋଦି-ନବୀନଙ୍କ ମଧ୍ୟରେ ଭିତିରି ବୁଝାମଣା ସହ ଉଭୟଙ୍କ ଚିନ୍ତାଧାରା ସମାନ । ଏବଂ ଓଡ଼ିଶାରେ ଜନତାଙ୍କ ପାଇଁ ସରକାର ନୁହେଁ ବରଂ ଅମଲା ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି କହି ନବୀନଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ହାଇକମାଣ୍ଡ ।