ମହାନଦୀ ପରେ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି : କହିଲା ସୁପ୍ରିମକୋର୍ଟରେ ଏକପାଖିଆ ସତ୍ୟପାଠ ଦେଇଛନ୍ତି ମୋଦି ସରକାର

21

କନକ ବ୍ୟୁରୋ : ବିଧାନସଭାରେ ପୁଣି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ଆଜି ଗୃହକୁ ଅଚଳ କରିଦେଲେ ବିରୋଧୀ ବିଜେପି ବିଧାୟକ । ଚଳିତବର୍ଷ ରାଜ୍ୟରେ ୩୫ଜଣ ଚାଷୀ ଆତ୍ମହତ୍ୟା କରିଥିବାବେଳେ ଏହାକୁ ଫସଲ ଜନିତ ବୋଲି ସରକାର ମାନିନେବାକୁ ଦାବି କରି ପ୍ରବଳ ହଟ୍ଟଗୋଳ କରିଥିଲେ ବିଜେପି ସଦସ୍ୟ । ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ସହ ବୋନସ ପ୍ରଦାନ ଦାବିରେ ପାଟିତୁଣ୍ଡ କରିଥିଲେ । କୃଷିଋଣ ଛାଡ କରିବାକୁ କହିଥିଲେ । ଫଳରେ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି ।

ସେପଟେ ବିଜେପିକୁ କାଉଁଟର କରିବା ପାଇଁ ବିଜେଡି ହାତରେ ଲାଗିଯାଇଛି ଏକ ପ୍ରମୁଖ ଅସ୍ତ୍ର । ପୁଣିଥରେ କେନ୍ଦ୍ର ଅବହେଳାର କଥା ଉଠାଇ ଭାରତୀୟ ଜନତା ପାର୍ଟିକୁ କାଠଗଡାରେ ଛିଡା କରାଇଛି ବିଜେଡି । ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକପାଖିଆ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ବର୍ଷିଛି ବିଜୁ ଜନତା ଦଳ । ଓଡିଶାର ସ୍ୱାର୍ଥକୁ ଅଣଦେଖା କରି ମୋଦି ସରକାର ଆନ୍ଧ୍ରପ୍ରଦେଶ ସପକ୍ଷରେ ପିଟିସନ କରିଥିବା ଅଭିଯୋଗରେ ନିଜନିଜ ଆସନରେ ଛିଡାହୋଇ ପ୍ରତିବାଦ କରିଥିଲେ ଶାସକ ଦଳ ସଭ୍ୟ ।

କେତେବେଳେ ବିରୋଧୀ ତ ପୁଣି କେତେବେଳେ ଶାସକ ଦଳ ସଭ୍ୟଙ୍କ ହୋହଲ୍ଲା ଭିତରେ ବରବାଦ ହେଲାଣି ବିଧାନସଭା ଶୀତକାଳୀନ ଅଧିବେସନର ଅନେକ ଦିନ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହେବାକୁ ଥିବାବେଳେ ଆଜି ପୁଣି ବିଜେଡି ଓ ବିଜେପି ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଚାଲିପାରିନି ଗୃହକାର୍ଯ୍ୟ ।