ଜୁଏଲଙ୍କ ଖୁଲାସା ! ମୋ ସହ ସର୍ମ୍ପକରେ ଅଛନ୍ତି ଅନ୍ୟ ଦଳର ନେତା , ଜାଣନ୍ତୁ କଣ କହିଲା ବିଜେଡି

52

କନକ ବ୍ୟୁରୋ : ଆଟାକିଙ୍ଗ ମୁଡରେ ବିଜେପି । ମୋଦି-ଶାହା ଯୋଡି ଓଡିଶା ଗସ୍ତରେ ଆସି ଯେଉଁଭଳି ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ତାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ସେତିକି ନୂଆ ନୁଆ ସମୀକରଣ ଦେଖିବାକୁ ମିଳୁଛି । ଗୋଟିଏ ପଟେ ଶନିବାର ମୋଦି ଓ ନବୀନ ଦୁର୍ନୀତି ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିଥିବା ବେଳେ ସୋମବାର ଏହି ଘିଅରେ ନିଆଁ ଢାଳିଥିଲେ ବିଜେପି ମୁଖିଆ ଅମିତ ଶାହା । ଦଳୀୟ କାର୍ଯ୍ୟକ୍ରମରେ ଆସି ଶାହା ବିଜେଡି ନେତାଙ୍କ ସହ ଅଫିସରଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନଥିଲେ । ଏପରିକି ଦୁର୍ନୀତିରେ ବୁଡି ରହିଥିବା ବିଜେଡି ସରକାରକୁ ୨୦୧୯ରେ ଭୋଟର ପ୍ରତ୍ୟାଖାନ କରିବେ ବୋଲି ଶାହା ମୁହଁଟାଣ କରି କହିଥିଲେ । ଶରଧାବାଲିରୁ ବିଜେଡି ସରକାରଙ୍କୁ ସିଧାସଳଖ ଚେତାବନୀ ଦେଇଥିଲେ ଶାହା । ଆଉ ଏସବୁ ଭିତରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ତାଲିକାରେ ଯୋଡି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

juel on dubious fundingନବୀନ ସରକାର ଏକ ଭଷ୍ଟ୍ର ସରକାର । ବିଜେଡି ସରକାରରେ ଲୋକ ପ୍ରତିନିଧି ମାନଙ୍କର ଇଜ୍ଜତ ନାହିଁ । କିଛି ହାତଗଣତି ଅଫିସର ଚଳାଉଛନ୍ତି ସରକାର । ଏକଥା ବିଜେଡି ଦଳର ନେତା ମାନେ କହୁଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏକଥା ଆଗରୁ ଲୋକମାନେ ଜାଣିନଥିଲେ, କିନ୍ତୁ ଏବେ ଜାଣିଲେଣି । ଯାହାର ଜବାବ ୨୦୧୯ରେ ବିଜେଡିକୁ ଭୋଟର ଦେବେ ବୋଲି କହିଛନ୍ତି ଜୁଏଲ । ଦୁର୍ନୀତିରେ ବୁଡି ରହିଥିବା କଂଗ୍ରେସକୁ ସରକାରରୁ ହଟାଇବା ପାଇଁ ବିଜେଡି ସହ ବିଜେପି ମେଣ୍ଟ କରିଥଲା । ଏପରିକି ଆର୍ଥିକ ଓ ସାଙ୍ଗଠନିକ ସବୁ ପ୍ରକାର ସହାୟତା କରିଥିଲା । କିନ୍ତୁ ଆମ ହିସାବ ସମ୍ପୂର୍ଣ୍ଣ ଭାବେ ଭୁଲ ହେଲା । ଯେଉଁ ଉଦ୍ଦେଶ୍ୟରେ ବିଜେଡି ସହ ମେଣ୍ଟ କରାଯାଇଥିଲା ତାହା ଭୁଲ ପ୍ରମାଣିତ ହେଲା । ଏବେ ରାଜ୍ୟରେ କଂଗ୍ରେସ ପରି ଭଷ୍ଟ୍ରାଚାରୀ ଶାସନ ବିଜେଡି କରୁଛି ବୋଲି କହିଛନ୍ତି ଜୁଏଲ ।

ଏହାସହ ଆଗାମୀ ୨୦୧୯ରେ ବିଜେଡି-ବିଜେପି ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜୁଏଲ । ଗଣମାଧ୍ୟମରେ ବିଜେପି-ବିଜେଡି ମେଣ୍ଟ ହେବା ନେଇ ପରିକଳ୍ପନା କରାଯାଉଛି ସେଥିରେ ବ୍ରେକ ଲଗାଇଛନ୍ତି ଜୁଏଲ । ବିଜେପି ୨୦୧୯ରେ ଅଲଗା ଲଢିବ । ଆଉ ଏଥିପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ ହେଉଛି । ଏବେ ରାଜ୍ୟରେ ଥିବା ୩୬ ହଜାର ବୁଥରୁ ୨୫ ହଜାର ବୁଥରେ ଦଳ ଦୃଢ ସ୍ଥିତିରେ ପହଞ୍ଚିଲାଣି । ଆଉ ଅଳ୍ପ ଦିନରେ ସବୁ ବୁଥରେ ନିଜର ଉପସ୍ଥିତ ଜାହିର କରିବୁ । ରାଜ୍ୟ ସରକାରଙ୍କ ଭଷ୍ଟ୍ରାଚାର ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ବୋଲି କହିଛନ୍ତି ଜୁଏଲ । ଏହାଛଡା ଅନ୍ୟ ଦଳର କିଛି ଅସନ୍ତୁଷ୍ଟ ନେତା ମଧ୍ୟ ଆମ ସହ ଯୋଗାଯୋଗରେ ଅଛନ୍ତି । ଏକଥା ମୁଁ ଗଣମାଧ୍ୟମରେ କହିବାକୁ ଚାହୁଁନାହିଁ କିନ୍ତୁ କେଉଁ ଦଳରେ କଣ ହେଉଛି ତାହାର ଖବର ଆମ ପାଖରେ ଅଛି ବୋଲି କହିଛନ୍ତି ଜୁଏଲ । ଏହାଛଡା ୨୦୧୯ରେ ବିଜେପି ରାଜ୍ୟରେ ବିଜେଡିକୁ କଡା ଟକ୍ମର ଦେବ ଏବଂ ତାଙ୍କ ଦଳକୁ ଲୋକମାନେ ଗ୍ରହଣ କରିବେ ବୋଲି କହିଥିଲେ ଜୁଏଲ ।

ତେବେ ଏଭଳି ମନ୍ତବ୍ୟ ପରେ ଜୁଏଲଙ୍କ ଉପରେ ବର୍ଷିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବ । ବିଜେଡିର ଅବସ୍ଥା ବିଷୟରେ ଜୁଏଲଙ୍କର କାହିଁକି ମୁଣ୍ଡବ୍ୟଥା ହେଉଛି ସେନେଇ ପ୍ରଶ୍ନ କରିଛନ୍ତି । ବିଜେଡି ଦଳ ବିଷୟରେ ଚିନ୍ତା ନ କରି ନିଜ ଦଳ ବିଷୟରେ ଜୁଏଲ ଚିନ୍ତା କରନ୍ତୁ ବୋଲି ପ୍ରତାପ କହିଛନ୍ତି । କାରଣ ବିଜେପି ଦଳରେ ଯେଉଁମାନେ ସ୍ପଷ୍ଟ କହିବାକୁ ଚାହୁଁଛନ୍ତି ସେମାନଙ୍କୁ ଦଳରୁ ବହିଷ୍କାର କରାଯାଉଛି ନଚେତ କୋଣଠେସା କରାଯାଉଛି । ତେଣୁ ପର ଘରକୁ ଟେକା ଫିଙ୍ଗିବା ପୂର୍ବରୁ ନିଜ ଘର ବିଷୟରେ ଭାବିବା କଥା ବୋଲି ପ୍ରତାପ କହିଛନ୍ତି ।

ଆମ ଗାଁ ଆମ ବିକାଶ ଓ ବିଜୁ ବାହିନୀ ଭଳି ଯୋଜନାରେ ବିଜେପି ଅତ୍ୟନ୍ତ ଇତଃସ୍ତତ । କାରଣ ଏହି ଯୋଜନା ଦ୍ୱାରା ନବୀନ ସରକାରଙ୍କ ବିକାଶମୂଳକ କାମ ସିଧାସଳଖ ଗାଁ ଗହଳିରେ ପହଞ୍ଚିପାରୁଛି । ଏହାଦ୍ୱାରା ନବୀନଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ହେଉଛି । ତେଣୁ ଏଥିରେ ବିଜେପି ବିଚଳିତ ହୋଇ ସରକାରୀ ଟଙ୍କାରେ ବିଜେଡି ନିଜର ପ୍ରଚାର କରୁଛି ତେଣୁ ଏହି ଟଙ୍କାର ଅଡିଟ ହେବା ଦରକାର ବୋଲି ଦାବି କରୁଛି । ତେବେ ବିଜେପି ନେତା କେଉଁ ନୈତିକ ଆଧାରରେ ଏଭଳି ଅଭିଯୋଗ ଆଣୁଛନ୍ତି ତାହା ଉପରେ ପ୍ରଶ ଉଠାଇଛନ୍ତି ପ୍ରତାପ । କାରଣ ବିଜେପି ସରକାର ମୋଦି ଫେଷ୍ଟ ଓ ସବକା ସାଥ ସବକା ବିକାଶ ନାଁରେ ପିଏସୟୁଙ୍କଠାରୁ ଯେଉଁ ଅର୍ଥ ସଂଗ୍ରହ କରିଛନ୍ତି ତାହାର ଅଡିଟ ହେଉ ବୋଲି ପ୍ରତାପ କହିଛନ୍ତି । ଏହାଛଡା ଆମ ଗାଁ ଆମ ବିକାଶ ଓ ବିଜୁ ଯୁବ ବାହିନୀ ଯୋଜନାରେ ସରକାରୀ ଟଙ୍କା ଖର୍ଚ୍ଚ ହେଉଛି ତେଣୁ ଏହାର ମଧ୍ୟ ଅଡିଟ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି, ନବୀନ ସରକାର ଉପରେ ଲୋକ ନାରାଜ୍ । ୧୯ବର୍ଷ ପରେ ଲୋକଙ୍କର ଆଉ ଏ ସରକାର ଉପରେ ଆଶା ନାହିଁ ।ଆଗକୁ ଆମେ ଆନ୍ଦୋଳନ ତୀବ୍ରତର କରିବୁ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ନୂଆ ଶକ୍ତି ସଂଚାର କରିଛି । ଓଡିଶା ଲୋକେ ମୋଦି ଓ ଶାହାଙ୍କୁ ଭଲ ପାଆନ୍ତି । ଏ ସରକାର ବହୁତ ଘୋଟାଲାରେ ଲିପ୍ତ । କିନ୍ତୁ ସଂଘୀୟ ବ୍ୟବସ୍ଥା ଯୋଗୁ କେନ୍ଦ୍ର ଏ ଛୋଟ କଥାରେ କିଛି କରିପାରୁନି । କାରଣ ଏମାନେ କହିବେ ଆମକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଡିଷ୍ଟର୍ବ କରୁଛନ୍ତି । ରାଜ୍ୟରେ ଆମ ସରକାର ଆସିଲେ ସବୁ ଦୁର୍ନୀତିର ତଦନ୍ତ କରି ଦୋଷୀକୁ ଦଣ୍ଡବିଧାନ କରାଯିବ । ଓଡିଶାରେ ଆମ ସଂଗଠନ ମଜବୁତ ।ତେଣୁ ୨୦୧୯ରେ ଓଡିଶାରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଅରୁଣ କହିଛନ୍ତି ।

ତେବେ ଅରୁଣଙ୍କ ଏଭଳି ବୟାନ ଉପରେ ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ବିଜେପି ଦୋମୁହାଁ ନୀତି ଧରିଛି ।ଯାହାକୁ ଲୋକେ ଆଦୌ ଗ୍ରହଣ କରିବେ ନାହିଁ । ଗୋଟିଏ ପଟେ ତାଙ୍କ ସରକାର ଓ ଅଧିକାରୀ ଆମ କାମକୁ ପ୍ରଶଂସା କରୁଛନ୍ତି । ପୁରସ୍କାର ଦେଉଛନ୍ତି ।ନୀତିଆୟୋଗ ମଧ୍ୟ ଆମ କାମକୁ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟ ପାଇଁ ଆମ କାମ ମଡେଲ ବୋଲି କହିଛନ୍ତି । କିନ୍ତୁ ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଯେଉଁଭଳି ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି ତାହା ଗଣତନ୍ତ୍ର ପ୍ରତି ବିଦ୍ରୃପ । ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଉଛି । ଏଣ୍ଡୁଅ ପରି ବିଭିନ୍ନ ସମୟରେ ରଙ୍ଗ ବଦଳାଉଛନ୍ତି । ରାଜ୍ୟର ବିଭିନ୍ନ ସମସ୍ୟା ସର୍ମ୍ପକରେ ଆଲୋଚନା ନକରି କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କିଛି ମଧ୍ୟ ଫଳ ମିଳିବନି । ବିଜେଡିକୁ ସମାଲୋଚନା ବିଜେପିକୁ ମହଙ୍ଗା ପଡିବ ବୋଲି ଅମର ଶତପଥୀ କହିଛନ୍ତି ।