ଟିଟୋକୁ କିଏ ଦେଇଛି ପେଟ୍ରୋଲ ପମ୍ପ । ମୁହାଁମୁହିଁ ହେଲେ ବିଜେପି-ବିଜେଡି

28

କନକ ବ୍ୟୁରୋ : ଟିଟୋ ପେଟ୍ରୋଲ ପମ୍ପ ରାଜ୍ୟ ରାଜନୀତିରେ ନିଆଁ ଲଗାଇ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱୀକୃତି ପରେ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନେଇ ଚିହିଁକି ଉଠିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ମୁଖପାତ୍ର ସାଂସଦ ପ୍ରତାପ ଦେବ, ନୈତିକତା ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଅନ୍ୟପଟେ ବିଜେପି କାଉଂଟର ପ୍ରେସମିଟ୍ କରି ବିଜେଡି ନେତାଙ୍କ ଉପରେ ବର୍ଷିଛି ବିଜେପି ।

ଟିଟୋର କ୍ରାଇମ ସାମ୍ରାଜ୍ୟର ଖୋଳତାଡ଼ କରୁଥିବା କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ ଯେତେବେଳେ ପେଟ୍ରୋଲ ପମ୍ପ ନିକଟରେ ପହଁଚିଗଲା, ସେତେବେଳେ ଆରମ୍ଭ ହୋଇଗଲା ରାଜନୀତିର ରୋଚକ ଖେଳ । ମୁହାଁମୁହିଁ ହୋଇଗଲେ ରାଜ୍ୟର ଦୁଇ ପ୍ରମୁଖ ଦଳ । କିପରି ଜଣେ ଗ୍ୟାଙ୍ଗଷ୍ଟରକୁ ପେଟ୍ରୋଲ ପମ୍ପ ମିଳିଗଲା, ସେ ନେଇ କ୍ରାଇମବ୍ରାଂଚ ତନାଘନା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱୀକୃତି ପରେ ସିବିଆଇ ତଦନ୍ତ ପାଇଁ ସୁପାରିସ କଲା ଆଇଓସିଏଲ । ଆଉ ଏହାକୁ ନେଇ ଚିହିଁକି ଉଠିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବରୁ କାହିଁକି ଏ ନେଇ ଚୁପ ବସିଥିଲେ ପ୍ରଶ୍ନ ଉଠାଇବା ସହ ନୈତିକତା ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରତାପ । ବିଜେଡିର ପ୍ରେସମିଟ୍ ପରେ ପରେ କାଉଂଟର ପ୍ରେସମିଟ୍ କରି ଜବାବ ରଖିଛି ବିଜେପି ।

ସେପଟେ ଗ୍ୟାଙ୍ଗଷ୍ଟରକୁ ପେଟ୍ରୋଲ ପମ୍ପ ମିଳିବା ଓ ସିବିଆଇର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏହା କୌଣସି ରାଜନେତାଙ୍କୁ ଘଣ୍ଟ ଘୋଡାଇବା ପାଇଁ ନା ପ୍ରକୃତ ଦୋଷୀଙ୍କୁ ଧରିବା ସିବିଆଇକୁ ଚିଠି ଲେଖିଛି ଆଇଓସିଏଲ । ଗ୍ୟାଙ୍ଗଷ୍ଟର ଟିଟୋର ପେଟ୍ରୋଲ ପମ୍ପ ଆବଂଟନ ନେଇ ଆରମ୍ଭ ହୋଇଛି ସିବିଆଇର ପ୍ରାଥମିକ ତଦନ୍ତ । ଆଇଓସିଏଲର ମହାପ୍ରବନ୍ଧକ ପ୍ରୀତିଶ ଭରତ କହିଛନ୍ତି, ଟିଟୋର କେନ୍ଦ୍ରାପଡା ଓ ପାରାଦୀପରେ ଥିବା ଦୁଇଟି ପେଟ୍ରୋଲ ପମ୍ପ ମଧ୍ୟରୁ ପାରାଦୀପର କୋକ ଷ୍ଟେସନକୁ ଆଇଓସିଏଲ ନିଜ ଅଧିନକୁ ନେଇ ସାରିଛି । କିନ୍ତୁ କେନ୍ଦ୍ରାପଡାର ଥିବା ପେଟ୍ରୋଲ ପମ୍ପ ଟିଟୋର ସଂପର୍କୀୟଙ୍କ ନାଁରେ ରହିଛି । କିନ୍ତୁ ଏହି ପେଟ୍ରୋଲ ପମ୍ପ ଆବଂଟନ ବେଳେ ଅନୀୟମିତତା ହୋଇଥିବା ପ୍ରମାଣ ମିଳିଛି ।

ଟିଟୋର ପେଟ୍ରୋଲ ପମ୍ପ ନେଇ ଦୁଇଟି ପ୍ରଶ୍ନ ଉଠୁଛି । ଗୋଟିଏ ହେଉଛି କିପରି ଅବଂଟନ ହେଲା ଜଣେ ହାର୍ଡକୋର କ୍ରିମିନାଲ୍କୁ ପେଟ୍ରୋଲ ପମ୍ପ? କେନ୍ଦ୍ର ସରକାରଙ୍କ ଅଧିନରେ ଏହି ପେଟ୍ରୋଲ ପମ୍ପ ଆବଂଟନ ଥିବାରୁ ଏଥିରେ ରହିଛି କି ବିଜେପି ନେତାଙ୍କ ହାତ? ସେହିପରି ଅନ୍ୟ ପ୍ରଶ୍ନ ହେଉଛି, କେନ୍ଦ୍ରପଡ଼ାରେ ଥିବା ପେଟ୍ରୋଲ ପମ୍ପ ପାଇଁ କିପରି ଟିଟୋକୁ ସରକାରୀ ଜମି ଲିଜ ଦେଇଥିଲା ସ୍ଥାନୀୟ ପ୍ରଶାସନ? ଏଥିରେ ରହିଛି କି ବିଜେଡି ନେତାଙ୍କ ହାତ?