ଜେଲରେ ରହି ଷଡଯନ୍ତ୍ର ରଚିଥିଲେ ଧଳ ସାମନ୍ତ ବ୍ରଦର୍ସ ! ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ଥିଲେ ବିଧାୟକ ଓ ଦୁଇ ଜଣ ପୋଲିସ ଅଧିକାରୀ

35

କନକ ବ୍ୟୁରୋ : ଧଳସାମନ୍ତ ବ୍ରଦର୍ସଙ୍କ ଷଡଯନ୍ତ୍ରରେ ସାମିଲ ଥିବା ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ରିମାଣ୍ଡରେ ନେବ ପୁଲିସ । ଜାମିନ ନାମଞ୍ଜୁର ହେବା ପରେ ଜେଲରେ ଥିବା ରଂଜିତାଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି । ଆଉ ରଂଜିତା ବିଶ୍ୱାଳ ଗିରଫ ହେବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଂଚଲ୍ୟକର ତଥ୍ୟ । ମିଳିଥିବା ସୂଚନା ଅନୁସାରେ, ଡି-ବ୍ରଦର୍ସଙ୍କ ଷଡଯନ୍ତ୍ରର ନକ୍ସାରେ ଥିଲେ, ଜଣେ ବିଧାୟକ, ୨ ଜଣ ଏସିପି ଏବଂ ଦୁଇ ଜଣ ଠିକାଦାର । ଆଉ ଏମାନଙ୍କୁ ଟାର୍ଗେଟ୍ କରିବା ପାଇଁ ଝାରପଡ଼ା ଜେଲର ବନ୍ଦ କୋଠରୀରେ ପ୍ରସ୍ତୁତ ହୋଇଥିଲା ନୀଳ ନକ୍ସା ।

ଭୁବନେଶ୍ୱର ଝାରପଡ଼ା ଜେଲରେ ପ୍ରସ୍ତୁତ ହୋଇଥିଲା ଷଡଯନ୍ତ୍ରର ନକ୍ସା । ଡି-ବ୍ରଦର୍ସଙ୍କ ଅପରାଧ ସାମ୍ରାଜ୍ୟରେ କଂଟା ହୋଇ ଛିଡା ହେଉଥିବା-ଜଣେ ବିଧାୟକ, ଦୁଇ ଜଣ ପୁଲିସ ଅଧିକାରୀ ଏବଂ ବ୍ୟବସାୟରେ ଶତ୍ରୁ ପାଲଟିଥିବା ୨ଜଣ ଠିକାଦାରଙ୍କୁ ରାସ୍ତାରୁ ସଫା କରି ଦେବା ପାଇଁ ହୋଇଥିଲା ଯୋଜନା ।  ରଂଜିତା ବିଶ୍ୱାଳଙ୍କୁ ପୁଲିସ୍ ଗିରଫ କରିବା ପରେ, ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଆଉ ଯେଉଁ ତଥ୍ୟ ପୁଲିସ ପାଉଛି-ତାହା କଟକ ସହରରେ ଆତଙ୍କ ସୃଷ୍ଟି କଲା ଭଳି ସ୍ଥିତି ସୃଷ୍ଟି କରୁଛି । ଆଉ ଅପରାଧର ଏହି ନକ୍ସା ତିଆରି ହୋଇଥିଲା ଝାରପଡ଼ା ଜେଲର ଅବଦ୍ଧ କୋଠରୀରେ ।

କାହିଁକି ଟାର୍ଗେଟରେ ଥିଲେ ବିଧାୟକ ଓ ପୁଲିସ ଅଧିକାରୀ ?
ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଭିତରେ ଜଣେ ବିଧାୟକ-ଡି ବ୍ରଦର୍ସଙ୍କ ଟାର୍ଗେଟ୍ ଥିବା ବେଳେ ଅପରାଧ ସାମ୍ରଜ୍ୟରେ କଂଟା ସାଜୁଥିବା ୨ଜଣ ଏସିିପିଙ୍କୁ ମଧ୍ୟ ପାନେ ଦେବା ପାଇଁ ଯୋଜନା କରିଥିଲେ ଅପରାଧର ଏହି ବାଦଶାହା । ଆଉ ବାଲିଘାଟ ବଟି ବିବାଦକୁ କେନ୍ଦ୍ରକରି ୨ଜଣ ଠିକାଦାରଙ୍କୁ ରାସ୍ତାରୁ ସଫା କରିବା ପାଇଁ ମାଷ୍ଟର ପ୍ଲାନ୍ କରିଥିଲା-ସୁଶାନ୍ତଧଳ ସାମନ୍ତ ।ଠିକାଦାର ବିଜୟ ପାଲଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ- ମିକୁ ନାୟକ ଏବଂ ସଦା ନାୟକ । ଏହି ଘଟଣାରେ ମିକୁ ନାୟକକୁ ପୁଲିସ୍ ଗରିଫ କରିଥିବା ବେଳେ ସଦାକୁ ପୁଲିସ ଏନକାଉଂଟର ସାମ୍ନା କରିବାକୁ ପଡ଼ିଛି ।

ଆଉ ଏହି ପୁରା ଷଡଯନ୍ତ୍ରରେ ଘନିଷ୍ଠ ସହଯୋଗୀ ହୋଇ ସାମ୍ନାକୁ ଆସିଥିଲେ କଟକ କର୍ପୋରେଟର ରଂଜିତା ବିଶ୍ୱାଳ । କୁହାଯାଉଛି-ଯିଏ ୩ଟି ପିସ୍ତଲ ଏବଂ ୫୫ ରାଉଣ୍ଡ ଗୁଳି ଯୋଗାଇଥିଲେ ରଂଜିତା ଏବଂ ତାଙ୍କ ସହଯୋଗୀ କୁନା ବେହେରା । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତରେ ଥିବା ରଂଜିତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପୁଲିସ । ଆଉ ଏହା ସହ ଘଟଣାର ଚେର ଯାଏଁ ପହଂଚିବା ପାଇଁ ରଂଜିତାଙ୍କ ୩ଟି ମୋବାଇଲର କଲ ଡିଟେଲ ଉପରେ ନଜର ରଖିଛି ।

ରଂଜିତା ବିଶ୍ୱାଳଙ୍କୁ ରିମାଣ୍ଡରେ ନେଇ, କଟକ ପୁଲିସ ଅନେକ ପ୍ରଶ୍ନ ପଚାରିବାକୁ ପ୍ରସ୍ତୁତ ହେଉଛି । କାରଣ ଜେଲର ଚାରିକାନ୍ଥ ଭିତରୁ ଏତେ ସାଂଘାତିକ୍ ଷଡଯନ୍ତ୍ର ରଚା ଯାଉଥିବା ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ ବେଶ ସତର୍କ ହୋଇ ଉଠିଛି ।