କେନ୍ଦ୍ର ସହିତ ଆରମ୍ଭ ହେଲା ବିକାଶକୁ ନେଇ ମହାଭାରତ : ମୋଦିଙ୍କ ବୈଠକକୁ ପ୍ରତ୍ୟାଖ୍ୟାନ କଲେ ନବୀନ

40

କନକ ବ୍ୟୁରୋ : ପଛୁଆ ଜିଲ୍ଲାର ବିକାଶ ପାଇଁ ଦେଶର ସବୁଡୁ ବଡ଼ ବୈଠକରେ ଯୋଗ ଦେବେ ନାହିଁ ବୋଲି ରୋକଠୋକ ଶୁଣାଇଦେଲେ ନବୀନ ସରକାର । ଶାସକ ଦଳର ଯୁକ୍ତି, ନୀତି ଆୟୋଗ ଏହି ନିଷ୍ପତ୍ତି ଏକଚାଟିଆ ଭାବେ ନେଇଛି । ରାଜ୍ୟ ସହ ଏ ନେଇ ଆଦୌ ଆଲୋଚନା କରାଯାଇନାହିଁ ।

ଜାନୁୟାରୀ ୪ ତାରିଖରେ ହେବ ପଛୁଆ ଜିଲ୍ଲାର ବିକାଶ ପାଇଁ ନୀତି ଆୟୋଗର ବୈଠକ । ମୋଦିଙ୍କ ନ୍ୟୁ ଇଣ୍ଡିଆ-୨୦୨୨ ପାଇଁ ୧୧୫ ଟି ପଛୁଆ ଜିଲ୍ଲାକୁ ବଛାଯାଇଛି । ଯେଉଁଥିରେ ଓଡିଶାର ରହିଛି ୮ଟି ଜିଲ୍ଲା । କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, ରାୟଗଡା , କୋରାପୁଟ, ବଲାଙ୍ଗିର, ଗଜପତି ଓ ମାଲକାନଗିରି । ଦାରିଦ୍ର୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ ପଛରେ ଥିବା ଓ ମାଓବାଦୀ ଅଧ୍ୟୁଷିତ ଜିଲ୍ଲାକୁ ନେଇ ନୀତି ଆୟୋଗ ତିଆରି କରିଛି ତାଲିକା । ଏହି ଜିଲ୍ଲା ଗୁଡିକ ପାଇଁ କେନ୍ଦ୍ର ସରକାର ଅତିରିକ୍ତ ଯୁଗ୍ମ ସଚିବ ପାହ୍ୟାରେ ଅଫିସର ନିଯୁକ୍ତ କରିଛନ୍ତି ।

ଦିଲ୍ଲୀରେ ଡେପୁଟେସନରେ ଥିବା ଏହି ଅଫିସର ମାନେ କେନ୍ଦ୍ର ଓ ରାଜ୍ୟ ସହ ସମନ୍ୱୟ ରକ୍ଷା କରି କାମ କରିବେ । ତେବେ କେନ୍ଦ୍ର ନିଷ୍ପତ୍ତି ନେବା ପୂର୍ବରୁ କାହିଁକି ରାଜ୍ୟ ସହ ଆଲୋଚନା କଲାନାହିଁ, ଏପରି ଯୁକ୍ତି ବାଢି ମୋଦିଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କଲେ ନବୀନ । ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ସଂପୃକ୍ତ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଅନୁମତି ଦେଲେ ନାହିଁ ଓଡ଼ିଶା ସରକାର ।

ରାଜନୈତିକ ଛକାପଂଝା ଭିତରେ ବନ୍ଧା ପଡିଯାଇଛି ପଛୁଆ ଅଂଚଳର ବିକାଶ । ସଂଘୀୟ ବ୍ୟବସ୍ଥା ଭିତରେ କାହିଁକି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ଆଗ୍ରହ ଦେଖାଇଲା ନାହିଁ ତାହା ଏକ ବଡ଼ ପ୍ରଶ୍ନ । ସେପଟେ ମୋଦିଙ୍କ ନ୍ୟୁ ଇଣ୍ଡିଆ-କାର୍ଯ୍ୟକ୍ରମରେ ଓଡ଼ିଶା ଯୋଗନଦେଲେ ପଛୁଆ ଜିଲ୍ଲାର ବିକାଶ କେଉଁ ମୋଡ଼ ନେବ । ଯେଉଁ ଅନୁଦାନ ଆସିଥାନ୍ତା, ତାହାର ଭବିଷ୍ୟତ କ’ଣ ହେବ, ଏ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାକୁ ନେଇ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି ।

ତେବେ କେଉଁ ଭିତ୍ତିରେ ଅନୁନ୍ନତ ଜିଲ୍ଲା ଚୟନ କରାଯାଇଛି, କେଉଁ ଭତ୍ତିିରେ ଅଫିସରଙ୍କ ତାଲିକା ଗଠନ କରାଯାଇଛି, ତାହା ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନନେଇ କେନ୍ଦ୍ର ସରକାର କେମିତି କାମ ଆଗକୁ ବଢିବ, ତାହା ଏବେ ବଡ ପ୍ରଶ୍ନ ।