ମହାନଦୀକୁ ନେଇ ମୁହାଁମୁହିଁ । ମୁଖ୍ୟମନ୍ତ୍ରୀ କହିଲେ, ସମାଧାନ ପାଇଁ ଟ୍ରିବ୍ୟୁନାଲ ହିଁ  ବିକଳ୍ପ, ଧର୍ମେନ୍ଦ୍ରଙ୍କ ଜବାବ ଗଣତନ୍ତ୍ରରେ ଆଲୋଚନାର ବିକଳ୍ପ ନାହିଁ

48

କନକ ବ୍ୟୁରୋ: ଟ୍ରିବ୍ୟୁନାଲ୍ ହିଁ ମହାନଦୀ ସମସ୍ୟା ସମାଧାନର ଏକମାତ୍ର ବିକଳ୍ପ। ‘ବିଜନେସ୍ ଷ୍ଟାଣ୍ଡାର୍ଡ’ ପକ୍ଷରୁ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ‘ଓଡ଼ିଶା ରାଉଣ୍ଡ୍ ଟେବୁଲ୍’ରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆଭିମୁଖ୍ୟ ରଖିଛନ୍ତି । କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ୍ ଗଡକରୀ ଆପୋସ ସମାଧାନ ପାଇଁ ପତ୍ର ଲେଖିଥିବା ବେଳେ ଓଡ଼ିଶାର ଆଭିମୁଖ୍ୟ କଣ ରହିବ, ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ନିମନ୍ତ୍ରଣକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିନଥିଲେ ହେଁ, ମୁଖ୍ୟମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଆମେ ପୂର୍ବରୁ ଆପୋସ ସମାଧାନ ପାଇଁ ବୈଠକ କରିଛୁ, କିନ୍ତୁ ଏହା ବିଫଳ ହୋଇଛି । ଆମେ ଉଭୟ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କୁ ନିର୍ମାଣାଧୀନ ବ୍ୟାରେଜ ବନ୍ଦ କରିବା ଲାଗି କହିଥିଲୁ । ମାତ୍ର ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ ଜଣାଇଥିଲେ ଯେ କେନ୍ଦ୍ର ସରକାରଙ୍କର ଏଭଳି କ୍ଷମତା ନାହିଁ । ଏଭଳି ପରିପ୍ରେକ୍ଷୀରେ ଟ୍ରିବ୍ୟୁନାଲ ହିଁ ଏକମାତ୍ର ବାଟ, ଯାହାଦ୍ୱାରା ମହାନଦୀ ବିବାଦର ନ୍ୟାୟଗତ ସମାଧାନ ହୋଇପାରିବ।

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ଦେଶରେ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ହିଁ ସବୁ ସମସ୍ୟାର ସମାଧାନ ନୁହେଁ । କାରଣ ରାବି, ବ୍ୟାସ ଓ କ୍ରିଷ୍ଣା ପରି ଜଳ ବିବାଦର ୨୭ରୁ ୩୦ ବର୍ଷ ପରେ ବି ସମାଧାନର ପନ୍ଥା ବାହାରି ନାହିଁ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ କଥାବାର୍ତ୍ତା ମାଧ୍ୟମରେ ସମାଧାନ ପାଇଁ ଆହ୍ଵାନ ଦେଇଛନ୍ତି।  ଗଣତନ୍ତ୍ରରେ ଆଲୋଚନାର କିଛି ବିକଳ୍ପ ନାହିଁ ଓ ଟ୍ରିବ୍ୟୁନାଲ ରାଜ୍ୟ ସରକାରର ଅଧିକାର ବୋଲି ସେ କହିଛନ୍ତି । ପୁରୁଣା ଟ୍ରିବ୍ୟୁନାଲ ଦେଶରେ ଜଳ ବିବାଦ ନେଇ ନ୍ୟାୟ ଦେବାରେ ବିଫଳ ହୋଇଥିବା ବେଳେ ୩ ବର୍ଷ ସମୟ ସୀମା ମଧ୍ୟରେ ଜଳ ବିବାଦ ମାମଲାରେ ରାୟ ଦେବାକୁ ଆସୁଥିବା ନୂଆ ନିୟମରେ ଟ୍ରିବ୍ୟୁନାଲ ସ୍ଥାପନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଓ ଏହା ଅଳ୍ପ କେଇ ମାସରେ ଗଠିତ ହେବ ବୋଲି ସେ କହିଥିଲେ । ମହାନଦୀ ସହିତ ପାଞ୍ଚଟି ନଦୀର ସଂଯୋଗୀକରଣ ହେଲେ ଯାଇ ଜଳାଭାବ ସମାଧାନ ହୋଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। କହିଥିଲେ, ଓଡ଼ିଶା ସରକାର ସମାଧାନର ବାଟ ଚାହୁଁନାହାନ୍ତି ବରଂ ରାଜନୀତି ପାଇଁ ଏହି ପ୍ରସଙ୍ଗକୁ ସରକାର ଆୟୁଧ କରିଛନ୍ତି ।  ଏଥିସହିତ ମହାନଦୀ ମହାବିବାଦ ପ୍ରସଙ୍ଗ ଏକ ନାଟକୀୟ ମୋଡ଼ ନେଇଛି । କେନ୍ଦ୍ର-ରାଜ୍ୟ କେହି କାହା ଜିଦରୁ ଇଞ୍ଚେ ବି ହଟିବାକୁ ଚାହୁଁନଥିବାରୁ ଏହି ବିବାଦରୁ କି ଆଗକୁ କିଭଳି ରୂପ ଧାରଣ କରିବ, ସେ ନେଇ ସବୁ ମହଲରେ ଆଶଙ୍କା ବଢିବାରେ ଲାଗିଲାଣି।

ଗତକାଲି ଅନ୍ୟାନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମତ ରଖିଥିଲେ । ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ରୋକଠୋକ୍ ପ୍ରତ୍ୟାଖ୍ୟାନ କରିବା ସହିତ ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡି ସମାନ ଦୂରତା ବଜାୟ ରଖିବ। ରାଜ୍ୟର ବିକାଶ ପାଇଁ କେନ୍ଦ୍ରର ସହାୟତା ଏକାନ୍ତ ଆବଶ୍ୟକତା ଥିଲେ ହେଁ କେନ୍ଦ୍ରର ଅବହେଳା ନେଇ ମଧ୍ୟ ସେ ମଞ୍ଚ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୧୭ ବର୍ଷର ସଫଳ ରାଜନୈତିକ ଜୀବନ ଏବଂ ଜଣେ ଲେଖକ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ କେଉଁ ଭୂମିକାଟିକୁ ପସନ୍ଦ କରିବେ ବୋଲି ପ୍ରଶ୍ନ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଏହାର ଉତ୍ତରରେ କହିଥିଲେ, ସରକାରରେ ରହିବା ହିଁ ମୋ ପାଇଁ ସବୁଠୁ ବଡ଼ ଉପଲବ୍ଧି। ସରକାରରେ ରହି ଲୋକଙ୍କୁ ପ୍ରତ୍ୟକ୍ଷ ସେବା ଓ ସାହାଯ୍ୟ କରିବାର ସୁଯୋଗ ମିଳିପାରୁଛି । ସେହିଭଳି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ମୋ ଭବିଷ୍ୟତ ଓ କ୍ୟାରିଅର ବିଜେପି ସ୍ଥିର କରିବ। ମୋତେ କଣ ଦାୟିତ୍ୱ ଦେବେ, ତାହା ବି ଦଳ ସ୍ଥିର କରିବ। ବିଜେପିର ୧୨୦+ ସଂପର୍କିତ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଗତ ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ ୧୯%ରୁ ବଢି ୩୩% ହୋଇଛି। ତିନି ନମ୍ବର ସ୍ଥାନରୁ ଦୁଇ ନମ୍ବର ସ୍ଥାନକୁ ଆସିଛୁ । ଏକ ନମ୍ବର ସ୍ଥାନକୁ ଯିବା କଷ୍ଟ ହେବନି । ଆସନ୍ତା ନିର୍ବାଚନରେ ବିଜେପି ‘ବିକାଶ’କୁ ପ୍ରସଙ୍ଗ କରି ଲଢିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।

କେନ୍ଦ୍ରୀୟ ଅବହେଳା ମାମଲାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଥିଲେ, ଏହା ରାଜ୍ୟ ସରକାରଙ୍କର ପୁରୁଣା ଗ୍ରାମୋଫୋନ ରେକର୍ଡର ଘଷରା ସ୍ୱର । ଏହାକୁ ଓଡିଆ ଲୋକ ସ୍ୱୀକାର କରୁ ନାହାନ୍ତି । ୨୦୧୩-୧୪ର ୭୦୦ କୋଟିର ରେଳ ବଜେଟ ୨୦୧୬-୧୭ରେ ୫୧୦୦ କୋଟିରେ ପହଞ୍ଚିଛି । ସ୍ୱାଧୀନତାରୁ ଆଜି ପର୍ଯ୍ୟନ୍ତ ୪ ହଜାର ୬୦୦ କିମିର ଜାତୀୟ ରାଜପଥ ମୋଦି ସରକାର ଆସିବା ପରେ ଆଉ ୪,୮୦୦ କିମିର ନୂଆ ଜାତୀୟ ରାଜପଥ ବ୍ୟୟବରାଦ ସହ ଯୋଜନା ପ୍ରସ୍ତୁତ ହୋଇଛି । ଦ୍ୱିତୀୟ ଅନ୍ତରାଷ୍ଟୀୟ ଏୟାରପୋର୍ଟ ଓ ରାଜ୍ୟ ସାରା ୫ଟି ନୁଆ ଏୟାରପୋର୍ଟ ତିଆରି ହେବାର ପ୍ରକ୍ରିୟା ଚାଲିଛି । ୨୧ ଲକ୍ଷ ଏଲପିଜି ସଂଯୋଗ ୫୩ ଲକ୍ଷରେ ପହଞ୍ଚିଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାର ପୁଂଜି ଭିତିଭୂମି ବିକାଶରେ ବ୍ୟବହାର କରୁଛି।

ବିଜନେସ୍ ଷ୍ଟାଣ୍ଡାର୍ଡର ସମ୍ପାଦକ ଶ୍ୟାମଳ ମୁଖାର୍ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରେ ଖୋଲା ଆଲୋଚନା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍ଏନ୍ ଗୁପ୍ତା, ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ରାଜକୁମାର ଶର୍ମା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା, ଟାଟା ଷ୍ଟିଲ୍ ଏସ୍ଇଜେଡ୍ର ଏମ୍ଡି ଅରୁଣ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ବିଜନେସ୍ ଷ୍ଟାଣ୍ଡାର୍ଡର ବ୍ୟୁରୋ ମୁଖ୍ୟ ଦିଲ୍ଲୀପ ଶତପଥୀ ଏହାକୁ ପରିଚାଳନା କରିଥିଲେ ।