ରାଜ୍ୟ ରାଜନୀତିରେ ନୂଆ ସମୀକରଣ ନେଇ ଦାମଙ୍କ ଗୁଗଲି ! କହିଲେ ବିଜେଡି ସହ କଂଗ୍ରେସ ମିଶିଲେ ସ୍ୱାଗତ କରିବୁ

36

କନକ ବ୍ୟୁରୋ : ଦାମଙ୍କ ମୁହଁରେ ଦମଦାର ଖବର । ବିଜେଡି ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, କଂଗ୍ରେସର ସହଯୋଗ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି ବିଜେଡି । ମୋଦିଙ୍କ କାର୍ଯ୍ୟଧାରାରେ ଖପ୍ପା ବିଜେଡି, ଜାତୀୟସ୍ତରରେ ବିଜେପିର ଏକ ନମ୍ବର ଶତ୍ରୁ କଂଗ୍ରେସ ସହ ହାତ ମିଳାଇବାକୁ ପ୍ରସ୍ତୁତ ଅଛି । ତେବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ସହମତିରେ ଦାମ ଏଭଳି ମନ୍ତବ୍ୟ ଦେଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଦାମଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଦିନତମାମ ଆଜି ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଛି ।

damaରାଜ୍ୟ ସଚ୍ଚିବାଳୟରେ ନିଜ ପ୍ରକୋଷ୍ଠରେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କିଛି ନିଆରା ଢଙ୍ଗରେ କଥା ଆରମ୍ଭ କଲେ । ବିଜେପି ଓ କଂଗ୍ରେସ ଠାରୁ ସମଦୁରତ୍ୱ କହି ବାରମ୍ବାର ଓଡିଶାବାସୀଙ୍କ ଆସ୍ଥାଭାଜନ ହେଉଥିବାବିଜେଡି ସରକାରଙ୍କ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଅଛୁଁଆ ନୁହେଁ କଂଗ୍ରେସ । ବାରମ୍ବାର ବିବାଦୀୟ ବୟାନ ଦେଇ ଦଳକୁ ଅଡୁଆ ଭିତରକୁ ଟାଣି ନେଉଥିବା ମନ୍ତ୍ରୀ ଦାମୋଦର ରାଉତ ରାଜ୍ୟ ରାଜନୀତିରେ ନୂଆସମୀକରଣ ଆଡକୁ ଇସାରା କରିଛନ୍ତି । କହିଲେ, ଅଣବିଜେପି ଦଳଙ୍କ ସହଯୋଗ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ବିଜୁ ଜନତା ଦଳା କିଛି ସମୟ ପରେ ସ୍ପଷ୍ଟ କଲେ ଯେଉଁ ଅଣ ବିଜେପି ଦଳ କଥା ସେ କହୁଛନ୍ତି, ସେ ହେଉଛି କଂଗ୍ରେସ । ତେବେ ଦାମଙ୍କ ଏଭଳି ବୟାନ ପଛର କାରଣ ସେ ନିଜେ ଖୋଲିଥିଲେ । କାହିଁକି କଂଗ୍ରେସ ସହ ମେଣ୍ଟ କଥା ଚିନ୍ତା କରୁଛନ୍ତି ବୋଲି ତାହାର ଗୁମର ଖୋଲିଥିଲେ ଦାମ । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀରେ ସହମତ ହୋଇପାରୁନାହିଁ ବିଜେଡି ଏବଂ ଜାତୀୟ ଦୃଶ୍ୟପଟରେ ବିଜେପିର ଏକ ନମ୍ବର ଶତ୍ରୁ କଂଗେସ ସହ ହାତ ମିଳାଇବାକୁ ପ୍ରସ୍ତୁତ ଅଛି ଦଳ ।

ଏହାସହ ଦାମ ଆଉ ଏକ ପାଦ ଆଗକୁ ଯାଇ କହିଛନ୍ତି, ଯଦି ବୁଝାମଣା ଆଗକୁ ଯାଏ ତେବେ ଯେଉଁ ଆସନରେ କଂଗ୍ରେସ ଜିତିବାର ସମ୍ଭାବନା ରହିଛି । ସେହି ଆସନ ଗୁଡିକ ବିଜେଡି ଛାଡି ଦେଇପାରେ । ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ ଏହା ଦାମଙ୍କ ବୟାନ ନା ଦଳୀୟ ବୟାନ । ପ୍ରକୃତରେ ଯଦି ବିଜେଡି ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଏ, ତେବେ କଂଗ୍ରେସର ଆଭିମୁଖ୍ୟ କଣ ରହିବ? ଏହାଛଡା ଯଦି ଦାମଙ୍କ ପ୍ରସ୍ତାବ ଅନୁସାରେ କଥା ଆଗକୁ ବଢେ ତେବେ ରାଜ୍ୟ ତଥା ଜାତୀୟ ରାଜନୀତିର ସମୀକରଣରେ ଏକ ବିରାଟ ପରିବର୍ତ୍ତନ ଆସିପାରେ ।

ଦାମଙ୍କ ବୟାନ ଉପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଦାମଙ୍କ ଏହା ବ୍ୟକ୍ତିଗତ ମନ୍ତବ୍ୟ । ବିଜେଡିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହା ଦାମଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି ।