ରାଜ୍ୟସଭା ପାଇଁ ନାଁ ଭରିଲେ ୩ ବିଜେଡି ପ୍ରାର୍ଥୀ ! ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ

26

କନକ ବ୍ୟୁରୋ : ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ତିନି ନେତା । ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ ପରେ ନବୀନ କହିଛନ୍ତି, ଏହି ତିନି ଜଣ ନେତା ଓଡିଶାର ପ୍ରସଙ୍ଗକୁ ଦିଲ୍ଲୀ ଦରବାରରେ ଉଠାଇବେ ଏବଂ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରିବେ ।

ଆସନ୍ତା ଏପ୍ରିଲ ୩ ତାରିଖରେ ଓଡିଶାର ତିନି ରାଜ୍ୟସଭା ସଦସ୍ୟ ଦିଲ୍ଲୀପ ତିର୍କୀ, ଅନଙ୍ଗ ଉଦୟ ସିଂଦେଓ ଓ ଏଭି ସ୍ୱାମୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏମାନଙ୍କ ସ୍ଥାନ ନେବାକୁ ଯାଉଛନ୍ତି, ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ । ଦୁଇ ଦିନ ପୂର୍ବରୁ ଏହି ତିନି ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ଆସି ନାମାଙ୍କନ ଦାଖଲରେ ଉପସ୍ଥିତ ରହିଲେ ।

ନାମାଙ୍କନ ଦାଖଲ ପ୍ରକ୍ରିୟାରେ ପ୍ରଥମେ ନାଁ ଭରିଥିଲେ ମୁଖପାତ୍ର ପ୍ରଶାନ୍ତ ନନ୍ଦ । ଓଡିଆ ଚଳଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ଓ ଲେଖକ ପରିଚିତ ଏହି ବ୍ୟକ୍ତି ଦୁଇ ଦୁଇ ଥର ବିଧାୟକ ଭାବେ ବିଧାନସଭାକୁ ଆସି ଜଣେ ଅଭିଜ୍ଞ ରାଜନେତାର ପରିଚୟ ବି ସୃଷ୍ଟି କରିପାରିଛନ୍ତି । ନାମାଙ୍କନ ଦାଖଲରେ ସମ୍ପତିର ହିସାବ ଦେଇ ପ୍ରଶାନ୍ତ ଜଣାଇଛନ୍ତି ଯେ ତାଙ୍କ ପାଖରେ ୫୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତି ଓ ୨୯ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତି ରହିଛି ।

 

ପ୍ରଶାନ୍ତ ନନ୍ଦଙ୍କ ପରେ ନାମାଙ୍କନ ଦାଖଲ କରିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ଭାଷା, ଚଷା ଓ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଓଡିଶାର ସ୍ୱରକୁ ଶାଣିତ କରିଥିବା ଏବଂ ରକ୍ତଦାନକୁ ଏକ ଆନ୍ଦୋଳନର ରୂପ ଦେଇ ପାରିଥିବା ଏହି ୬୫ ବର୍ଷିୟ ରାଜନେତା ଏବେ ସଂସଦର ଉଚ୍ଚ ସଦନରେ ଓଡିଶାର ପ୍ରସଙ୍ଗ ଉଠାଇବେ । ଏକାଦଶ ଲୋକସଭାରେ ସଦସ୍ୟ ରହିଥିବା ସୌମ୍ୟରଂଜନ ଦ୍ୱିତୀୟ ଥର ପାଇଁ ସଂସଦ ଯାଉଛନ୍ତି । ନିଜ ସତ୍ୟପାଠରେ ୧୧ କୋଟି ଟଙ୍କାର ସ୍ଥାବର ଓ ୬ କୋଟି ଟଙ୍କାର ଅସ୍ଥାବର ସମ୍ପତି ଦର୍ଶାଇଛନ୍ତି ସୌମ୍ୟରଂଜନ । ନାମାଙ୍କନ ଦାଖଲ ପରେ ବିଜେଡିରେ ଯୋଗଦେବା ଓ ସେନେଇ ଉଠୁଥିବା ପ୍ରସଙ୍ଗ ଉପରେ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି ।

ଶେଷରେ ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଡ. ଅଚ୍ୟୁତ ସାମନ୍ତ । କିଟ୍ ଓ କିସ୍ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ନାଁ ରଖିଥିବା ଏହି ସମାଜସେବୀ ଏବେ ସଂସଦର ଉଚ୍ଚ ସଦନରେ ଓଡିଶାର ପ୍ରସଙ୍ଗ ଉଠାଇବେ । ନିଜ ଘୋଷଣାପତ୍ରରେ ଡ. ସାମନ୍ତ ୧ ଲକ୍ଷ ୮୬ ହଜାର ଟଙ୍କାର ସ୍ଥାବର ସମ୍ପତି ଦର୍ଶାଇଥିବା ବେଳେ ୧୨ ହଜାର ଟଙ୍କାର ଅସ୍ଥାବର ସମ୍ପତି ଦର୍ଶାଇଛନ୍ତି ।

ବିଜେଡିର ବିଧାୟକ ସଂଖ୍ୟା ଦୃଷ୍ଟିରୁ ତିନୋଟି ଆସନରେ ଦଳୀୟ ପ୍ରାର୍ଥୀ ଜିତିବା ଏକପ୍ରକାର ନିଶ୍ଚିତ । ଯଦି ଆଉ କେହି ଆବଶ୍ୟକ ସମର୍ଥକ ସଂଖ୍ୟା ସହ ନାମାନଙ୍କନ ଦାଖଲ କରନ୍ତି, ତେବେ ଆସନ୍ତା ୨୩ ତାରିଖରେ ନିର୍ବାଚନ ହେବ । ନଚେତ୍ ଏହି ତିନି ପ୍ରାର୍ଥୀଙ୍କର ରାଜ୍ୟସଭା ସଦସ୍ୟ ହେବା ନେଇ ଆନୁଷ୍ଠାନିକ ଘୋଷଣା ହେବ ।