ବ୍ୟାସନଗରରେ ଛାୟାଯୁଦ୍ଧ : ଛୋଟ ସହରରୁ ବିଜେଡି ପାଇଁ ଆସୁଛି ବଡ ଚ୍ୟାଲେଂଜ୍

72

ବିଜେଡି ପାଇଁ ଅଗ୍ନିପରୀକ୍ଷାର ସମୟ । ଗୋଟାଏ ପରେ ଗୋଟାଏ ପୌର ପରିଷଦ ହାତରୁ ଯିବା ପରେ, ଏବେ ବ୍ୟାସନଗରର ପାଳି। ଆସନ୍ତାକାଲି ହେବାକୁ ଥିବା ଅନାସ୍ଥା ଭୋଟିଂରୁ ନିବୃତ ରହିବାକୁ ବିଜେଡି କାଉନସିଲରଙ୍କୁ ହ୍ୱିପ ଜାରି କରାଯାଇଛି। ନିଜ ଭିତରେ ଥିବା ମତଭେଦ ଦୂର ହୋଇଥିବା ନେଇ କାଉନସିଲରମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କହିଥିବା ସତ୍ୱେ ଆଶା ଆଶଙ୍କାରେ ଅଧ୍ୟକ୍ଷ ପଦ।

ଅନାସ୍ଥା ଭୋଟିଂ ପାଇଁ ଧାର୍ଯ୍ୟ ହୋଇଛି ସେପ୍ଟେମ୍ବର ୭, ୨୦୧୬। ଭୋଟିଂରେ ଯୋଗ ନ ଦେବା ପାଇଁ ବିଜେଡି ହ୍ୱିପ ଜାରି କରିଛି। ଆଶାଆଶଙ୍କା ଦେଇ ଗତି କରୁଥିବା ବ୍ୟାସନଗର ମୁନିସିପାଲଟିରେ ବିଜେଡି ବାଜିମାତ୍ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି ।

ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି ବ୍ୟାସନଗର ମୁନିସିପାଲଟି । ହେଲେ କୋରେଇରେ ଦୁଇ ଦୁଇ ଥର ବିଜେଡି ଭିନ୍ନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ପୂର୍ବତନ ବିଧାୟକ ପ୍ରୀତିରଂଜନ ଘଡାଇ ଓ ବର୍ତ୍ତମାନର ବିଧାୟକ ଆକାଶ ଦାସନାୟକଙ୍କ ଭିତରେ ଅର୍ନ୍ତଦ୍ୱନ୍ଦ୍ୱରୁ ବ୍ୟାସନଗର ମୁନିସିପାଲଟି ବିବାଦ ଉପୁଜିଥିବା ଚର୍ଚ୍ଚା ହେଉଛି।

କୁହାଯାଉଛି, ଏହା ଭିତରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଖେଳିଛନ୍ତି ବଡ ଧରଣର ରାଜନୀତି। ତୃଣମୁଳ ସ୍ତରରେ ଅନ୍ତଦ୍ୱର୍ନ୍ଦ୍ୱ ବଢାଇବାକୁ ଗୋଟି ଚାଳନା ହୋଇଥିବା ଚର୍ଚ୍ଚା ଚାଲିଛି । ଖାଲି ଏତିକି ନୁହେଁ, ଦୁଇ ଦୁଇ ଥର ଯାଜପୁରରେ ବରିଷ୍ଠ ମନ୍ତ୍ରୀ ଡେରା ପକାଇ ବିବାଦ ଥମାଇବାକୁ ଉଦ୍ୟମ କରିଥିଲେ, ହେଲେ ବିଫଳ ହୋଇଥିଲେ। ଆଉ ଶେଷରେ ରାଜଧାନୀରେ ରାଜନୀତିର ଅନ୍ତ ଘଟିଥିବା ସଂକେତ ମିଳିଛି। ହେଲେ ରହିଛି କିଛି ସର୍ତ। ସୂଚନା ଅନୁସାରେ, ଆସନ୍ତାକାଲିର ଅନାସ୍ଥା ଭୋଟରେ ବିଜେଡି କାଉନସିଲର ସାମିଲ ହେବେନି, ଆଉ ଏହା ବଦଳରେ ୭ ଦିନ ଭିତରେ ଅଧ୍ୟକ୍ଷା ପଦ ଛାଡିବେ ସବିତା ରାଉତ। ଫଳରେ ଆକାଶ ଦାସ ନାୟକଙ୍କ ଗଡରେ ପୁଣି ଧ୍ୱଜା ଉଡାଇବେ ଘଡାଇ ପରିବାର।