ନିର୍ବାଚନୀ ସଭାରେ ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ । କେନ୍ଦ୍ର ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଲେ, ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । 

130

କନକ ବ୍ୟୁରୋ : ନିର୍ବାଚନ ପାଇଁ ପ୍ରଚାର ମଇଦାନ କମ୍ପୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । କେନ୍ଦ୍ରୀୟ ଅବହେଳା ଅଭିଯୋଗ କରି ବିଜେପିକୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଥିବା ବେଳେ ଏହାର ଜବାବରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି , କେନ୍ଦ୍ର ସରକାରଙ୍କୁ ଗାଳି ଦେବା ଛଡା ପ୍ରଚାର କରିବା ପାଇଁ ନବୀନଙ୍କ ପାଖରେ କିଛି ନାହିଁ । ଧର୍ମେନ୍ଦ୍ରଙ୍କ ଏପରି ଆକ୍ଷେପର କଡା ଜବାବ ରଖିଛି ବିଜେଡି ।

କନ୍ଧମାଳ ତୁମୁଡିବନ୍ଧ ନିର୍ବାଚନ ସଭାରେ ପୁଣିଥରେ କେନ୍ଦ୍ରୀୟ ଅବହେଳା ନେଇ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଓଡ଼ିଶାର ସ୍ୱାର୍ଥକୁ ବାରମ୍ବାର ଅଣଦେଖା କରିଆସୁଛନ୍ତି କେନ୍ଦ୍ର ସରକାର ।

ସେପଟେ ନବୀନଙ୍କ କେନ୍ଦ୍ରୀୟ ଅବହେଳା ଅଭିଯୋଗକୁ ନେଇ ଚିହିଁକି ଉଠିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ନବୀନଙ୍କ ଭାଷଣରେ କୌଣସି ପ୍ରସଙ୍ଗ ନାହିଁ । ୫ବର୍ଷରେ ତାଙ୍କ ସରକାର କଣ କରିଛି, ଉପଲବ୍ଧି କଣ ରହିଛି ସେକଥା ଭାଷଣରେ କହୁ ନାହାନ୍ତି ନବୀନ । କେବଳ ମୋଦିଙ୍କୁ ଗାଳି ଦେବା ଛଡା ପ୍ରଚାର କରିବା ପାଇଁ ନବୀନଙ୍କ ପାଖରେ କିଛି ନାହିଁ ବୋଲି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ ଦେଇଛି ବିଜେଡି । ଧର୍ମେନ୍ଦ୍ରଙ୍କୁ ପଳାତକ ନେତା କହି ଆକ୍ଷେପ କରିଛନ୍ତି ଦଳର ମୁଖପାତ୍ର ସସ୍ମିତ ପାତ୍ର । ନିର୍ବାଚନ ନ ଲଢ଼ି ଗଳାବାଟ ଖୋଜି ଧର୍ମେନ୍ଦ୍ର ରାଜ୍ୟ ରାଜନୀତିରେ ଏଂଟ୍ରି ମାରିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ସସ୍ମିତ ।  ନିର୍ବାଚନ ମଇଦାନ ସରଗରମ ହେଉଥିବା ବେଳେ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି ।