କନକ ବ୍ୟୁରୋ : ସମଦୂରତ୍ୱ ଅର୍ଥାତ ସମାନ ଦୂରତା । ଏହି ସମଦୂରତ୍ୱ ଶବ୍ଦଟି ଏବେ ଓଡିଶା ରାଜନୀତିରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । ପାଲଟିବନି ବା କାହିଁକି । କାରଣ ଏହି ଶବ୍ଦଟି ଅନ୍ୟ କାହା ପାଟିରୁ ନୁହେଁ ବରଂ ଖୋଦ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦୋହରାଇଛନ୍ତି । ଏମିତିରେ ବିଜେଡି ରାଜନୀତିରେ ଏହି ଶଦ୍ଦ ବେଶ ବ୍ୟବହୃତ । ନେତା ସବୁବେଳେ ଏହି ଶଦ୍ଦଟି ଦୋହରାଇଥାନ୍ତି ଯେତେବେଳେ ରାଜ୍ୟ ରାଜନୀତିରେ ମେଂଟ ସମୀକରଣ କଥା ଉଠେ । ହେଲେ ପୁଣି ଥରେ ନବୀନ ଏହି ପୁରୁଣା ଶଦ୍ଦ ଦୋହରାଇବା ପଛରେ ରହିଛି କୃଷିମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ହାତ । ରାଜ୍ୟ ରାଜନୀତିର ନୂଆ ସମୀକରଣ ଅର୍ଥାତ୍ କଂଗ୍ରେସ ସହ ବିଜେଡିର ମେଂଟକୁ ନେଇ ଦାମ ଯେଉଁ ବୟାନ ରଖିଥିଲେ ତାହା ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ଦାମ ବାବୁ ବିଜେପିକୁ ଲକ୍ଷ୍ୟ କରି ମାରିଥିଲେ ତେରଛା ବାଣ । ବିଜେପିର ସାମ୍ପ୍ରଦାୟିକ ତତ୍ତ୍ୱକୁ ଅଟକାଇବାକୁ କଂଗ୍ରେସ ସହ ହାତ ମିଳାଯାଇପାରେ ବୋଲି କହିଥିଲେ । ଭାବିଥିଲେ ତାଙ୍କ ବୟାନ ପରେ ହାଇକମାଣ୍ଡ ଖୁସି ହେବେ । ଦାମ ନିଜର ଏହି ବହୁଚର୍ଚ୍ଚିତ ବୟାନରେ କହିଥିଲେ, ୨୦୧୯ରେ ବିଜେପିର ମିଶନ ୧୨୦କୁ ବିଜେଡି ମାତ ଦେବା ସହ ଏହାକୁ ଦିବାସ୍ୱପ୍ନ ବୋଲି ପ୍ରମାଣିତ କରିବ । ବିଜେଡିର ଏହି ମିଶନରେ ଯେଉଁ ଦଳ ସହଯୋଗ କରିବ ତାଙ୍କୁ ଆମେ ଗ୍ରହଣ କରିବୁ । ବିଜେପି ଭଳି ସାଂପ୍ରଦାୟିକ ଶକ୍ତିକୁ ରୋକିବାକୁ ହେଲେ ସବୁ ବିରୋଧୀ ଦଳକୁ ଏକାଠି ଲଢିବାକୁ ପଡିବ । ଏଥିପାଇଁ କଂଗ୍ରେସ ଯଦି ସହଯୋଗର ହାତ ବଢାଏ, ତାହେଲେ ସ୍ୱାଗତ କରାଯିବ ବୋଲି କହିଥିଲେ । ଏତିକିରେ ଦାମ ନିଜ ତୁଣ୍ଡ ବନ୍ଦ କରିନଥିଲେ, ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ସହ ସିଟ୍ ବୁଝାମଣା ଆଡକୁ ମଧ୍ୟ ବଢିଥିଲେ ଦାମ । କଂଗ୍ରେସ କେଉଁ ସିଟରେ ବିଜୟୀ ହେବ ସେନେଇ କହିଲେ, କଥା ଆଗକୁ ବଢିବ ବୋଲି ଗଣମାଧ୍ୟମ ଆଗରେ ରୋକଠୋକ କହିଥିଲେ । ଯାହା ପରୋକ୍ଷରେ କଂଗ୍ରେସ ସହ ମେଣ୍ଟ ଆଡକୁ ଇସାରା କରିଥିଲା । ରାଜନୀତି କ୍ଷେତ୍ରରେ ବିଜେପି ତାଙ୍କର ଶତ୍ରୁ କଂଗ୍ରେସ ନୁହେଁ ବୋଲି କହିଥିଲେ ଦାମ । ଆଉ ଏହି ବୟାନ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଦାମ ବାବୁଙ୍କ ଏହି ବୁଝାମଣା ବୟାନରେ ବ୍ରେକ ଲଗାଇଥିଲେ ହାଇକମାଣ୍ଡ ଅର୍ଥାତ୍ ବିଜେଡି ସୁପ୍ରିମୋ । ନବୀନ ଟ୍ୱିଟ୍ କରି କହିଥିଲେ, ୨୦୧୯ ନିର୍ବାଚନରେ ଦଳ କାହା ସହ ବୁଝାମଣା କରିବ ନାହିଁ । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରକ୍ଷା କରିବ । ବାସ୍ ଏଇଠୁ ଆରମ୍ଭ ହୋଇଥିଲା ସମଦୂରତ୍ୱକୁ ନେଇ ପୁଣିଥରେ ଚର୍ଚ୍ଚା । ନବୀନଙ୍କ ଟ୍ୱିଟ୍ ପରେ ୟୂଟର୍ଣ୍ଣ ମାରିଥିଲେ ଗଣମାଧ୍ୟମ ଆଗରେ ଦମ୍ଭ ଦେଖାଉଥିବା ଦାମ । କହିଥିଲେ, ତାଙ୍କ କଥାକୁ ତିଳରୁ ତାଳ କରାଯାଉଛି । ଆଗାମୀ ନିର୍ବାଚନରେ ଦଳ ୧୨୫ ସିଟରେ ବିଜୟୀ ହେବ କହି, ସଂଖ୍ୟା ଲଢେଇରେ ନିଜକୁ ସାମିଲ କରିଥିଲେ । କିନ୍ତୁ ରାଜନୀତି ସମୀକ୍ଷକ ମାନେ ଦାମଙ୍କ ବୟାନକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ମୁଖ୍ୟମନ୍ତ୍ରୀ ଯଦିଓ ସମଦୁରତ୍ୱ ବାବଦରେ ଯୁକ୍ତି ରଖୁଛନ୍ତି ତଥାପି, ବିଜେଡିର ବରିଷ୍ଠ ନେତା ଦାମ ରାଉତଙ୍କ ଏଭଳି ବୟାନ ପଛରେ ନିଶ୍ଚୟ କିଛି ରହସ୍ୟ ଲୁଚି ରହିଛି ବୋଲି ଚର୍ଚ୍ଚା ଚାଲିଛି । କାରଣ ଗତବର୍ଷ ବିଜେଡିର ସାଂସଦ ଭର୍ତ୍ତୃହରି ମହାତାବ ମଧ୍ୟ କଂଗ୍ରେସ-ବିଜେଡି ମେଣ୍ଟର ପରିକଳ୍ପନା କରିଥିଲେ । ବିଜେପିର ମୁକାବିଲା କରିବା ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ବିଜେଡି ପଛାଇବନି । କିନ୍ତୁ ମେଣ୍ଟର ପରିକଳ୍ପନାକୁ ସେ, ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ କଥା ଅନୁସାରେ କହିଛନ୍ତି ବୋଲି କହିଥିଲେ । ସେତେବେଳେ ତାଙ୍କୁ ଦଳ ଭିତରେ ବିରୋଧର ସାମ୍ନା କରିବାକୁ ପଡିଥିଲା । ଏପରିକି ଏଭଳି ବକ୍ତବ୍ୟ ପାଇଁ ଦଳ ତରଫରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା । କିନ୍ତୁ ଭର୍ତ୍ତୃହରି ଜବାବରେ କଣ କହିଲେ ତାହା କେବଳ ମୁଖ୍ୟମନ୍ତ୍ରୀଙ୍କୁ ଜଣା । ସେବେଠାରୁ ଏକରକମ ଚୁପ୍ ହୋଇ ଯାଇଛନ୍ତି ଭର୍ତ୍ତୃହରି । ଆଉ ନିଜ ଖବରକାଗଜରେ ସଂପାଦକୀୟ ମାଧ୍ୟମରେ ଅନେକ ଗୁରୁତ୍ୱପୁର୍ଣ୍ଣ ମତ ରଖିଛନ୍ତି ।
ତେବେ ଦାମଙ୍କ କଥା ଅଲଗା । ଦାମଙ୍କ ତୁଣ୍ଡରେ ଯେପରି ତୁଣ୍ଡି ବାନ୍ଧିବାକୁ କେହି ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ଦାମ ଏଭଳି ବୟାନ ଦେବା ପରେ ମଧ୍ୟ ଦଳ ତରଫରୁ କୌଣସି କାଯ୍ୟାନୁଷ୍ଠାନ ନିଆଯାଇନି । ଏଠାରେ ପ୍ରଶ୍ନ ଉଠୁଛି ଭତ୍ୃହରିଙ୍କ ବୟାନକୁ ନେଇ ଯେଉଁଠି କାରଣ ଦର୍ଶାସ ନୋଟିସ ଜାରି କରାଯାଉଥିଲା ସେଠାରେ କଂଗ୍ରେସ ଆମର ଶତ୍ରୁ ନୁହେଁ ବୟାନରେ ଦଳ ଚୁପ କାହିଁକି? ଦାମଙ୍କ ବୟାନରେ କିଛି ସତ୍ୟତା ରହିଛି କି? ଯାହା ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ । ଏସବୁ ଭିତରେ ଯଦି ଆମେ ମେଣ୍ଟ କଥା ଦେଖିବା ତେବେ ଏହା ଓଡିଶା ରାଜନୀତି ତଥା ବିଜେଡି ପାଇଁ କିଛି ନୂଆକଥା ନୁହେଁ । ଦୀର୍ଘ ୧୭ ବର୍ଷ ଧରି ରାଜ୍ୟର ଶାସନ ଭାର ହାତକୁ ନେଇଥିବା ନବୀନ ସରକାର ପାଖାପାଖି ୯ ବର୍ଷ ଧରି ବିଜେପିର ହାତ ଧରି ଚାଲିଥିଲେ । ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଗୋଟିଏ ଘାଟରେ ପାଣି ପିଉଥିଲେ ଉଭୟ ବିଜେପି-ବିଜେଡି । କିନ୍ତୁ ୨୦୦୯ରେ ବଦଳିଯାଇଥିଲା ଓଡ଼ିଶା ରାଜନୀତିର ପରିଭାଷା । ୯ ବର୍ଷର ସାଥୀ ବିଜେପିକୁ ବାଏ ବାଏ କରି ଏକାକୀ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଥିଲା ବିଜେଡି । ଆଉ ଏଥିରେ ଦଳ ସଫଳତା ମଧ୍ୟ ପାଇଥିଲା । ଏକାକୀ ସରକାର କରି ଏକ ନୂଆ ଶକ୍ତି ଭାବେ ଓଡ଼ିଶା ରାଜନୀତିରେ ଉଭା ହୋଇଥିଲା ଦଳ । ୨୦୦୯ରେ ବିଜେପି ଠାରୁ ସର୍ମ୍ପକ ଛିନ୍ନ କରିବା ପରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛି ବିଜେଡି । ଏକଥା ନବୀନ ବାରମ୍ବାର ଦୋହରାଇଛନ୍ତି । ଏପରିକି ଏହାର ଡେମୋ ମଧ୍ୟ ବାରମ୍ବାର ଦେଖାଇଛନ୍ତି । ଏପରିକି ଚଳିତବର୍ଷ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ପାଇଁ ଏନଡିଏ ପ୍ରାର୍ଥୀକୁ ସମର୍ଥନ ଜଣାଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ । ଯାହା ନବୀନଙ୍କ ସମଦୂରତ୍ୱ ଫର୍ମୂଲାକୁ ସମ୍ପୂର୍ଣ୍ଣ ଭାବେ ମ୍ୟାଚ କରୁଥିଲା । କିନ୍ତୁ ଓଡ଼ିଶାରେ ଏବେ ମେଣ୍ଟର ପରିକଳ୍ପନା କଣ ପାଇଁ । ସତରେ କଣ ୨୦୧୯ରେ ବିଜେଡି-କଂଗ୍ରେସ ମେଣ୍ଟ ଦେଖିବାକୁ ମିଳିବ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଏଭଳି ମେଣ୍ଟ ପରିକଳ୍ପନା ପଛରେ ଲୁଚି ରହିଛି କି କିଛି ରହସ୍ୟ?
୨୦୧୯ ନିର୍ବାଚନ ପାଇଁ ଆହୁରି ଅନେକ ସମୟ ବାକି ଅଛି । କିନ୍ତୁ ଏବେଠାରୁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଲାଣି । ଆଉ ଏହି ଉଷ୍ମତା ଏବେ ରାଜଧାନୀର ଶୀତକୁ ମଧ୍ୟ ହଜାଇଦେଇଛି । ଉଭୟ ବିଜେଡି-ବିଜେପି ଭିତରେ ଆରମ୍ଭ ହୋଇଛି ପ୍ରତ୍ୟକ୍ଷ ଲଢେଇ । ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ହୋଇଥିବା ଏହି ଲଢେଇ ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି । ପଞ୍ଚାୟତ ନିର୍ବାଚନ ବିଜେପିକୁ ଯେତିକି ଆଶ୍ୱସ୍ତ କରିଛି ତାହା ଠାରୁ ଅଧିକ ବିଜେଡିକୁ ଭୟଭୀତ କରିଛି । କାରଣ ପଞ୍ଚାୟତ ନିବାର୍ଚନରେ ସାଇନବୋର୍ଡ ପାର୍ଟି କୁହାଯାଉଥିବା ବିଜେପି ଦୁଇ ନମ୍ବର ସ୍ଥାନକୁ ଲମ୍ଫ ମାରିଛି । ୨୦୧୨ ତୁଳନାରେ ବିଜେଡି ୨୫ ପ୍ରତିଶତ ସିଟ୍ ହରାଇଥିବା ବେଳେ ବିଜେପି ୯ ଗୁଣା ଅଧିକ ସିଟ୍ ହାତେଇ ବିଜେଡିକୁ ଦେଇଛି ଶକ୍ତ ଧକ୍କା । ବାସ୍ ଏହି ଫଳାଫଳ ହିଁ ବିଜେଡିର ନିଦ ହଜାଇ ଦେଇଥିବା ବେଳେ ବିଜେପି କର୍ମୀଙ୍କ ମନରେ ୨୦୧୯ ନିର୍ବାଚନ ପାଇଁ ଭରି ଦେଇଛି ଜୋସ । ଆଉ ଏହାପରେ ଓଡ଼ିଶାରେ ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଛି ।
ପଞ୍ଚାୟତ ନିର୍ବାଚନ ପରେ ଜୋସରେ ଭରପୂର ବିଜେପି ଦଳ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ୨୦୧୯ ପାଇଁ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଛି । ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ବିଜେପି ଓଡ଼ିଶାରେ ମିଶନ ୧୨୦ ଆରମ୍ଭ କରିଛି । ଲକ୍ଷ୍ୟ ରହିଛି ବିଜେଡି ଭଳି ଅପାରଗ ଓ ସ୍ଥାଣୁ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗିବା ସହ ଶାସନଭାର ହାତକୁ ନେବାକୁ । ଏହି ମିଶନ ସଫଳ କରିବା ପାଇଁ ଓଡିଶାକୁ ବାରମ୍ବାର କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି ଆଉ କର୍ମୀଙ୍କୁ ନିର୍ବାଚନ ଜିତିବାର କୌଶଳ ଶିଖାଇ ଯାଉଛନ୍ତି । ବିଜେଡି ମଧ୍ୟ ଧୀରେ ଧୀରେ ବିଜେପିର ରଣନୀତିକୁ ମୁକାବିଲା କରିବାକୁ ନୁଆ ନୁଆ ତରିକା ଆରମ୍ଭ କଲାଣି । ରାଜନୈତିକ ସମୀକ୍ଷକଙ୍କ ମତରେ, ପଞ୍ଚାୟତ ନିର୍ବାଚନ ପରେ ବିଜେପି ସହ ଏକାକୀ ଲଢିବା ସମ୍ଭବ ନୁହେଁ ବୋଲି ବୋଧହୁଏ ବିଜେଡିର ବରିଷ୍ଠ ନେତା ହୃଦୟଙ୍ଗମ କରି ସାରିଲେଣି । ତେଣୁ ବିଜେପି ସହ ଲଢିବାକୁ ହେଲେ କଂଗ୍ରେସର ହାତ ଧରିବା ଜରୁରୀ ବୋଲି ବିଜେଡି ନେତା ଭାବୁଛନ୍ତି । ତେଣୁ ବାରମ୍ବାର ବିଜେଡି ନେତାଙ୍କ ମୁହଁରେ ବିଜେଡି-କଂଗ୍ରେସ ମେଣ୍ଟ ବିଷୟରେ ଶୁଣିବାକୁ ମିଳୁଛି । କଂଗ୍ରେସ ସହ ମେଣ୍ଟ କରି ବିଜେଡି ୨୦୧୯ ନିର୍ବାଚନ ପାର ହେବାକୁ ଲକ୍ଷ୍ୟ ରଖିଛି ବୋଲି ବାହାରେ ଚର୍ଚ୍ଚା ହେଉଛି । କିନ୍ତୁ କଂଗ୍ରେସ କଣ ଏହି ମେଣ୍ଟ ପାଇଁ ରାଜି ହେବ । ଉଭୟ କଂଗ୍ରେସ ଓ ବିଜେଡି ପଞ୍ଚାୟତ ନିର୍ବାଚନରେ ନିଜ ନିଜର ଭୋଟ ବ୍ୟାଙ୍କ ହରାଇଥିବା ବେଳେ ବିଜେପି ଏହାକୁ ହାତେଇବାରେ ସଫଳ ହୋଇଛି । ଏଭଳି କ୍ଷେତ୍ରରେ ବିଜେପିକୁ ରୋକିବାକୁ ହେଲେ କଂଗ୍ରେସ-ବିଜେଡି ମେଣ୍ଟ ଆବଶ୍ୟକ ବୋଲି କିଛି ବରିଷ୍ଠ ନେତା ଭାବୁଛନ୍ତି । କିନ୍ତୁ ଓଡ଼ିଶାରେ ଯଦି କଂଗ୍ରେସ –ବିଜେଡି ମେଣ୍ଟ ହୁଏ ତେବେ ଏହା ବିଜେପିର ମିଶନ ୧୨୦କୁ ଅଟକାଇ ପାରିବ କି ନାହିଁ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପଂଚାୟତ ନିର୍ବାଚନ ବେଳେ ବିଜେପିର ଯଦିଓ ଶକ୍ତି ବୃଦ୍ଧି ଘଟିଥିଲା, କିନ୍ତୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇ ବର୍ତ୍ତମାନ ବିଜେଡି ନିଜର ଗଡ ବଂଚାଇବାକୁ ଉଦ୍ୟମ ଆରମ୍ଭ କରିଛି । ଖାସ କରି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଜରିଆରେ ଦଳ ପ୍ରତି ନିର୍ବାଚନ ମଣ୍ଡଳୀରେ ପହଂଚି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିଛି । ଏହା ପଛର ଉଦ୍ଦେଶ୍ୟ ରହିଛି, ଦଳ ବିରୋଧରେ ଥିବା ଅସନ୍ତୋଷକୁ ପ୍ରତିହତ କରିବା । କାରଣ, ପଂଚାୟତ ନିର୍ବାଚନ ସମୟରେ ଦଳ ଯେଉଁଭଳି ଆହ୍ୱାନର ସାମ୍ନା କଲା ତାକୁ ମୁକାବିଲା କରିବାକୁ ଦଳ ଏହି ରଣନୀତି ଆପଣାଇଛି । ଦଳ ଗତ ୧୭ ବର୍ଷ ଭିତରେ କଣ କରିଛି, କେଉଁଠି ଅସୁବିଧା ରହିଛି, ସରକାର କଣ ସବୁ ଯୋଜନା କରୁଛନ୍ତି ଆଉ ଆଗକୁ କଣ କରିବାକୁ ଯାଉଛନ୍ତି, ଏହି ତଥ୍ୟ ଧରି ଲୋକଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରିବାକୁ ଉଦ୍ୟମ କରିଛି ବିଜେଡି । ଲୋକଙ୍କ ଠାରୁ ନେତା ଦୁରେଇ ଯାଉଥିବାର ଯେଉଁ ଅଭିଯୋଗ ଆସିଥିଲା ତାକୁ ଦୁର କରିବାକୁ ଏହି ତରିକା ଆପଣାଇଥିଲା ବିଜେଡି । ହୁଏତ ୨୦୧୯ ବେଳକୁ ବିଜେଡି ନିଜ ପୁରୁଣା ସ୍ଥିତି ହାସଲ କରିନେଇଥିବ କିନ୍ତୁ ବିଜେପି ଯେ ଏକ ରାଜନୈତିକ ବିପଦ ଭାବେ ଉଭା ହୋଇଛି ଏହାକୁ ଦଳ ବେଶ ଭଲ ଭାବେ ହୃଦୟଙ୍ଗମ କରୁଛି । କାହିଁକି ନା ଦଳ ଆଉ ରିସ୍କ ନେବା ମୁଡରେ ନାହିଁ । ହୁଏତ ରାଜନୈତିକ ଦୃଶ୍ୟପଟ୍ଟରେ ଯଦି ଆଗାମୀ ଦିନରେ ଆବଶ୍ୟକ ପଡେ ତେବେ ମେଂଟ ସମ୍ଭାବନାକୁ ଖୋଲା ରଖାଯାଉଥିବା ରାଜନୈତିକ ସ୍ତରରେ ଆଲୋଚନା କରାଯାଉଛି ।
ଅତୀତରେ ମଧ୍ୟ ବିହାରରେ ବିଜେପି ରଥକୁ ରୋକିବାକୁ କଂଗ୍ରେସ-ଆରଜେଡି-ଜେଡିୟୁ ଦଳ ହାତ ମିଳାଇଥିଲେ । ଗଠନ ହୋଇଥିଲା ମହାମେଂଟ । ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲେ । ସାଂପ୍ରଦାୟିକ ଶକ୍ତିକୁ ଅଟକାଇବାର ନାରା ଦେଇ ଏହି ମେଣ୍ଟ କରାଯାଇଥିଲା । ଏହି ମେଣ୍ଟ ବିଜେପିକୁ ମାତ ଦେଇ ଶାସନଭାର ମଧ୍ୟ ହାତକୁ ନେଇଥିଲେ । କିନ୍ତୁ ରାଜନୀତିରେ କିଛି ବି ଘଟିପାରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା ବିହାରରେ । ଖୁବ କମ ଦିନ ମଧ୍ୟରେ ଭାଙ୍ଗି ଯାଇଥିଲା ଏହି ମହାମେଣ୍ଟ । କେବଳ ବିହାର ନୁହେଁ ଉତ୍ତର ପ୍ରଦେଶ ନିର୍ବାଚନ ସମୟରେ ମଧ୍ୟ ମହାମେଣ୍ଟର ପରିକଳ୍ପନା କରାଯାଇଥିଲା । କିନ୍ତୁ ବାସ୍ତବ ରୂପ ନେବା ପୂର୍ବରୁ ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା ଏହି ମହାମେଣ୍ଟ । କିନ୍ତୁ ଉତ୍ତର ପ୍ରଦେଶ ନିର୍ବାଚନ ପରେ ନେତାମାନେ ସ୍ୱୀକାର କରିଥିଲେ ଯେ, ଯଦି ମେଣ୍ଟ ହୋଇ ନିର୍ବାଚନ ଲଢା ଯାଇଥାନ୍ତା ତେବେ ବିଜେପିକୁ ଅଟକାଯାଇ ପାରିଥାନ୍ତା ।
ଏବେ ସମୟ ବଦଳିଛି । ରାଜ୍ୟରେ ମଧ୍ୟ ମୋଦି ହାୱା ଧୀରେ ଧୀରେ ବଢିବାରେ ଲାଗିଛି । ଉଦାହରଣ ଭାବେ ପଂଚାୟତ ନିର୍ବାଚନକୁ ନିଆଯାଇପାରେ । ଯଦିଓ ବିଜେଡି ନେତା ବିଜେପିକୁ ଏକ ଶକ୍ତି ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ଦଳର ହାବଭାବ ଏହା ପ୍ରମାଣିତ କରିବାକୁ ଯଥେଷ୍ଟ ଯେ, ଦଳ ବ୍ୟାକଫୁଟକୁ ଯିବା ପରେ ନିଜକୁ ସମ୍ଭାଳିବା ଆରମ୍ଭ କରିଛି । ତେଣୁ ସମସ୍ତ ପ୍ରକାରର ରାସ୍ତାକୁ ଖୋଲା ରଖିବାକୁ ବିଜେଡି ଅନ୍ଦର ମହଲ ଚିନ୍ତା କରୁଥିବା ଅନୁମାନ କରାଯାଉଛି । ଏହା ଭିତରେ କଂଗ୍ରେସ ସହ ମେଂଟ ବିଜେଡି ପାଇଁ ଏକ ବିକଳ୍ପ ହୋଇପାରେ । ଯଦି ୨୦୧୯ ନିର୍ବାଚନ ବେଳକୁ ରାଜ୍ୟରେ ବିଜେପି ଶାସକ ବିଜେଡି ପାଇଁ ବଡ ଧରଣର ବିପଦ ଆଣିଦିଏ, ତେବେ ହୁଏତ ଏହି ମେଂଟର ପରିକଳ୍ପନା କରାଯାଇପାରେ । ଠିକ ଯେମିତି ବିହାରରେ ଘଟିଥିଲା ।
ଆଜିର ଦିନରେ ହୁଏତ ଏହା ଖୁବ ଜଲଦି ହୋଇଯିବ କହିବା ଯେ ରାଜ୍ୟରେ ଆଗାମୀ ଦିନରେ କୈାଣସି ମେଂଟ ହେବ କି ନାହିଁ । କାରଣ ରାଜନୀତିରେ ଘଡିକେ ଘୋଡା ଛୁଟେ । କେତେବେଳେ ଶତ୍ରୁ ମିତ୍ର ହୁଏ ତ କେତେବେଳେ ମିତ୍ର ଶତ୍ରୁ ବନେ । ବିହାର ରାଜନୀତି ସହ ଜାତୀୟ ସ୍ତରରେ ଅନେକ ରାଜ୍ୟରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ହେଲେ ଓଡିଶା ରାଜନୀତି ଆଜି ଯାଏଁ ଏକ ଭିନ୍ନ ମୋଡରେ ଥିଲା । ନବୀନ ପଟ୍ଟନାୟକ ଜଣେ ଏଭଳି ରାଜନେତା ଯିଏ ସବୁବେଳେ ନିଜ ପ୍ରତିପକ୍ଷଙ୍କୁ ଚକମା ଦେଖାଇବାରେ ବିଶ୍ୱାସ କରନ୍ତି । ରାଜନୈତିକ ସମୀକ୍ଷକଙ୍କ ଆକଳନ ମଧ୍ୟ ଓଲଟା ହୁଏ ନବୀନଙ୍କ ଗୋଟିଚାଳନାକୁ ନେଇ ଆକଳନ କଲାବେଳେ । ପଂଚାୟତ ନିର୍ବାଚନ ପରେ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବା, ପ୍ରଶାସନକୁ ଅଧିକ କ୍ରିୟଶୀଳ କରିବା ଆଉ ବିଶେଷକରି ନେତାଙ୍କୁ ଗାଁକୁ ପଠାଇ ଲୋକଙ୍କ ସହ ସିଧା ସଂପର୍କ ସ୍ଥାପନ କରିବାକୁ କହିବା, ଏହା ଦଳର ପଲ୍ଲାକୁ ମଜଭୁତ କରୁଛି । ତେବେ ରାଜନୀତିରେ ଗୋଟିଏ ଦିନ ସ୍ଥିତି ବଦଳାଇବାକୁ ଦେବାକୁ ଯଥେଷ୍ଟ ବୋଲି ବିବେଚନା କରାଯାଏ । ତେଣୁ ଏଭଳି ସ୍ଥିତିରେ ସବୁ ଆଡି ସମ ଦୁରତ୍ୱ ଅବଲମ୍ବନ କରୁଥିବା ବିଜେଡି ହୁଏତ ଆବଶ୍ୟକ ପଡିଲେ କାହା ଆଡକୁ ଢଳିପାରେ ବୋଲି ଅନୁମାନ କରାଯାଉଛି ।