ପ୍ରଚାର ଯୁଦ୍ଧ ପରେ ବାକ୍ ଯୁଦ୍ଧ !ବିଜେପୁରରୁ ଭୁବନେଶ୍ୱର। ପ୍ରେସ କନଫରେନ୍ସ ବନାମ ପ୍ରେସ କନଫରେନ୍ସ

25

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଦେଖିବାକୁ ମିଳିଛି ଆରୋପ ପ୍ରତ୍ୟାରୋପର ଲଢେଇ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ, ଏସପି ଓ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକଙ୍କ ନିକଟରେ ଶାସକ ବିଜେଡି ବିରୋଧରେ ଅଭିଯୋଗ ଆଣିଛନ୍ତି । ଶାସନକଳ ଓ ବାହୁବଳ ଜରିଆରେ ବିଜେଡି ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ଏପରିକି ବିଜେପୁର ଲଢେଇ ଆଉ ରାଜନୈତିକ ଲଢେଇ ହୋଇ ରହିନାହିଁ, ବରଂ ତୃତୀୟ ମହଲା ସହ ଲଢେଇ ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେପଟେ ବିଜେଡି କହିଛି, ନିର୍ବାଚନ ହାରିଯିବା ଭୟରେ ବିଜେପି ଏଭଳି ଅଭିଯୋଗ ଆଣିଛି ।

ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ଦେଢ ଦିନ ବାକି ଥିବା ବେଳେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଏହିକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୋଧରେ ବିଜେପିର ଅଭିଯୋଗ । ଏପରିକି ନିର୍ବାଚନ ଶେଷ ହେବାଯାଏଁ ନିର୍ବାଚନ ମଣ୍ଡଳିରୁ ଦୂରରେ ରଖିବାକୁ ବିଜେପି ଦାବି କରିଛି । ସୁଶାନ୍ତ ଜଣେ ଅପରାଧୀ ପୃଷ୍ଠପୋଷକ ଥିବା ବ୍ୟକ୍ତି । ଏହାସହ ବିଜେପୁର ଅଞ୍ଚଳରେ ସେ ଆତଙ୍କରାଜ ଚଳାଇଛନ୍ତି । ତେଣୁ ତାଙ୍କୁ ବିଜେପୁର ନିର୍ବାଚନ ମଣ୍ଡଳୀରୁ ଦୂରେଇ ରଖିବା ସହ ତାଙ୍କ କାର୍ଯ୍ୟକଳାପକୁ ସିସିଟିଭିରେ ରେକର୍ଡ କରାଯାଉ ବୋଲି ବିଜେପି କହିଛି ।

ତେବେ ସୁଶାନ୍ତଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛି ବିଜେଡି । ଯେଉଁ ବ୍ୟକ୍ତି ଡି ବ୍ରଦର୍ସଙ୍କ ଭଳି ଅପରାଧୀଙ୍କ ସହ ଲିଙ୍କରେ ରହିଛନ୍ତି ସେ ପୁଣି ଅପରାଧର ପାଠ ପଢାଉଛନ୍ତି । ବିଜେଡି ପାଲଟା ପ୍ରଶ୍ନ କରୁଛି, ଯିଏ ହିଂସା କରୁଛି ସିଏ ପୁଣି ପାଲଟା ଅଭିଯୋଗ ଆଣୁଛି ।ଯଦି ସୁଶାନ୍ତଙ୍କ ନାଁରେ କୌଣସି ଅପରାଧିକ ଅଭିଯୋଗର ପ୍ରମାଣ ରହିଛି ତେବେ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରୁ ବୋଲି ବିଜେହି କହିଛି । ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଲଢେଇ ଶେଷ ହୋଇଥିବା ବେଳେ ଏବେ ୨୪ ତାରିଖର ମତଦାନକୁ ଅପେକ୍ଷା । ଆଉ ଏତିକି ବେଳେ ବିଜେଡି ଉପରେ ଅଭିଯୋଗ ପାହାଡ ଲଦିଦେଇଛି ବିଜେପି ।

bijepurଏତିକିରେ ସରିନଥିଲା କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ । ତୃତୀୟ ମହଲା ଉପରେ ବି ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ନିର୍ବାଚନ କାମରେ ସମସ୍ତଙ୍କୁ ଲଗାଇ ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସଚିବ ୧୦୦ ଜଣ ଅଫିସରଙ୍କୁ ସ୍ପେଶାଲ ଛୁଟି ଦେଇ ବିଜେପୁରକୁ ପଠାଇଛନ୍ତି । ଏହି ଅଭିଯୋଗର ଉତ୍ତର ଦେଇ ବିଜେଡି କହିଛି ସଚିବାଳୟରେ କଣ ହେଉଛି ତାହା ଉପରେ କେନ୍ଦ୍ର ସରକାର ଗୁଇନ୍ଦାଗିରି କରୁଛି । ଗୋଟିଏ ପଟେ ବିଜେପି ଅଭିଯୋଗ କରୁଛି ଯେ ବିଜେଡି ନିର୍ବାଚନ ଜିତିବା ପାଇଁ ଶାସନକଳ ଓ ବାହୁବଳ ବ୍ୟବହାର କରୁଛି । ଅନ୍ୟପଟେ ବିଜେଡି କହୁଛି ନିର୍ବାଚନ ହାରିଯିବା ଜାଣି ଏଭଳି ଅଭିଯୋଗ ଆଣୁଛି ବିଜେପି । ଏସବୁ ଭିତରେ ବିଜେପୁରରେ କିଏ ବାଜି ମାରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।